
ନୂଆପଡା -୧୨/୧୦ (ସୁରେନ୍ଦ୍ର ତିୱାରୀ) ଦଶମ ଶ୍ରେଣୀ ବାର୍ଷିକ ବୋର୍ଡ଼ ପରୀକ୍ଷା ୨୦୨୬ ରେ ଆଶାତୀତ ସଫଳତା ହାସଲ କରିବା ପାଇଁ ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ “ସମ୍ଭାବନା ୨୦୨୬” ଟୁୱାର୍ଡସ୍ ଏକାଡେମିକ୍ ଏକ୍ସେଲେନ୍ସ” ଆରମ୍ଭ କରାଯାଇଛି l ଏହାର ଉଦ୍ଦେଶ୍ୟ ହେଉଛି ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶିକ୍ଷା ଅଭିନିଷ୍ଠାକୁ ଉନ୍ନତ କରିବା ସହିତ ଶିକ୍ଷାରେ ଆତ୍ମବିଶ୍ୱାସୀ କରିବା। ଏହାର ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟରେ ଅନୁପାଳନ କରିବା ସକାଶେ ନିର୍ଦ୍ଦେଶ ଜାରି କରାଯାଇଛି। ଏଥିରେ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଅଗ୍ରଗତି କୁ ସୁନିଶ୍ଚିତ କରିବା ପାଇଁ ସବୁ ଦିଗକୁ ସାମିଲ କରାଯାଇଛି। ଏହାର ପ୍ରସ୍ତୁତି ପାଇଁ ଜିଲ୍ଲାର ପ୍ରଧାନଶିକ୍ଷକ/ପ୍ରଧାନ ଶିକ୍ଷୟତ୍ରୀ ତଥା ଦକ୍ଷ ବିଷୟ ଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ବିଭିନ୍ନ କର୍ମଶାଳା ଆୟୋଜିତ କରାଯାଇଥିଲା। ଜିଲ୍ଲାର ସମସ୍ତ ଛାତ୍ରଛାତ୍ରୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଶତ ପ୍ରତିଶତ ଉତ୍ତୀର୍ଣ୍ଣ ହେବା ସହ ଏ-୧ ଓ ଏ-୨ ଗ୍ରେଡ ରେ ଅଧିକରୁ ଅଧିକ ସଂଖ୍ୟାରେ ରହିବେ ସେଥିପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି ।ଏଥିପାଇଁ ପ୍ରତ୍ୟେକ ବ୍ଲକ ପାଇଁ ନିରୀକ୍ଷଣ ଟିମ୍ ମଧ୍ୟ ଗଠନ କରାଯାଇଛି ଯେଉଁମାନେ ନିରନ୍ତର ବିଦ୍ୟାଳୟ ପରିଦର୍ଶନ କରି କାର୍ଯ୍ୟକ୍ରମର ଅଗ୍ରଗତିର ସମୀକ୍ଷା କରିବେ ।ଏହି “ସମ୍ଭାବନା ୨୦୨୬” ଯୋଜନା ଅନୁଯାୟୀ, ଆସନ୍ତା ମାଧ୍ୟମିକ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସାଧାରଣ ଫଳାଫଳ ଉନ୍ନତ କରିବା, ଦୁର୍ବଳ ଛାତ୍ରଛାତ୍ରୀଙ୍କ ପାଇଁ ନିୟମିତ ରିମେଡିଆଲ୍ କ୍ଲାସ ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ପ୍ରୋତ୍ସାହନ ଯୋଗାଇବା ଲକ୍ଷ୍ୟ ରଖାଯାଇଛି। ଏହି ଏସଓପି ଅନୁସାରେ ପ୍ରତ୍ୟେକ ବିଦ୍ୟାଳୟରେ ଡାଏଗନୋଷ୍ଟିକ୍ ଟେଷ୍ଟ, ସାପ୍ତାହିକ ଏବଂ ମାସିକ ପରୀକ୍ଷା, ଏବଂ ଫଳାଫଳ ବିଶ୍ଳେଷଣ ହେବା ସହିତ ପ୍ରତ୍ୟେକ ଛାତ୍ରଙ୍କ ଅଗ୍ରଗତି ଉପରେ ନିୟମିତ ନଜର ରଖାଯିବ।ପ୍ରତ୍ୟେକ ବିଦ୍ୟାଳୟରେ ବିଜ୍ଞାନ, ଗଣିତ, ଭାଷା ଓ ସମାଜ ବିଜ୍ଞାନ କ୍ଲବ ଗଠନ କରାଯିବ ଯେଉଁଠାରେ ଛାତ୍ରଛାତ୍ରୀମାନେ କୁଇଜ୍, ତର୍କ , ଆଲୋଚନା ଚକ୍ର ଓ ପ୍ରକଳ୍ପ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଏହାସହିତ ଆଇସିଟି (ସ୍ମାର୍ଟ କ୍ଲାସ୍) ମାଧ୍ୟମରେ ଡିଜିଟାଲ୍ ଶିକ୍ଷାକୁ ଗୁରୁତ୍ଵ ଦିଆଯାଇଛି।ପିଲାମାନଙ୍କ ମନୋବଳ ଓ ଉତ୍ସାହ ବୃଦ୍ଧି ପାଇଁ ସାପ୍ତାହିକ କୃତି ତାଲିକା, ଅଧିକ ସହଭାଗିତା ପାଇଁ ସାର୍ଟିଫିକେଟ୍ ଏବଂ କେରିୟର ଗାଇଡେନ୍ସ କାଉନସେଲିଂ ସେସନ୍ ହେବ l ଛାତ୍ରଛାତ୍ରୀମାନେ ନିଜ ଶିକ୍ଷା ଲକ୍ଷ୍ୟ ନିଜେ ନିର୍ଦ୍ଧାରଣ କରିବେ।
ପ୍ରତି ତିନି ମାସରେ ଅଭିଭାବକ -ଶିକ୍ଷକ ସମ୍ମିଳନୀ ହେବ ଯେଉଁଠାରେ ଛାତ୍ରଛାତ୍ରୀଙ୍କ ଅଭିନିଷ୍ଠା ବିଷୟରେ ଆଲୋଚନା ହେବ। ପୂର୍ବତନ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଏଥିରେ ଜଡିତ କରାଯିବ, ଯାହାଦ୍ୱାରା ବିଦ୍ୟାଳୟକୁ ପୁସ୍ତକ ଓ ମୋଟିଭେସନାଲ୍ ସହାୟତା ମିଳିପାରିବ। ସ୍କୁଲ ଅଞ୍ଚଳରେ ପରିଶୁଦ୍ଧ ଓ ସୁରକ୍ଷିତ ପରିବେଶ ନିଶ୍ଚିତ କରିବା, ପୁସ୍ତକାଳୟ ଓ ପାଠାନ୍ତ ଅଭ୍ୟାସକୁ ପ୍ରୋତ୍ସାହନ ଦେବା, ଓ ମୂଲ୍ୟବୋଧ ଶିକ୍ଷାକୁ ପ୍ରତି ସପ୍ତାହ ଏକ କ୍ଲାସ୍ ଭାବେ ଅନୁଷ୍ଠିତ କରିବା ଏସଓପି ର ଅଂଶ ଅଟେ। କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତିରେ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ରେଶମଲାଲ ନାଏକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସୁଧାଂଶୁ ଶେଖର ମିଶ୍ର, ଜିଲ୍ଲା ବିଜ୍ଞାନ ନୀରିକ୍ଷକ ଶ୍ରୀ ଗିରିଧାରୀ ସା, ସମସ୍ତ ଗୋଷ୍ଠି ଶିକ୍ଷାଧିକାରୀ,ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ତଥା ବିଷୟଭିତ୍ତିକ ସାଧନ କର୍ମୀ ପ୍ରମୁଖ ସକ୍ରିୟ ଭୂମିକା ଅଂଶଗ୍ରହଣ କରିଥିଲେ।ଏହାର ଶତ ପ୍ରତିଶତ ସଫଳତା ଆଶା କରିବା ସହିତ ଜିଲ୍ଲାପାଳ ମଧୁସୂଦନ ଦାସ କହିଛନ୍ତି ଯେ, “ସମ୍ଭାବନା ୨୦୨୬” ହେଉଛି ନୂଆପଡା ଜିଲ୍ଲାର ଶିକ୍ଷାରେ ଏକ ନୂତନ ମାର୍ଗଦର୍ଶନ — ଯାହା ମାଧ୍ୟମରେ ଆମ ଛାତ୍ରଛାତ୍ରୀ ନିଜ ଅନ୍ତର୍ନିହିତ ଶକ୍ତିକୁ ଚିହ୍ନି ନିଜେ ଉନ୍ନତି ମାର୍ଗ ରେ ଆଗେଇ ଯିବେ।”
ନୂଆପଡା ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ “ସମ୍ଭାବନା ୨୦୨୬” —
ଜିଲ୍ଲାପାଳ ମଧୁସୂଦନ ଦାସ କହିଛନ୍ତି ଯେ, “ସମ୍ଭାବନା ୨୦୨୬” ହେଉଛି ନୂଆପଡା ଜିଲ୍ଲାର ଶିକ୍ଷାରେ ଏକ ନୂତନ ମାର୍ଗଦର୍ଶନ — ଯାହା ମାଧ୍ୟମରେ ଆମ ଛାତ୍ରଛାତ୍ରୀ ନିଜ ଅନ୍ତର୍ନିହିତ ଶକ୍ତିକୁ ଚିହ୍ନି ନିଜେ ଉନ୍ନତି ମାର୍ଗ ରେ ଆଗେଇ ଯିବେ।”
36