6

ନୂଆପଡା -୮/୩ – ନୂଆପଡା ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ–୨୦୨୬ , ସ୍ଥାନୀୟ କ୍ଲବ୍ ପଡ଼ିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ , ନୂଆପଡ଼ା ବିଧାୟକଙ୍କ ପ୍ରତିନିଧି ତଥା ପତ୍ନୀ ଶ୍ରୀମତୀ ସୁମନ ଢୋଲକିଆ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଶ୍ରୀମତୀ ଦୀପିକା ଦୀପ, ନୂଆପଡା ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ୱରୀ ସାହୁ, କୋମନା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅନୁସୁୟା କୁମ୍ଭାର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନ, ସିଡିଏମଓ ଡଃ ଧନେଶ୍ୱର ସେଠୀ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ଏସ୍. ଗୀତା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ସଂଖ୍ୟକ ମହିଳା ଓ ହିତାଧିକାରୀମାନେ ଯୋଗଦେଇଥିଲେ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ବଣ୍ଟନର ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାୟ ୧ କୋଟି ମହିଳା ହିତାଧିକାରୀଙ୍କୁ ୫ ହଜାର କୋଟି ଟଙ୍କାରୁ ଅଧିକ ରାଶି ସିଧାସଳଖ ତାଙ୍କ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଜିଲ୍ଲା ସମାରୋହରେ ପ୍ରଦର୍ଶିତ ହୋଇଥିଲା ।
ଏହି ଅବସରରେ ଦିବସ ଉପଲକ୍ଷେ ଆୟୋଜିତ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। କୋମନା ବ୍ଲକ ସିଡିପିଓ ଦେବକୀ ମଲ୍ଲିକଙ୍କୁ ଶ୍ରେଷ୍ଠ ସିଡିପିଓ ଭାବରେ ସମ୍ମାନିତକରାଯାଇଥିଲା।