ନୂଆପଡା -୧୮/୯ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ବିଗତ ମାସର କାର୍ଯ୍ୟାବଳୀର ସମୀକ୍ଷା ବୈଠକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି । ବିଭାଗ ଦ୍ୱାରା କରା ଯାଇଥିବା କାର୍ଯ୍ୟାଗୁଡିକର ପୁଙ୍ଖାନୁପୁଙ୍ଖ ଆଲୋଚନା କରା ଯାଇଥିଲାl ସଭାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ହେମନ୍ତ ପୂଟା, ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ, ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର, ସି ଡବ୍ଲୁ ସି ଅଧ୍ୟକ୍ଷ ଫଣିନ୍ଦମ ସିଂ ଦେଓ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ସ୍ୱେଚ୍ଛାସେବୀ ସଂଗଠନ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଜିଲ୍ଲାରେ ଶିଶୁ ଶ୍ରମିକ ଉଦ୍ଧାର, ପାଠ ଛାଡ଼ିଥିବା ଶିଶୁର ପାଠପଢା, ଶିଶୁ ଶ୍ରମିକ ସର୍ଭେ, ଉତ୍କଳ ବାଳାଶ୍ରମ ଖଡିଆଳର ଉନ୍ନତି କରଣ, ଏବଂ ଆନ୍ୟାନ୍ୟ ସମସ୍ୟା ବିଷୟରେ ଆଲୋଚନା ହୋଇଥିଲା l ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେ ଯେ ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା କରିବା ପାଇଁ ସମସ୍ତେ ପ୍ରଚେଷ୍ଟା କରିବେ l ଏମାନଙ୍କ ବିଷୟରେ ବିଶଦ ଭାବରେ ସର୍ଭେ ହେବ l ଜିଲ୍ଲାରୁ ସ୍କୁଲ୍ ପିଲା ଡ୍ରପ ଆଉଟ୍ ସମ୍ପୂର୍ଣ ବନ୍ଦ ହେବ l ବିଭିନ୍ନ ବିଭାଗ ସମ୍ମିଳିତ ଉଦ୍ୟମ କରି ଜିଲ୍ଲାରୁ ଶିଶୁ ଶ୍ରମିକ ଚାଲାଣକୁ ସଂପୂର୍ଣ୍ଣ ବନ୍ଦ କରିବେ l ସବୁ ବସ୍ ଷ୍ଟାଣ୍ଡ ରେଳ ଷ୍ଟେସନ୍ ଅଚାନକ ଯାଞ୍ଚ କରାଯିବ । ଶିଶୁ ଶ୍ରମିକ ଚାଲାଣକାରୀଙ୍କୁ କଠୋର ଦଣ୍ଡ ରେ ଦଣ୍ଡିତ କରାଯିବ ।ଫେରନ୍ତା ଶିଶୁ ଶ୍ରମିକଙ୍କୁ ଅତିଶିଘ୍ର ବିଭିନ୍ନ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରରେ ଦାଖଲ କରାଯିବ l ଉତ୍କଳ ବାଳାଶ୍ରମ ଖରୀଆରର ଚାରୋଟି ଝିଅ ଆଇ ଟି ଆଇ ପାଠ ପଢି ରୋଜଗାରକ୍ଷମ ହୋଇଥିବାରୁ ଜିଲ୍ଲାପାଳ ଖୁସି ବ୍ୟକ୍ତ କରିଥିଲେ l ଶିଶୁ ଶ୍ରମିକ ସୁରକ୍ଷା ଦିଗରେ ସମସ୍ତେ ସମ୍ମିଳିତ ଉଦ୍ୟମ କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ମାନଙ୍କୁ ଆହ୍ବାନ ଦେଇଥିଲେ ।