
ନୂଆପଡ଼ା -୯/୯(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍ ର ପଲସଦା ପଞ୍ଚାୟତର ସେହି ଗାଁରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର, ଝିଅ ପାଇଁ ଗଛଟିଏ, ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ ଓ ପ୍ରାଣୀ ପାଇଁ ଦିନଟିଏ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥି ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ଏଵଂ ଅନ୍ୟାନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଗାଁରେ ପହଞ୍ଚିଥିଲେ । ମୁଖ୍ୟ ଅତିଥି ଜିଲ୍ଲାପାଳଙ୍କ ସହିତ ଡି ଏଫ୍ ଓ ଅଜିଜ ଖାନ,ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମୀ ସୋରେନ୍ ,ବିଡ଼ିଓ ସୁଶାନ୍ତ କୁମାର ରଣା, ତହସିଲଦାର ଅନସୁୟା ବାଗ୍ ଦେବି, ପଲସଦା ସରପଞ୍ଚ ଚାତୁରୀ ବେହେରା,
ଓ ସମିତି ସଭ୍ୟ ମାୟାଧର ସୁନାନୀ ପ୍ରମୂଖ ଅତିଥି ଭାବରେ ଯୋଗଦେଇଥିଲେ । ଆଜିର ଏହି ସୁନ୍ଦର କାର୍ଯ୍ୟକ୍ରମ ପାଇଁ ପଲସଦା ଗାଁ ଆନନ୍ଦ ମୁଖର ହୋଇ ଉଠିଥିଲା l ଝିଅ ପାଇଁ ଗଛଟିଏ ଓ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ନବଜାତକ ଶିଶୁ କନ୍ୟା ହେମକାନ୍ତୀ ମଲ୍ଲିକ ଓ ତାର ପିତାମାତାଙ୍କୁ ସମାରୋହରେ ଜିଲ୍ଲାପାଳ ଉପହାର ଓ ବୃକ୍ଷ ରୋପଣ ପାଇଁ ଚାରା ପ୍ରଦାନ କରିଥିଲେ । ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଦୁଇ ଜଣ ଗର୍ଭବତୀ ମହିଳାଙ୍କୁ ଏହି ସମାରୋହରେ ଅତିଥିମାନେ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଭେଟି ଦେଇଥିଲେ l ଏହାପରେ ଶ୍ରମିକ ସଚେତନତା ଶିବିରରେ ଅତିଥି ମାନେ ଗାଁ ବାସୀ ମାନଙ୍କୁ ମନରେଗା ଯୋଜନାରେ କାମ କରିବା ସହିତ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆହ୍ଵାନ ଦେଇଥିଲେ l ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ନିଜ ନିଜ ବିଭାଗର କଲ୍ୟାଣକାରୀ ଯୋଜନା ସମ୍ବନ୍ଧରେ ଜନସାଧାରଣଙ୍କୁ ବୁଝାଇଥିଲେ lସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେଯେ ଗାଁର କୌଣସି ବି ପୁରୁଷ କିମ୍ବା ମହିଳା ଭୁଲ୍ ରେ ବି ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ଯାଇ ହଇରାଣ ହରକତ ହୁଅନ୍ତୁ ନାହିଁ l ନିଜ ଗାଁ ମାଟିରେ ରହି ମନରେଗା ଯୋଜନାରେ କାମ କରି ସବୁ ଶ୍ରମିକ ପରିବାର ଲକ୍ଷପତି ହୁଅନ୍ତୁ l ଚାଷୀ ଭାଇ ଭଉଣୀ ମାନେ ଉନ୍ନତ ପ୍ରଣାଳୀରେ ଚାଷ କରନ୍ତୁ l ଏସବୁ ସହିତ ପଶୁ ପାଳନ,ମାଛ ଚାଷ ଛତୁ ଚାଷ ଇତ୍ୟାଦି ଅର୍ଥକାରୀ ଧନ୍ଦାବାଡି କରନ୍ତୁ l ଏସବୁ କରିବା ପାଇଁ ଜିଲ୍ଲା ପ୍ରଶାସନ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବେ l ଯେଉଁମାନେ ଏ ବର୍ଷ ଦାଦନ ଯାଇଛନ୍ତି, ସେମାନେ ଆଉଥରେ ନ ଯିବା ପାଇଁ ସଂକଳ୍ପ ନିଅନ୍ତୁ l ଆମେ ସମସ୍ତେ ମିଶି ପଲସଦା ପଞ୍ଚାୟତକୁ ପ୍ରବାସୀ ଶ୍ରମିକ ଓ ପ୍ଲାଷ୍ଟିକ୍ ମୁକ୍ତ କରି ପାରିବା ବୋଲି କହିଥିଲେ l କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ପରିଚାଳନା କରିଥିଲେ l ପଲସଦା ଆଶ୍ରମ ସ୍କୁଲ୍ ର ଛାତ୍ରୀମାନେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ମୁକ୍ତ ସମାଜ ସଚେତନତା ପାଇଁ ସୁନ୍ଦର ନୃତ୍ୟ ପରିବେଷଣ କରିଥିଲେ l ସ୍ଥାନୀୟ ସରପଞ୍ଚ ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ଅତିଥି ମାନେ ସାମୁହିକ ବୃକ୍ଷରୋପଣ କରିଥିଲେ l ସମାରୋହକୁ ବୋଡ଼େନ ବିଡ଼ିଓ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଂଗୀତା ପାତ୍ର, ବୋଡ଼େନ ସିଡିପିଓ ଅର୍ଚ୍ଚନା ରାଉତ, ସରପଞ୍ଚ, ବ୍ଲକ ଏବଂ ପଞ୍ଚାୟତ କର୍ମଚାରୀ ପ୍ରମୁଖ ଆୟୋଜନ କରିଥିଲେ।
ପଲସଦା ପଞ୍ଚାୟତ ରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଓ ବିଭିନ୍ନ କାର୍ଯ୍ୟକ୍ରମ।
53