
ଜିଲ୍ଲାକୁ ପ୍ଲାଷ୍ଟିକ ମୁକ୍ତ କରିବା ସହିତ ବ୍ୟାପକ ବୃକ୍ଷ ରୋପଣ କରାଯିବ- ଜିଲ୍ଲାପାଳ ନୂଆପଡ଼ା -୨୫/୬(ଏମ.ଇ)
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦ୍ଭାବନା ସଭା ଗୃହରେ ଜିଲ୍ଲା ଉନ୍ନୟନ ସମିତି ବୈଠକ ସହିତ ଗ୍ରାମୋଦୟ ସଭା ଅନୁଷ୍ଠିତ ହୋଇ ଯାଇଅଛି l ଜିଲ୍ଲାର ସମସ୍ତ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ପୂର୍ବକ ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ
ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରତି ମାସ ଏହି ବୈଠକ ଅନୁଷ୍ଠିତ ହେଉଛି lସଭାରେ ବନଖଣ୍ଡ ଅଧିକାରୀ ଖରୀଆର ଅଜିଜ ଖାନ୍, ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ମନୋଜ କୁମାର ସାହୁଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର, ସମସ୍ତ ଅଧିକ୍ଷଣ ଯନ୍ତ୍ରୀ,ନିର୍ବାହୀ ଯନ୍ତ୍ରୀ ଏବଂ ଲାଇନ୍ ବିଭାଗ ଅଧିକାରୀମାନେ ଯୋଗଦେଇଥିଲେ l ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ବାଗତ କରି ଜିଲ୍ଲାର ଦୃତ ଉନ୍ନତି ପାଇଁ ସମସ୍ତେ ସଂକଳ୍ପବଦ୍ଧ ହେବା ବୋଲି କହିଥିଲେ l ଉପ ନିର୍ଦ୍ଦେଶକ ପ୍ଲାନିଂ , ପରିମଳ ସାମଲ ବିଗତ ମାସର ବୈଠକର ବିବରଣୀ ଓ ଏହା ଉପରେ ବିଭିନ୍ନ ବିଭାଗ ନେଇଥିବା ପଦକ୍ଷେପ ଗୃହରେ ପଠନ କରିଥିଲେ। ଏହାର ପ୍ରତି ବିନ୍ଦୁ ଉପରେ ବିଶଦ ଆଲୋଚନା ପର୍ଯ୍ୟାଲୋଚନା ହୋଇଥଲା l ବିଗତ ମାସରେ ଉନ୍ନୟନ କାମରେ ଯେଉଁ ସବୁ ବାଧା ରହିଥିଲା ସେସବୁର କେତେ ସମାଧାନ ହେଇଛି ଏବଂ ପ୍ରତି ବିଭାଗର କିପରି ଅଗ୍ରଗତି ହୋଇଛି ଜିଲ୍ଲାପାଳ ଜାଣିବାକୁ ଚାହିଁଥିଲେ l ଅନ୍ତ ବିଭାଗୀୟ ବିସଂଗତି ଉପରେ ଆଲୋଚନା କରି ସେସବୁର ସମାଧାନର ରାସ୍ତା ବାହାର କରାଗଲା l ବୈଠକରେ ଜଳସେଚନ ,ପଞ୍ଚାୟତି ରାଜ, ରାଜସ୍ୱ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ , ରାସ୍ତା ଓ ଗୃହନିର୍ମାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ,ଉଠା ଜଳସେଚନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ , ପ୍ରାଣୀ ସମ୍ପଦ, ପରିବହନ ,ଶିକ୍ଷା,ସ୍ୱାସ୍ଥ୍ୟ,ଜଙ୍ଗଲ ,ଖଣି,ଟୁରିଜମ ଇତ୍ୟାଦି ସମସ୍ତ ବିଭାଗର କାର୍ଯ୍ୟ ଉପରେ ସମୀକ୍ଷା ହୋଇଥିଲା l ଜିଲ୍ଲାପାଳ କହିଲେଯେ ନୂଆପଡ଼ା ଜିଲ୍ଲାରେ କୃଷି ଏବଂ ଆନୁସାଙ୍ଗୀକ ବିଭାଗର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି l ଏହାର ସୁବିନିଯୋଗ କରି ଆମେ ଜିଲ୍ଲାକୁ ପ୍ରବାସୀ ଶ୍ରମିକ ମୁକ୍ତ କରି ପାରିବା l ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ପତୋରା ଡ୍ୟାମ୍ ର ଉନ୍ନତିକରଣ ପାଇଁ ୧.୨ କୋଟି , ତିଖାଲି ଡ୍ୟାମ୍ ରେ ବୋଟିଂ ଓ ପିକ୍ନିକ୍ ଉନ୍ନତ ସୁବିଧା ପାଇଁ ୬୬ ଲକ୍ଷ, ଗୋଧସ୍ ଜଳ ପ୍ରପାତ ପାଇଁ ୬୧.୨୦ ଲକ୍ଷ, ବୁଦ୍ଧି କୋମନା ପାଇଁ ୭୮ ଲକ୍ଷ ଏବଂ ପାତାଳ ଗଙ୍ଗା ଉନ୍ନତି ପାଇଁ ୧.୦୪ କୋଟି ଟଙ୍କା ଅନୁଦାନ ଆସିଛି l ଏସବୁ ସ୍ଥାନକୁ ଗମନା ଗମନ ସୁବିଧା କରାଯିବ l ସମସ୍ତ ଟୁରିଷ୍ଟ ସ୍ଥାନ ସଫା ସୁତରା ରହିବା ସହିତ ପ୍ଲାଷ୍ଟିକ ଓ ଜରି ମୁକ୍ତ ହେବ l ଏଥର ଖରିଫ୍ ଋତୁରେ ବର୍ଷା ସତ୍ତ୍ୱେ ଚାଷୀ ମାନଙ୍କ ଠାରୁ ଧାନ କିଣା ଠିକ୍ ହିସାବରେ ଚାଲିଛି l ଏହା ସହିତ ଅପର ଜୋଙ୍କ ଜଳ ଭଣ୍ଡାରର କ୍ଷମତା ବୃଦ୍ଧି କରିବା ନିମିତ୍ତ ୧୪୨ ହେକ୍ଟର ଜଙ୍ଗଲ ଜମି ଅଧିଗ୍ରହଣ କରାଯିବ l ଜିଲ୍ଳାରେ ନୂତନ ୭ ଟି ମେଗା ଉଠାଜଳସେଚନ ପ୍ରକଳ୍ପ ଦ୍ୱାରା ୮୮୦୦ ହେକ୍ଟର ଜମି ଜଳସେଚିତ ହେବ l ନୂଆପଡ଼ା ସହର ଭେରା ନିକଟରେ ୨୫ ଏକର ଜମିରେ ନୂତନ ବିଦ୍ୟୁତ ଗ୍ରୀଡ ପ୍ରତିଷ୍ଠା ହେବl ୧୪ କୋଟି ଟଙ୍କା ବ୍ୟୟ ଅଟକଳ ରେ ଜିଲ୍ଳା ସଂସ୍କୃତି ଭବନ ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ l ତହସିଲଦାର ମାନଙ୍କ ଦ୍ୱାରା ବିଭିନ୍ନ ଶିକ୍ଷାନୁଷ୍ଠାନ ,ଚିକିତ୍ସାଳୟ , ପ୍ରାଣୀ ଚିକିତ୍ସାଳୟ, ଅଙ୍ଗନବାଡି କେନ୍ଦ୍ର ମାନଙ୍କୁ ଜମି ପଟ୍ଟା ଯୋଗାଇ ଦେବା ସହିତ ସେମାନଙ୍କର ନୂତନ କୋଠା ନିର୍ମାଣ ଇତ୍ୟାଦି ବିଷୟ ଉପରେ ବିଶଦ ଆଲୋଚନା ହୋଇଥଲା l ଜିଲ୍ଲାରେ ନିର୍ମାଣାଧୀନ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କ କାର୍ଯ୍ୟ ସମାପ୍ତ କରି ଏସବୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ରକ୍ତଦାନ ପାଇଁ ଏବଂ ରେଡ୍ କ୍ରସ୍ ପାଣ୍ଠି ବୃଦ୍ଧି ପାଇଁ ବିହିତ ପଦକ୍ଷେପ ନେବେ lବିଭିନ୍ନ ଉନ୍ନୟନ ଏବଂ କାର୍ଯ୍ଯନିର୍ବାହି ସଂସ୍ଥା ସେମାନଙ୍କ ସମସ୍ତ ଉନ୍ନତି ମୂଳକ କାମ ଠିକ୍ ସମୟରେ ସାରି ସାତ ଦିନ ମଧ୍ୟରେ ଉପଯୋଗ ପ୍ରମାଣପତ୍ର ଦେବା ପାଇଁ ଜିଲ୍ଲାପାଳ ତାଗିଦ୍ କରିଥିଲେ l ଗ୍ରାମୋଦୟ ସଭାରେ ବନଖଣ୍ଡ ଅଧିକାରୀ ଏବଂ ଜିଲ୍ଳା ଉନ୍ନୟନ ଅଧିକାରୀ ବନାଞ୍ଚଳରେ ରାସ୍ତା ଘାଟର ଉନ୍ନତି ସହିତ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଜନସାଧାରଣଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଆବାସ ଗୃହ, ପରିବହନ, ଯୋଗାଯୋଗ, ଆଧାର ଇତ୍ୟାଦି ସମସ୍ତ ସୁବିଧା ସୁଯୋଗ ତୁରନ୍ତ ଯୋଗାଇ ଦେବା ଉପରେ ଗୁରୁତ୍ଵ ଦେଇଥିଲେ ।ସୂଚନାଯୋଗ୍ୟ ଯେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏହି ମାସିକ ଉନ୍ନୟନ ସମିତି ବୈଠକ ପ୍ରତି ମାସ ଅନୁଷ୍ଠିତ ହେଉଛି l ଏହା ଦ୍ବାରା ସମସ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା ପୂର୍ବକ କାମ ହୋଇ ପାରୁଛି। ଜିଲ୍ଲାର ପ୍ରଗତି ପଥରେ ଆସୁଥିବା ବାଧା ବନ୍ଧନର ତ୍ୱରିତ ସମାଧାନ ହୋଇ ପାରୁଛି । ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉତ୍ସର୍ଗୀକୃତ ମନୋଭାବ ନେଇ ନିଜ ନିଜ ବିଭାଗର କାମ ଠିକ୍ ଭାବରେ କରି ଜିଲ୍ଲାକୁ ପ୍ରଗତି ପଥରେ ଆଗେଇ ନେବା ପାଇଁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି l

ଜିଲ୍ଲାକୁ ପ୍ଲାଷ୍ଟିକ ମୁକ୍ତ କରିବା ସହିତ ବ୍ୟାପକ ବୃକ୍ଷ ରୋପଣ କରାଯିବ- ଜିଲ୍ଲାପାଳ
163