ନୂଆପଡ଼ା – ୬/୮(ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ରଜନା, ଦେଓଧରା, ନାଗପଡା ଗ୍ରାମପଞ୍ଚାୟତ ର ଭୁଞ୍ଜିଆ ସମ୍ପ୍ରଦାୟର ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କୁ ସାମିଲ କରି ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ନୂଆପଡା ମଧୁସୂଦନ ଦାଶଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି। ସୂଚନା ମୁତାବକ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଲୟ ଦ୍ୱାରା ଜାରୀ କରାଯାଇଥିବା ଏସଓପି ଅନୁସାରେ ଏଫ ନମ୍ୱର ୧୮୦୧୫/୨୮/୨୦୨୨ ପିଭିଟିଜି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଘର ଦିଆଯିବା ନିମନ୍ତେ ସୁନାବେଡା, ରଜନା, ଦେଓଧରା ଏବଂ ନାଗପଡା ଗ୍ରାମପଞ୍ଚାୟତର ବସବାସ କରୁଥିବା ଭୁଞ୍ଜିଆ ଜନଜାତିମାନଙ୍କୁ ଘର ଦିଆଯିବ ବୋଲି ନିର୍ଦେଶ ଆସିଥିଲା।ତେଣୁକରି ଜିଲ୍ଲା ପ୍ରଶାସନର ନିର୍ଦେଶ ଅନୁସାରେ ଗ୍ରାମପଞ୍ଚାୟତ ଓ ବ୍ଲକସ୍ତରୀୟ ଅଧିକାରୀ ମାନେ ପ୍ରତି ଗାଁ କୁ ଘର ଘର ବୁଲି ସର୍ଭେ କରି ଜିଓ ଟ୍ୟାଗିଙ୍ଗ ମଧ୍ୟ କରିଥିଲେ। କିନ୍ତୁ ବର୍ତ୍ତମାନ ଶୁଣିବାକୁ ଓ ଜାଣି ପାରିଲେ ଯେ ସୁନାବେଡା ଓ ସୋସେଙ୍ଗ ଗ୍ରାମପଞ୍ଚାୟତର ଭୁଞ୍ଜିଆ ମାନଙ୍କୁ ହିଁ ଏହି ସୁବିଧା ସୁଯୋଗ ମିଳିବ ଓ ଆଉ ଅନ୍ୟ ମାନଙ୍କୁ ମିଳିବ ନାହିଁ। ବର୍ତ୍ତମାନ ପୁନଃବାର ସୁନାବେଡା ଓ ନୂଆପଡା ବ୍ଲକର ୨୧ଟି ଗାଁରୁ ୪ ଗୋଟି ଗାଁ ର ଭୁଞ୍ଜିଆମାନଙ୍କୁ ଉକ୍ତ ଯୋଜନାରେ ସାମିଲ କରି ଘର ଦିଆଯାଉଛି। ସେମାନଙ୍କ କହିବା ଅନୁସାରେ ସୁନାବେଡା ଅଞ୍ଚଳର ଭୁଞ୍ଜିଆ ସମ୍ପ୍ରଦାୟ ଓ କୋମନା ବ୍ଲକର ରଜନା, ଦେଓଧରା, ନାଗପଡା ଗ୍ରାମର ଭୁଞ୍ଜିଆ ସମ୍ପ୍ରଦାୟର ରୀତିନୀତି, ଚାଲିଚଲଣ, ସଂସ୍କୃତି, ପରମ୍ପରା, ଜାତି ଗୋତ୍ର, ଧର୍ମ ଏକ ପ୍ରକାର ଅଟେ। ଆମ ଓ ତାଙ୍କ ଭିତରେ କୌଣସି ଫରକ ନାହିଁ। କିନ୍ତୁ ଜିଲ୍ଲା ପ୍ରଶାସନ ଆମ ମଧ୍ୟରେ ପାର୍ଥକ୍ୟ ଦର୍ଶାଇ ଭେଦଭାବ ସୃଷ୍ଟି କରୁଅଛି ବୋଲି ମତ ପ୍ରକାଶ କରିଛନ୍ତି। ଭାଇ ଭାଇ ଭିତରେ ବିଦ୍ରୋହର ନିଆଁ ଲଗାଉଛନ୍ତି। ଯାହା ଫଳରେ ସରଳ, ଶାନ୍ତ,ଗରିବ, ଖଟିଖିଆ ଆଦିବାସୀ ମାନଙ୍କ ମନରେ ଖୁବ ଆଘାତ ସୃଷ୍ଟି ହୋଇଛି। ତେଣୁକରି ନିଜର ହକ ଓ ସରକାରୀ ଯୋଜନାର ସୁବିଧା ପାଇବା ପାଇଁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସମ୍ପାଦକ ଭକ୍ତ ବନ୍ଧୁ ଧରୁଆ ସହିତ ଭୁଞ୍ଜିଆ ସମ୍ପ୍ରଦାୟର ପ୍ରଭାସ ଚିନ୍ଦା, ଜୟସିଂ ଚିନ୍ଦା, ପଦ୍ମଲୋଚନଲୋଚନ ଚିନ୍ଦା, ମହେନ୍ଦ୍ର ଚିନ୍ଦା, ଘନ ଚିନ୍ଦା, ସୁବଳ ଚିନ୍ଦା, ମୁକୁନ୍ଦ ଚିନ୍ଦା, ସୁମନ ଚିନ୍ଦା, ସରସ୍ବତୀ ଚିନ୍ଦା, ପାହାନ୍ତି ଚିନ୍ଦା, କହ୍ନେଇ ଚିନ୍ଦା, ରାମାନନ୍ଦ ଚିନ୍ଦା, ସୁବାଷ ଚିନ୍ଦା, ପିଣ୍ଟୁ ଚିନ୍ଦା, ଥଣ ସୁନ୍ଦର ଚିନ୍ଦା, ମହାଦେବ ଚିନ୍ଦା ସହ ଅନ୍ୟାନ୍ୟ ଭୁଞ୍ଜିଆ ସମ୍ପ୍ରଦାୟର ଲୋକମାନେ ଜିଲ୍ଲାପାଳଙ୍କୁ ନିଜର ଦାବୀ ପତ୍ର ପ୍ରଦାନ କରିଛନ୍ତି। ଦାବି ପତ୍ର ଉପରେ ଆଲୋଚନା କରି ଜିଲ୍ଲାପାଳ ଶ୍ରୀ ଦାଶଙ୍କ କହିଛନ୍ତି, ରାଜ୍ୟ ସରକାରଙ୍କୁ ଏହି ବିଷୟରେ ଲେଖି ଜଣାଇବୁ ଓ ଆଇନଗତ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ସହିତ ଭୁଞ୍ଜିଆ ସମ୍ପ୍ରଦାୟ ର ଲୋକମାନେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇ ପାରିବେ ସେ ବିଷୟରେ ଚେଷ୍ଟା କରାଯିବ ବୋଲି ପ୍ରକାଶ କରିଛନ୍ତି।
ପ୍ରଧାନମନ୍ତ୍ରୀ ଜନମନ ଯୋଜନା : ଭୁଞ୍ଜିଆ ମାନଙ୍କୁ ସାମିଲ କରାଯାଉ ନାହିଁ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ।
89
previous post