70
ନୂଆପଡ଼ା – ୨/୭- ବନ୍ୟଜନ୍ତୁ ସୁରକ୍ଷା ଓ ଅବୈଧ ଶିକାର ବିରୋଧୀ ଅଭିଯାନ ‘ଅପରେସନ ସେଫ୍ ପାସେଜ୍’ ରେ ଏକ ବଡ଼ ସଫଳତା ମିଳିଛି। ଗୁଇନ୍ଦା ସୂଚନା ଆଧାରରେ ଛତିଶଗଡ଼ ବନ ବିଭାଗ ଓ ବିଭିନ୍ନ ଏଜେନ୍ସିଙ୍କ ମିଳିତ ଚଢ଼ାଉରେ ଏକ ସକ୍ରିୟ ଆନ୍ତଃରାଜ୍ୟ ଶିକାରୀ ଚକ୍ରକୁ ବଡ଼ ଝଟକା ଦିଆଯାଇଛି।
କାଙ୍କେର ଜିଲ୍ଲାର ପଶ୍ଚିମ ପାରଲକୋଟ ରେଞ୍ଜରେ ଚାଲିଥିବା ଅଭିଯାନ ବେଳେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ଦୁଇଟି ବାଘ ଛାଲ ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ ବାବୁ ରାଓ ମାଣ୍ଡଭି ଓ ବିଯେଶ୍ୱର ଗିଦମ। ଏହି ଘଟଣାରେ ଭାନୁପ୍ରତାପପୁର ଫରେଷ୍ଟ ଡିଭିଜନ ପକ୍ଷରୁ ପିଓଆର-୩୯୦/୦୯ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ବନ୍ୟଜନ୍ତୁ ଅପରାଧ ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଜାରି ରହିବ। ଆଗାମୀ ଦିନରେ ସମନ୍ୱିତ ଆଇନଗତ କାର୍ଯ୍ୟାନୁଷ୍ଠାନ, ବନାଞ୍ଚଳ ପୁନରୁଦ୍ଧାର ଏବଂ ବନ୍ୟଜନ୍ତୁ କରିଡର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ବିଭାଗ କହିଛି।