
ନୂଆପଡ଼ା – ୧/୯(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ସଦର ବ୍ଲକ୍ କୋଦୋମେରୀ ପଞ୍ଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ବରେ ପ୍ରବାସୀ ଶ୍ରମିକ ନିରାକରଣ ପାଇଁ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଉପଜିଲ୍ଲାପାଳ ସୁର୍ମି ସୋରେନ, ସି ଡି ଏମ୍ ଓ ଡଃ ଧନେଶ୍ୱର ସେଠୀ, ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ତାରେଶ୍ଵରୀ ସାହୁ,ବିଡ଼ିଓ ରୋହିତ ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର, ସ୍ଥାନୀୟ ସରପଞ୍ଚ ମମତା ପୁଞ୍ଜି ପ୍ରମୁଖ ଅତିଥି ହିସାବରେ କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ । ନୂଆପଡ଼ା ଜିଲ୍ଲା ମୂଖ୍ୟ ଉନ୍ନୟନ ଅଧିକାରୀ ସମସ୍ତ ଅତିଥି, ଅଧିକାରୀ ତଥା ଜନସାଧାରଣଙ୍କୁ ସ୍ବାଗତ କରି ସଭା ପରିଚାଳନା କରିଥିଲେ । ସଭାରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇ ଶ୍ରମିକ ,କୃଷକ , ମହିଳା ତଥା ଜନସାଧାରଣଙ୍କ ପାଇଁ ଥିବା ବିଭାଗୀୟ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ ।
ନୂଆପଡା ଜିଲ୍ଲା ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଘୋଷିତ ହୋଇଥିବାରୁ କୋଦୋମେରୀ ପଞ୍ଚାୟତରେ ମିଶନ ଶକ୍ତି ବିଭାଗ ତରଫରୁ ତିନିଶହ ବ୍ୟକ୍ତିଙ୍କ ପଙ୍କ୍ତି ଭୋଜନ ପାଇଁ ଷ୍ଟିଲର ବାସନ ବର୍ତ୍ତନ ବ୍ୟାଙ୍କ କୁ ଜିଲ୍ଲାପାଳ ଓ ଅତିଥି ମାନେ ଶୁଭ ଉଦ୍ଘାଟନ କରିଥିଲେ l ସଭାରେ ପ୍ରବାସୀ ଶ୍ରମିକରୁ ଫେରିଥିବା ରୋହିତ ସାହୁ ଯିଏ ଜଣେ ସଫଳ ଚାଷୀ ହୋଇଛନ୍ତି ଏବଂ ଅନ୍ୟ ଶ୍ରମିକ ଯେଉଁମାନେ ଫେରି ଆଉଥରେ ଏ କାମକୁ ଯାଇ ନାହାନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେଯେ ଘର ପାଖରେ ବିଭିନ୍ନ ଶ୍ରମଭିତ୍ତିକ କାମ ତଥା ବ୍ୟବସାୟ ଆରମ୍ଭ କରିବା ପାଇଁ ସହଜ ଋଣ ମିଳୁଥିବାରୁ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନ ଯିବା ପାଇଁ ସମସ୍ତେ ପଣ କରନ୍ତୁ l ଜିଲ୍ଲା ପ୍ରଶାସନ ସମସ୍ତ ଶ୍ରମିକ ମାନଙ୍କୁ ଖାଦ୍ୟ ,ଉତ୍ତମ ଶିକ୍ଷା, ସ୍ଵାସ୍ଥ୍ୟ, କୃଷି, ଜଳସେଚନ ସୁବିଧା ସହିତ ଜୀବନ ଜୀବିକା ନିର୍ବାହ ପାଇଁ ବିଭିନ୍ନ ଯୋଜନାରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଛନ୍ତି l ଯେଉମାନେ ଗତ ବର୍ଷ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ଯାଇଥିଲେ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ l ସମସ୍ତେ ମିଶି ନୂଆପଡ଼ାକୁ ପ୍ରବାସୀ ଶ୍ରମିକ ଏବଂ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ସେ ଆହ୍ଵାନ ଦେଇଥିଲେ । ପ୍ରଥମେ ସମାରୋହରେ ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏଥିରେ ଜିଲ୍ଲାପାଳ ନବଜାତକ ଶିଶୁ କନ୍ୟା ବିନ୍ନୀ ସୁନାକୁ କୋଳରେ ଧରି ତାହାର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଶିଶୁର ପିତାମାତାଙ୍କୁ ଉପହାର ସହିତ ନୂତନ ବୃକ୍ଷ ଚାରା ପ୍ରଦାନ କରିଥିଲେ । ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମରେ ଗାଁର ଗର୍ଭବତୀ ମହିଳାଙ୍କୁ ଫଳମୂଳ, ପନିପରିବା, ପୃଷ୍ଟିକର ଖାଦ୍ୟ ଏବଂ ବିଭିନ୍ନ ଉପହାର ଅତିଥି ମାନେ ଭେଟି ଦେଇଥିଲେ । ଶେଷରେ ଜିଲ୍ଲାପାଳ ଏବଂ ସମସ୍ତ ଅତିଥି ଧାନ ମଣ୍ଡି ପରିସରରେ ବୃକ୍ଷରୋପଣ କରିଥିଲେ l ଆଜିର ଏହି ନିଆରା କାର୍ଯ୍ୟକ୍ରମ ପାଇଁ କୋଦୋମେରୀ ଗାଁ ଆନନ୍ଦ ମୁଖର ହୋଇ ଉଠିଥିଲା । ଛାତ୍ରୀ ମାନେ ସୁନ୍ଦର ସାଂସ୍କୃତିକ ନୃତ୍ୟଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମକୁ ନୂଆପଡ଼ା ବିଡ଼ିଓ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ନୂଆପଡ଼ା ସିଡିପିଓ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆୟୋଜନ କରିଥିଲେ।
କୋଦୋମେରି ପଞ୍ଚାୟତରେ ପ୍ରବାସୀ ଶ୍ରମିକ ସଚେତନତା ସଭା, ବର୍ତ୍ତନ ବ୍ୟାଙ୍କ ଉଦଘାଟିତ।
ସଭାରେ ପ୍ରବାସୀ ଶ୍ରମିକରୁ ଫେରିଥିବା ରୋହିତ ସାହୁ ଯିଏ ଜଣେ ସଫଳ ଚାଷୀ ହୋଇଛନ୍ତି ଏବଂ ଅନ୍ୟ ଶ୍ରମିକ ଯେଉଁମାନେ ଫେରି ଆଉଥରେ ଏ କାମକୁ ଯାଇ ନାହାନ୍ତି ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା
50