
ନୂଆପଡ଼ା -୨୭/ ୧୧(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦଭାବନା ସଭା ଗୃହରେ ଜିଲ୍ଲା ଉନ୍ନୟନ ସମିତି ବୈଠକ ସହିତ ଗ୍ରାମୋଦୟ ସଭା ଅନୁଷ୍ଠିତ ହୋଇ ଯାଇଅଛି l ଜିଲ୍ଲାର ସମସ୍ତ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ପୂର୍ବକ ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରତି ମାସ ଏହି ବୈଠକ ଅନୁଷ୍ଠିତ ହେଉଛି lସଭାରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଉପଜିଲ୍ଲାପାଳ ସୁର୍ମି ସୋରେନ୍ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ , ଡି ଏଫ୍ ଓ ବନ୍ୟ ପ୍ରାଣୀ, ଏ ପି ଡି କ୍ଷମାନିଧି ଭୋଇଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର, ସମସ୍ତ ଅଧିକ୍ଷଣ ଯନ୍ତ୍ରୀ,ନିର୍ବାହୀ ଯନ୍ତ୍ରୀ ଏବଂ ଲାଇନ୍ ବିଭାଗ ଅଧିକାରୀମାନେ ଯୋଗଦେଇଥିଲେ l ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ଦୁଇମାସ ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା l ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ଜିଲ୍ଲାର ଦୃତ ଉନ୍ନତି ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ବୋଲି କହିଥିଲେ l ଉପ ନିର୍ଦ୍ଦେଶକ ପରିସଂଖ୍ୟାନ, ଡିଲେଶ୍ୱର ଧରୁଆ, ବିଗତ ମାସର ବୈଠକର ବିବରଣୀ ପ୍ରସ୍ତୁତ କରିଥିଲେ l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରଇତ ଏହା ଉପରେ ବିଭିନ୍ନ ବିଭାଗ ନେଇଥିବା ପଦକ୍ଷେପ ଗୃହରେ ଉପସ୍ଥାପନ କରିଥିଲେ। ବିଗତ ଦିନରେ ଉନ୍ନୟନ କାମରେ ଯେଉଁ ସବୁ ବାଧା ରହିଥିଲା ସେ ସବୁର କେତେ ସମାଧାନ ହେଇଛି ଏବଂ ପ୍ରତି ବିଭାଗର କିପରି ଅଗ୍ରଗତି ହୋଇଛି ଜିଲ୍ଲାପାଳ ଜାଣିବାକୁ ଚାହିଁଥିଲେ l ଅନ୍ତ ବିଭାଗୀୟ ବିସଂଗତି ଉପରେ ଆଲୋଚନା କରି ସେସବୁର ସମାଧାନର ରାସ୍ତା ବାହାର କରାଗଲା l ବୈଠକରେ ଜଳସେଚନ ,ପଞ୍ଚାୟତି ରାଜ, ରାଜସ୍ୱ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ , ରାସ୍ତା ଓ ଗୃହନିର୍ମାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ , ଉଠା ଜଳସେଚନ,ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ , ପ୍ରାଣୀ ସମ୍ପଦ, ପରିବହନ ,ଶିକ୍ଷା,ସ୍ୱାସ୍ଥ୍ୟ,ଜଙ୍ଗଲ , ଖଣି , ଟୁରିଜମ ଇତ୍ୟାଦି ସମସ୍ତ ବିଭାଗର କାର୍ଯ୍ୟ ଉପରେ ସମୀକ୍ଷା ହୋଇଥିଲା l ଜିଲ୍ଲାପାଳ କହିଲେ ଯେ ନୂଆପଡ଼ା ଜିଲ୍ଲାରେ ଉପ ନିର୍ବାଚନ ପରେ ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି । ଏହାର ସୁବିନିଯୋଗ କରି ଆମେ ଜିଲ୍ଲାକୁ ପ୍ରବାସୀ ଶ୍ରମିକ ମୁକ୍ତ କରି ପାରିବା l ତହସିଲଦାର ମାନଙ୍କ ଦ୍ୱାରା ବିଭିନ୍ନ ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ , ପ୍ରାଣୀ ଚିକିତ୍ସାଳୟ, ଅଙ୍ଗନବାଡି କେନ୍ଦ୍ର ମାନଙ୍କୁ ଜମି ପଟ୍ଟା ଯୋଗାଇ ଦେବା ସହିତ ସେମାନଙ୍କର ନୂତନ କୋଠା ନିର୍ମାଣ ଇତ୍ୟାଦି ବିଷୟ ଉପରେ ବିଶଦ ଆଲୋଚନା ହୋଇଥଲା। ଗ୍ରାମୋଦୟ ସଭାରେ ଜିଲ୍ଳାପାଳ ବନାଞ୍ଚଳରେ ରାସ୍ତା ଘାଟର ଉନ୍ନତି ସହିତ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଜନସାଧାରଣଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଆବାସ ଗୃହ, ପରିବହନ,ଯୋଗାଯୋଗ, ଆଧାର ଇତ୍ୟାଦି ସମସ୍ତ ସୁବିଧା ସୁଯୋଗ ତୁରନ୍ତ ଯୋଗାଇ ଦେବା ଉପରେ ଗୁରୁତ୍ଵ ଦେଇଥିଲେ ।ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉତ୍ସର୍ଗୀକୃତ ମନୋଭାବ ନେଇ ନିଜ ନିଜ ବିଭାଗର କାମ ଠିକ୍ ଭାବରେ କରି ଜିଲ୍ଲାକୁ ସବୁଜ ସୁନ୍ଦର ଏବଂ ପ୍ଲାଷ୍ଟିକ ନେବା ପାଇଁ ଜିଲ୍ଲାପାଳ ଆହ୍ବାନ ଦେଇଥିଲେ ।

ନୂଆପଡ଼ାରେ ଜିଲ୍ଲା ଉନ୍ନୟନ ସମିତି ଓ ଗ୍ରାମୋଦୟ ବୈଠକ ଅନୁଷ୍ଠିତ।
58
previous post