
ନୂଆପଡା -୨୧/୯ (ସୁରେନ୍ଦ୍ର ତିୱାରୀ) ସେବା ପଖୱାଡା ଅବସରରେ ନୂଆପଡାରେ ନିଶାମୁକ୍ତ ଭାରତ ଗଠନ ନିମନ୍ତେ ଏକ ମାରାଥନ୍ ଆୟୋଜନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ଓ କ୍ରୀଡ଼ା ଓ ଯୁବ ସେବା ବିଭାଗ ଦ୍ଵାରା ଆୟୋଜିତ ମାରାଥନ୍ କୁ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ କାର୍ଯ୍ୟାଳୟରୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହା ବିଜୁ ପଟ୍ଟନାୟକ ଇନ୍ ଡୁର୍ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଯାତ୍ରା କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା “ନିଶାମୁକ୍ତ ଭାରତ ପାଇଁ ପ୍ରୟାସ”। ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା, ଜିଲ୍ଲା ଫୁଟବଲ୍ ସଂଘ ସମ୍ପାଦକ ସରୋଜ ସାହୁ , ଜଳ ବିଭାଜିକା ପ୍ରକଳ୍ପ ଉପନିର୍ଦ୍ଦେଶକ ରଶ୍ମୀ ରଞ୍ଜନ ପାତ୍ର, ସିଡିଏମଓ ଡଃ ଧନେଶ୍ୱର ସେଠୀ, ସି ଡି ଏ ଓ ପ୍ରଦୀପ ନାୟକ, ପରିସଂଖ୍ୟାନ ଉପ ନିର୍ଦ୍ଦେଶକ ଦିଲେଶ୍ଵର ଧରୁଆ, ଡି ଇ ଜି ଏମ୍ ବିରେନ୍ଦ୍ର ଦଣ୍ଡସେନା ,ଡିଆଇପି ଆରଓ ବିଦ୍ୟାପତି ପଣ୍ଡା, ଉପନିର୍ଦ୍ଦେଶକ ହସ୍ତଶିଳ୍ପ ପୁଷ୍ପ ରଞ୍ଜନ ସାହୁ, ମିଶନ ଶକ୍ତି ଅଧିକାରୀ ସୁନିଲ ମଲ୍ଲିକଙ୍କ ସମେତ ଅନ୍ୟାନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ଏଥିରେ ଯୋଗ ଦେଇଥିଲେ ।
ବିଭିନ୍ନ ବିଦ୍ୟାଳୟ, ମହା ବିଦ୍ୟାଳୟର ଶିକ୍ଷକ, ଖେଳାଳି ଏବଂ ଛାତ୍ର ଛାତ୍ରୀ ମୋଟ ୬୦୦ ରୁ ଉର୍ଦ୍ଧ୍ବ ଅଂଶଗ୍ରହଣକାରୀ ଅତ୍ୟନ୍ତ ଆଗ୍ରହର ସହିତ ଜିଲ୍ଲାପାଳ ଓ ସମସ୍ତ ଅଧିକାରୀଙ୍କ ସହିତ ମାରାଥନ୍ ରେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ କହିଲେ ସେମାନେ ଆନ୍ତରିକ ଉଦ୍ୟମ କରି ସମାଜକୁ ନିଶା ରୂପକ ଦାନବ କବଳରୁ ରକ୍ଷା କରନ୍ତୁ l “ଆମେ ନିଶା ନୁହେଁ ଜୀବନ ଚାହୁଁ”- ଏହି ବାର୍ତ୍ତା ସମାଜର ପ୍ରତି ସ୍ତରରେ ପହଞ୍ଚାଇବା ପ୍ରୟାସ ସମସ୍ତେ କରିବା l ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇଙ୍କ ଉଦ୍ୟମ କ୍ରମେ ସଫଳତାର ସହିତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।