43


ନୂଆପଡ଼ା -୨୭/୧(ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ସଦର ମହକୁମା ରେ ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ଗତ କାଲି ମହାସମାରୋହରେ ପାଳିତ ହୋଇଯାଇଛି | ଏହି ଉତ୍ସବରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ପ୍ରଥମେ ଗାନ୍ଧୀଉଦ୍ୟାନ ଠାରେ ମହାତ୍ମାଗାନ୍ଧୀଙ୍କ ଓ ଏକତା ଛକ ଠାରେ ଘାସିରାମ ମାଝୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
ଏହା ପରେ ମିନି ଷ୍ଟାଡିୟମ ଠାରେ ଜାତୀୟ ପତକା ଉତ୍ତୋଳନ କରିବା ସହ ପ୍ୟାରେଡ଼ ନିରୀକ୍ଷଣ କରିଥିଲେ l ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ୍ ପାଲ୍ ସିଂଙ୍କ ସହ ମଞ୍ଚରେ ୩୨ ଟି ଦଳର ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ | ଏହି ଅବସରରେ ଜିଲ୍ଲାବାସୀ ଙ୍କୁ ଉଦବୋଧନ ଦେଇ ଦେଶର ମୁକ୍ତି ଆନ୍ଦୋଳନ ଓ ସାଧାରଣତନ୍ତ୍ର ରାଷ୍ଟ୍ର ଭାବରେ ପ୍ରତିଷ୍ଠା କରିବା ଯାଏଁ ସ୍ଵାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନ କୁ ମନେ ପକାଇ ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ମୁକ୍ତି ସଂଗ୍ରାମରେ ନୂଆପଡ଼ା ମାଟି ଓ ଏହାର ବରପୁତ୍ର ମାନଙ୍କ ଅବଦାନ ସ୍ମରଣ କରିଥିଲେ l ନୂଆପଡା ଜିଲ୍ଲାକୁ ପ୍ରବାସୀ ଶ୍ରମିକ ମୁକ୍ତ ପ୍ରୟାସ କରିବା ସହିତ ପରିବର୍ଦ୍ଧିତ ଜନଶୁଣାଣି, ଝିଅ ପାଇଁ ଗଛଟିଏ, ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ,ଗାଁ ରେ ରାଜସ୍ବ ପ୍ରଶାସନ, ୱାର୍ଡ ରେ ପୌର ପ୍ରଶାସନ,ବିଧବା ସହାୟତା ଅଭିଯାନ ଆଦି କାର୍ଯ୍ୟକ୍ରମ ଓ ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପାୟନ ଓ କାର୍ଯ୍ୟ କାରିତା ଉପସ୍ଥାପନ କରିଥିଲେl ଏହି ଅବସରରେ, ଜିଲ୍ଲାପାଳଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁଙ୍କ ଦ୍ଵାରା ପ୍ରଦତ୍ତ ଶ୍ରେଷ୍ଠ ନିର୍ବାଚନ ଜିଲ୍ଲା ପୁରସ୍କାରକୁ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ।




