ବ୍ଲକ ଏବଂ ପଞ୍ଚାୟତର ପ୍ରତି ମାସର ଅନୁଦାନ, ଆୟ ଏବଂ ବ୍ୟୟର ହିସାବ ନୋଟିସ ବୋର୍ଡ ରେ ଲାଗିବ- ଜିଲ୍ଲାପାଳ । ନୂଆପଡ଼ା- ୨୧/୬(ଏମ.ଇ) ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ କାର୍ଯ୍ଯକ୍ରମର ଏକ ସମୀକ୍ଷା ବୈଠକ ଜିଲ୍ଲା ମୁଖ୍ଯ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପଂଚାୟତ ଅଧିକାରୀ ଲଛମନ ଓରାମ ଓ ଜିଲ୍ଲାର ସମସ୍ତ ଗ୍ରାମ ପଂଚାୟତ ଉନ୍ନୟନ ଅଧିକାରୀ ଅଂଶ ଗ୍ରହଣ କରିଥିଲେ । ଶ୍ରୀ ଓରାମ ସମସ୍ତ ପଂଚାୟତର ଆୟ ବ୍ୟୟ ହିସାବ ବୈଠକ ସମ୍ମୁଖରେ ରଖିଥିଲେ । ସମୀକ୍ଷାରୁ ଜଣାଗଲାଯେ ଜିଲ୍ଲାର 131 ଟି ପଂଚାୟତ ଏହି 20 ଜୁନ୍ ସୁଦ୍ଧା ପଞ୍ଚମ ରାଜ୍ୟ ଅର୍ଥ କମିଶନରୁ 3,19,52, 000 ଟଙ୍କା ଅନୁଦାନ ପାଇଛନ୍ତି ଏବଂ 1,21,58000 ଟଙ୍କା ଖର୍ଚ କରିଛନ୍ତି । କେନ୍ଦ୍ରିୟ ଅନୁଦାନରୁ 21,94,40000 ଟଙ୍କା ପାଇଥିଲାବେଳେ 9,70,86000 ଟଙ୍କା ଖର୍ଚ ହୋଇଛି । ପଞ୍ଚ।ୟତ ମାନଙ୍କ 1182 ଟି ବନ୍ଧ ପୋଖରି ନିଲାମରୁ 67,49,000 ଟଙ୍କା 44 ଟି ସାପ୍ତାହିକ ବଜାର ନିଲାମରୁ 12,57,000 ଟଙ୍କା ଏବଂ 555 ଟି ମାର୍କେଟ କମ୍ପ୍ଲେକ୍ସ ରୁ ଛ ଲକ୍ଷ ଟଙ୍କା ଆୟ ହୋଇଛି । ସେହିପରି 13 ଟି ଗ୍ରାମ୍ୟ ବଗିଚା ନିଲାମରୁ 6,54,000 ଟଙ୍କା ଏବଂ 94 ଟି ଜାଗିରି ଜମି ନିଲାମରୁ 2,02,000 ଟଙ୍କା ଆୟ ହୋଇଛି । ଜିଲ୍ଲାପାଳ ସମସ୍ତଙ୍କୁ ସମ୍ବୋଧନ କରି କହିଲେଯେ ବିଡିଓ ,ଡି ପି ଓ ଓ ଜିପି ଡିଓ ମାନେ ନିୟମିତ ବ୍ୟବଧାନରେ ସମସ୍ତ ପଂଚାୟତ ନିରୀକ୍ଷଣ କରିବା ପାଇଁ ଯିବେ । କେଶ୍ ବୁକ ଚେକ୍ କରିବେ l ମାସ ଆରମ୍ଭ ଏକ ତାରିଖରେ ଗତ ମାସର ଅନୁଦାନ ଆୟ ଏବଂ ବ୍ୟୟର ହିସାବ ସମସ୍ତ ବ୍ଲକ ଏବଂ ପଂଚାୟତର ନୋଟିସ ବୋର୍ଡରେ ଟଙ୍ଗା ଯିବ । ପୂର୍ବ ମାସ ସଭାର ବିବରଣୀ ସେଠାରେ ପାଠ କରାଯିବ । ଏହି ସମୟରେ କି କି ଉନ୍ନତିମୂଳକ କାର୍ଯ୍ୟ ହୋଇଛି ସେଠାରେ ସୂଚନା ଦିଆଯିବ lପ୍ରତି ବୁଧବାର ଦିନ ସମସ୍ତ ପଞ୍ଚାୟତରେ ରୋଜଗାର ଦିବସ ସହିତ ସ୍ବଚ୍ଛତା ଦିବସ ମଧ୍ୟ ପାଳନ ହେବ । ପଂଚାୟତର ସମସ୍ତ ଜବର ଦଖଲ ଜମି ତହସିଲଦାର ମାନଙ୍କ ସହାୟତାରେ ମୁକ୍ତ କରାଯିବ । ଜନ ପ୍ରତିନିଧି ମାନଙ୍କ ସହଯୋଗରେ ପଞ୍ଚାୟତ ମାନଙ୍କୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜିଲ୍ଲାପାଳ ଆହ୍ଵାନ ଦେଇଛନ୍ତି ।
ବ୍ଲକ ଏବଂ ପଞ୍ଚାୟତର ପ୍ରତି ମାସର ଅନୁଦାନ, ଆୟ ଏବଂ ବ୍ୟୟର ହିସାବ ନୋଟିସ ବୋର୍ଡ ରେ ଲାଗିବ- ଜିଲ୍ଲାପାଳ
240