Home ରାଜ୍ୟଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ: ମାତୃ ଓ ଶିଶୁ ମୃତ୍ୟୁ ଶୂନ୍ୟ କରିବା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ଵ।

ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ: ମାତୃ ଓ ଶିଶୁ ମୃତ୍ୟୁ ଶୂନ୍ୟ କରିବା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ଜିଲ୍ଲାପାଳଙ୍କ ଗୁରୁତ୍ଵ।

by Maraguda Express
0 comments
ନୂଆପଡ଼ା – ୨୯/୦୧ (ମାରାଗୁଡ଼ା ଏକ୍ସପ୍ରେସ) ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ଓ ପୋଷଣ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗତ ମାସରେ ନୂଆପଡ଼ା ଜିଲ୍ଲାରେ କୌଣସି ମାତୃମୃତ୍ୟୁ ଘଟିନଥିବା ତଥ୍ୟ ଉପସ୍ଥାପିତ ହେବାରୁ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଥିଲେ । ତଥାପି, ଜିଲ୍ଲାରେ ଶିଶୁମୃତ୍ୟୁ ହାର କମାଇବା ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସ୍ୱାସ୍ଥ୍ୟ କ୍ଷେତ୍ରରେ “ପ୍ରତିରୋଧ ସହ ହସ୍ତକ୍ଷେପ” ନୀତିକୁ ଅଧିକ ସଫଳତାର ସହ ରୂପାୟନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏଏନଏମ ମାନେ ସେକ୍ଟର ସ୍ତରୀୟ ବୈଠକ ମାଧ୍ୟମରେ ଗର୍ଭବତୀ ମହିଳା ମାନଙ୍କୁ ସଚେତନ କରି ଶିଶୁମୃତ୍ୟୁ ରୋକିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ସେ କହିଥିଲେ।ବୈଠକରେ ଅକ୍ସିଜେନ୍ ଅଭାବ, କମ ଜନ୍ମ ଓଜନ, ଜଣ୍ଡିସ, ସମୟପୂର୍ବ ଜନ୍ମ ଓ ଅନ୍ୟାନ୍ୟ କାରଣରୁ ଶିଶୁମୃତ୍ୟୁ ଘଟୁଥିବା ବିଷୟ ଉପରେ ଆଲୋଚନା କରାଯାଇ, ଏହାକୁ ରୋକିବା ପାଇଁ ସମୟୋଚିତ ଚିହ୍ନଟ, ଚିକିତ୍ସା ଓ ରେଫରାଲ୍ ବ୍ୟବସ୍ଥାକୁ ମଜବୁତ କରିବାକୁ ଜୋର ଦିଆଯାଇଥିଲା।
ବୈଠକର ଆରମ୍ଭରେ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡାକ୍ତର ଧନେଶ୍ୱର ସେଠୀ ସମସ୍ତ ଅଧିକାରୀଙ୍କୁ ସ୍ୱାଗତ କରି ବୈଠକର ଉଦ୍ଦେଶ୍ୟ ଏବଂ ବିଭାଗୀୟ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଜିଲ୍ଲା ପ୍ରକଳ୍ପ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ ସତ୍ୟନାରାୟଣ ତ୍ରିପାଠୀ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜିଲ୍ଲାରେ ନିଆଯାଉଥିବା ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ।ବୈଠକରେ ଜନ୍ମ ସମୟରେ ଲିଙ୍ଗ ଅନୁପାତ, ସି-ସେକ୍ସନ୍ ଓ ପ୍ରତିଷ୍ଠାନଗତ ପ୍ରସବ, ଟିକାକରଣ, ଅସଂକ୍ରାମକ ରୋଗ, ପିଏମଜେଏୱାଇ ଓ ଏଭିଭିୱାଇ ଯୋଜନା ସହିତ ସମ୍ପୃକ୍ତ ବିଷୟଗୁଡ଼ିକ ଉପରେ ସମୀକ୍ଷା କରାଯାଇଥିଲା। ଏହା ସହିତ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଡେଲିଭରୀ ପଏଣ୍ଟରେ ନବଜାତ ସ୍କ୍ରିନିଂ ଓ ଏବିଏଚଏ ଆଇଡି ସୃଷ୍ଟି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।
ସ୍ପର୍ଶ କୁଷ୍ଠ ରୋଗ ସଚେତନତା ଅଭିଯାନରେ ସଚେତନତା ପାଇଁ କାମ କରିଥିବା କୋମନାର ଛାତ୍ରୀ ଇନ୍ଦୁମତୀ ଦୁହିଆ ଓ ନୂଆପଡ଼ାର ହିନା ରାଣୀ ସାହୁଙ୍କୁ ଏହି ଅବସରରେ ଜିଲ୍ଲାପାଳ ସମ୍ମାନିତ କରିଥିଲେ। ସେହିପରି “ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟାଃ” କୁ ଡାଏଲର ଟ୍ୟୁନ୍ ଭାବରେ ସେଟ୍ କରିବା ପାଇଁ ସମସ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହି ଅବସରରେ ଜିଲ୍ଲାପାଳ “ଶ୍ରେଷ୍ଠ ନିର୍ବାଚନ ଜିଲ୍ଲା” ପୁରସ୍କାରକୁ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଉତ୍ସର୍ଗ କରିଥିଲେ।ବୈଠକରେ ଡିଏମଓ (ଏମଏସ୍) -କମ୍-ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଲଳିତ ମୋହନ ବିଶି, ଡିପିଏଚଓ ଡାକ୍ତର ଦ୍ୱାରିକାନାଥ ସତପଥୀ, ଏଡିପିଏଚଓ (ପରିବାର କଲ୍ୟାଣ) ଡାକ୍ତର ଜ୍ୟୋତିର୍ମୟ ସୁଭେନ୍ଦୁ ମହାନ୍ତି, ଏଡିପିଏଚଓ (କୁଷ୍ଠ) ଡାକ୍ତର ତନ୍ମୟ ତ୍ରିପାଠୀ ସହ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha