ଆଧାର କାର୍ଡ ପ୍ରସ୍ତୁତିରେ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ

ନୂଆପଡ଼ା -୨୫/୬ (ଏମଇ) ନୂଆପଡ଼ା ଜିଲ୍ଲା ସ୍ତରୀୟ ଆଧାର ତଦାରଖ କମିଟିର ଦ୍ୱିତୀୟ ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲପାଳ ସମସ୍ତ ସଦସ୍ୟଙ୍କୁ ସ୍ଵାଗତ କରି ଜିଲ୍ଲାର ଆଧାର ସମସ୍ୟା ଓ ସମାଧାନ ଉପରେ ଆଲୋକପାତ କରିଥିଲେ l ଜିଲ୍ଲା ଇ-ଶାସନ ପରିଚାଳକ ବିରେନ୍ଦ୍ର ସିଂହ ଦଣ୍ଡସେନା ବୈଠକର ଆଭିମୁଖ୍ୟ ଉପସ୍ଥାପନା କରିଥିଲେ । ପୂର୍ବ ବୈଠକ ବିବରଣୀର ଆଲୋଚନା କରି ତାର ସମାଧାନ କେତେ ଦୂର କାର୍ଯ୍ୟକାରୀ ହେଲା ତା ଉପରେ ଗୃହକୁ ଅବଗତ କରାଇଥିଲେ । ୟୁଆଇଡିଏଆଇ ର ସହାୟକ ପରିଚାଳକ ଆଦର୍ଶ ପଟ୍ଟନାୟକ, ଆଧାର ପ୍ରସ୍ତୁତିରେ ସମଗ୍ର ଓଡ଼ିଶାରେ ନୂଆପଡ଼ା ପ୍ରଥମ ସ୍ଥାନରେ ଥିବା ପ୍ରକାଶ କରିଥିଲେ, ଯାହାକି ୧୧୩% ଅଟେ। ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲାରେ ଆଧାର କାର୍ଡ ଯୋଗାଣର ଅଗ୍ରଗତି ସମ୍ବନ୍ଧରେ ସେ କହିଲେ ଯେ ଏଠାରେ ୫ ବର୍ଷ ଯାଏଁ ପିଲାଙ୍କ ୨୨,୪୪୪ ଟି କାର୍ଡ, ୬ରୁ ୧୮ ବର୍ଷ ଯାଏଁ ୧,୬୯,୦୦୪୭ ଟି କାର୍ଡ ଏବଂ ୧୮ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କର ୫,୮୩,୨୮୮ ଟି ଆଧାର କାର୍ଡ ପ୍ରସ୍ତୁତ ହୋଇଛି l ଆଧାର କାର୍ଡ ପ୍ରସ୍ତୁତିରେ ହେଉଥିବା ଅସୁବିଧା ଯଥା ନବଜାତକ ମାନଙ୍କ କାର୍ଡ ତିଆରି, ଜନ୍ମ ତାରିଖ ବାରମ୍ବାର ପରିବର୍ତ୍ତନ, ଛାତ୍ରଛାତ୍ରୀ ମାନଙ୍କ କାର୍ଡ ରେ ଥିବା ଭୁଲ୍ ସୁଧାରିବା ଏବଂ ସମସ୍ତ ଆଦିବାସୀ, ଜନଜାତି ମାନଙ୍କ ଆଧାର ପ୍ରସ୍ତୁତି ଶତ ପ୍ରତିଶତ କରିବା ଇତ୍ୟାଦି ଉପରେ ଆଲୋଚନା ହୋଇଥିଲା l ଆଧାର କାର୍ଡ଼ ବିଭିନ୍ନ ବିଭାଗର ହିତାଧିକାରୀ ଚୟନରେ ଏକ ପ୍ରମୂଖ ଭୂମିକା ଗ୍ରହଣ କରୁଥିବାରୁ ଏହାକୁ ନିର୍ଭୁଲ ଓ ସମୟ ସିମା ମଧରେ ସମ୍ପୂର୍ଣ୍ଣ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଉକ୍ତ ବୈଠକରେ ଅତିରକ୍ତ ଜିଲ୍ଲାପାଳ ଭୀମସେନ ଶବର, ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀ ଡଃ ମନୋଜ କୁମାର ସାହୁ, ଜିଲ୍ଳା ଶିକ୍ଷା ଅଧିକାରୀ କରୁଣାକର ଭୁଏ , ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ ହେମ୍ବ୍ରମ, ଜିଲ୍ଳା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ , ସହାୟକ ଜିଲ୍ଲାପାଳ ବିଜୟ ଛତ୍ରିଆ, ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଆଧାର ସୁପରଭାଇଜର ନୃସିଂହ ପୁଟେଲ, ପ୍ରୋଗ୍ରାମ ଅଧିକାରୀ, ଭାରତୀୟ ଡାକ ପେମେଣ୍ଟ ବ୍ଯାଙ୍କ ପରିଚାଳକ, ଜିଲ୍ଳା ଆଧାର ମ୍ୟାନେଜର ପ୍ରମୂଖ ଉପସ୍ଥିତ ଥିଲେ l
ଆଧାର କାର୍ଡ ପ୍ରସ୍ତୁତିରେ ନୂଆପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ
146
previous post