Home ରାଜ୍ୟନୂଆପଡ଼ାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ।

ନୂଆପଡ଼ାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ।

"ସତ୍ୟ, ଅହିଂସା, ସ୍ୱଚ୍ଛତା ଓ ଦେଶପ୍ରେମର ଆଦର୍ଶକୁ ଆପଣାଇବାକୁ ଆହ୍ୱାନ"

by Maraguda Express
0 comments

Table of Contents

ନୂଆପଡ଼ା -୦୩/୧୦-ନୂଆପଡ଼ା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ଏବଂ ଭାରତରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ୧୨୨ତମ ଜୟନ୍ତୀ ସ୍ଥାନୀୟ ଗାନ୍ଧୀ ପ୍ରମୋଦ ଉଦ୍ୟାନ ପରିସରରେ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି।ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜୟନ୍ତୀ ସମାରୋହରେ ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ଜିଲ୍ଲା ପରିଷଦ ସଦସ୍ୟ ମଲ୍ୟବନ୍ତ ସୁନା, ଭାନୁ ପ୍ରତାପ ସିଂହ ମାଝୀ, ମୁରଲୀଧର ଭୋଇ ଓ ଅବନୀ ରଞ୍ଜନ ଯୋଶୀଙ୍କ ସମେତ ବକ୍ତା ପ୍ରବୋଧ ହୋତା, ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି, ବିଶିଷ୍ଟ ବ୍ୟକ୍ତିବିଶେଷ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ।ଏହି ଅବସରରେ ଅତିଥିମାନେ ଗାନ୍ଧୀ ପ୍ରମୋଦ ଉଦ୍ୟାନ ପରିସରରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ସତ୍ୟ, ଅହିଂସା, ସ୍ୱଚ୍ଛତା ଓ ମାନବିକତାର ଆଦର୍ଶ ସହ ଲାଲବାହାଦୁର ଶାସ୍ତ୍ରୀଙ୍କ ସରଳତା, ନିଷ୍ଠା, ଶୃଙ୍ଖଳା, ଜାତିପ୍ରୀତି ଓ ଦେଶପ୍ରେମକୁ ସ୍ମରଣ କରାଯାଇଥିଲା।
ସମାରୋହରେ ଉଦ୍‌ବୋଧନ ଦେଇ ଜିଲ୍ଲାପାଳ ଶ୍ରୀ ଦାଶ କହିଥିଲେ ଯେ, ଗାନ୍ଧୀଜୀଙ୍କ ବିଚାର ଓ ଆଦର୍ଶ ଆଜି ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ। ଗାନ୍ଧୀବାଦକୁ ଆପଣାଇବା ସହ ତାଙ୍କ ଆଦର୍ଶକୁ ନିଜ ଜୀବନରେ ପ୍ରୟୋଗ କରିବା ହିଁ ଗାନ୍ଧୀଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ବୋଲି ସେ ମତବ୍ୟକ୍ତ କରିଥିଲେ। ସତ୍ୟ, ଅହିଂସା, ସ୍ୱଚ୍ଛତା, ସରଳ ଜୀବନଯାପନ ଓ ମାନବିକ ମୂଲ୍ୟବୋଧକୁ ଜୀବନରେ ଧାରଣ କରି ସମାଜରେ ଶାନ୍ତି, ସଦ୍‌ଭାବନା ଓ ଭାଇଚାରା ପ୍ରତିଷ୍ଠା ପାଇଁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ। ଏଥିସହ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୀବନରୁ ଜାତିପ୍ରୀତି, ଦେଶପ୍ରେମ, ନିଷ୍ଠା ଓ କର୍ତ୍ତବ୍ୟପରାୟଣତାର ଶିକ୍ଷା ଗ୍ରହଣ କରିବାକୁ ସେ କହିଥିଲେ।
                             ସମାରୋହରେ ଉପସ୍ଥିତ ବକ୍ତାମାନେ ଗାନ୍ଧୀଜୀଙ୍କ ଜୀବନ, ସଂଘର୍ଷ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ସତ୍ୟ ଓ ଅହିଂସାର ମାର୍ଗ ଅନୁସରଣ କରି ସମାଜରେ ଶାନ୍ତି, ସଦ୍‌ଭାବନା ଓ ମାନବିକତା ପ୍ରତିଷ୍ଠା ପାଇଁ ସେମାନେ ଆହ୍ୱାନ ଦେଇଥିଲେ। ସେହିପରି ଶାସ୍ତ୍ରୀଜୀଙ୍କ ଜାତିପ୍ରୀତି, ଦେଶପ୍ରେମ ଓ ଦେଶ ଗଠନରେ ତାଙ୍କ ଅବଦାନ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।

🌱 ବୃକ୍ଷରୋପଣରେ ପରିବେଶ ସୁରକ୍ଷାର ବାର୍ତ୍ତା

ଜୟନ୍ତୀ ସମାରୋହ ଅବସରରେ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅତିଥିମାନେ ନିଜେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଓ ପ୍ରକୃତି ପ୍ରତି ଦାୟିତ୍ୱବୋଧର ବାର୍ତ୍ତା ଦେଇଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼େଇ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସମ୍ବଳ ସଂଯୋଜକ ଅନୀଲ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ଓ ବିଭାଗୀୟ କର୍ମଚାରୀମାନେ ସମଗ୍ର କାର୍ଯ୍ୟକ୍ରମର ସୁଚାରୁ ଓ ସଫଳ ଆୟୋଜନରେ ସହଯୋଗ କରିଥିଲେ।

ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସାର ଆଦର୍ଶ ସହ ଶାସ୍ତ୍ରୀଜୀଙ୍କ ନିଷ୍ଠା ଓ ଦେଶପ୍ରେମର ବାର୍ତ୍ତା ନୂଆପଡ଼ାରେ ଜୟନ୍ତୀ ପାଳନକୁ କରିଥିଲା ଅର୍ଥପୂର୍ଣ୍ଣ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha