ନୂଆପଡା -୨୫/୧୦(ସୁରେନ୍ଦ୍ର ତିୱାରୀ) ନୂଆପଡା ଉପ-ନିର୍ବାଚନ ପାଇଁ ପ୍ରସ୍ତୁତିର ଏକ ଅଂଶ ସ୍ୱରୂପ, ନୂଆପଡା ଜିଲ୍ଲାର ସେକ୍ଟର ଅଧିକାରୀ ଏବଂ ଜିଲ୍ଲା ସ୍ତରୀୟ ଏବଂ ବିଧାନସଭା ସ୍ତରୀୟ ମାଷ୍ଟର ଟ୍ରେନର ମାନଙ୍କ ପାଇଁ ଆଜି ପ୍ରିଜାଇଡିଂ ଅଫିସର୍ ପିଆରଓ ମଡ୍ୟୁଲ୍ ଉପରେ ଏକ ତାଲିମ ଅଧିବେଶନ ଅନୁଷ୍ଠିତ ହୋଇଥିଲା l ତାଲିମପ୍ରାପ୍ତ ଅଧିକାରୀମାନେ ଆଗାମୀ ଦ୍ୱିତୀୟ ପର୍ଯ୍ୟାୟ ତାଲିମରେ ପ୍ରିଜାଇଡିଂ ଅଧିକାରୀମାନଙ୍କୁ ଏସବୁ ବିଷୟରେ ତାଲିମ ପ୍ରଦାନ କରିବେ।ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମଧୁସୂଦନ ଦାଶ ଏହି ଅଧିବେଶନର ଅଂଶଗ୍ରହଣକାରୀ ଅଧିକାରୀ ମାନଙ୍କୁ ସମ୍ବୋଧିତ କରି ସୁଗମ ଏବଂ ସ୍ୱଚ୍ଛ ନିର୍ବାଚନ ପରିଚାଳନାର ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ବିଭିନ୍ନ ବ୍ୟବହାରିକ ସମସ୍ୟା ଉପରେ ଆଲୋଚନା କରିଥିଲେ ଏବଂ ନିର୍ବାଚନ ପ୍ରକ୍ରିୟା ସମ୍ପର୍କରେ ସେମାନଙ୍କର ପ୍ରଶ୍ନର ସ୍ପଷ୍ଟୀକରଣ ଦେଇଥିଲେ। ବୈଷୟିକ ଅଧିବେଶନରେ ଏନଆଇସି ଡିଆଇଓ ବିନୟ ତିୱାରୀ ECINET PRO App ବିଷୟରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ l ପିଆରଓ ମଡ୍ୟୁଲର ବିଭିନ୍ନ ବୈଶିଷ୍ଟ୍ୟ ଏବଂ କାର୍ଯ୍ୟକାରିତା ଉପରେ ବିସ୍ତୃତ ମାର୍ଗଦର୍ଶନ ଏବଂ ବ୍ୟବହାରିକ ତାଲିମ୍ ପ୍ରଦାନ କରିଥିଲେ। ସମସ୍ତ ପ୍ରିଜାଇଡିଂ ଅଫିସର୍
ମତଦାନର ଗୋଟିଏ ଦିନ ପୂର୍ବରୁ ECINET ଆପ୍ ରେ ଲଗ୍ ଇନ୍ କରି ସେମାନଙ୍କ ପୋଲିଂ ଷ୍ଟେସନ୍ ବିବରଣୀ ଯାଞ୍ଚ କରିବେ l
ପୋଲିଂ ଷ୍ଟେସନ୍ରେ ପହଞ୍ଚିବା ପରେ ପୋଲ୍ ପାର୍ଟିର ଆଗମନ ସ୍ଥିତି (Arrival status) ମାର୍କ କରିବେ।ଆପ୍ରେ ପୋଲିଂ ଏଜେଣ୍ଟଙ୍କ ସଂଖ୍ୟା ଏବଂ ମକ୍ ପୋଲ୍ ସମାପ୍ତି ଅପଡେଟ୍ କରିବେ l ସକାଳ ୯ଟା, ୧୧ଟା, ଅପରାହ୍ନ ୧ଟା, ୩ଟା, ଏବଂ ୫ ଟା ସମୟରେ ପ୍ରତି ଦୁଇ ଘଣ୍ଟାରେ ଥରେ ମତଦାନର ସ୍ଥିତି ତଥ୍ୟ ଦେବେ।ପୋଲିଂ ଷ୍ଟେସନ୍ ଛାଡିବା ପୂର୍ବରୁ ଫର୍ମ ୧୭-C ଅନୁଯାୟୀ ମତଦାନ ସମାପ୍ତି ତଥ୍ୟ ଦେବେ l ମୋବାଇଲ୍ ବ୍ୟାଟେରୀ ଶେଷ ନ ହେବା ପାଇଁ ଏବଂ ଆପ୍ କାମ ଜାରୀ ରଖିବା ନିମନ୍ତେ ଏକ ପାୱାର୍ ବ୍ୟାଙ୍କ୍ ନିଜ ସହିତ ରଖିବେ l ସିଷ୍ଟମରେ ସମସ୍ତ ତଥ୍ୟ ସଫଳତାର ସହ ଅପଡେଟ୍ ହେବା ପରେ ଆପ୍ ରୁ ଲଗ୍ ଆଉଟ୍ କରିବେ l ଏହାପରେ ନିର୍ବାଚନ କମିଶନ୍ ର ନିଯୁକ୍ତ ଯନ୍ତ୍ରୀ ଆଲବର୍ଟ ଆଶିର୍ବାଦ ପାତ୍ର ଓ ଡେପୁଟୀ କଲେକ୍ଟର ଶେଖ୍ ନସିମ୍ ଅଧିକାରୀ ମାନଙ୍କୁ ଇ ଭି ଏମ୍ ଓ ଭି ଭି ପାଟ ପରିଚାଳନା କରିବା ପାଇଁ ଭୋଟିଂ ମେସିନ୍ ରେ ପ୍ରାକ୍ଟିକାଲ୍ ଟ୍ରେନିଂ ଦେଇ ସେମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖିଥିଲେl ଏହି ବୈଠକରେ ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ପ୍ରଫୁଲ୍ଲ କୁଜୁର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ପ୍ରମୂଖ ଉପସ୍ଥିତ ଥିଲେ l ନିର୍ବାଚନ ପରିଚାଳନା ବ୍ୟବସ୍ଥାର ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନ ଏବଂ ତଦାରଖ ସୁନିଶ୍ଚିତ କରିବା କ୍ଷେତ୍ରରେ ସେକ୍ଟର ଅଧିକାରୀ ଏବଂ ମାଷ୍ଟର ଟ୍ରେନର ମାନଙ୍କ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ଥିବାରୁ ଜିଲ୍ଲାପାଳ ସେମାନଙ୍କୁ ଅତ୍ୟନ୍ତ ସାବଧାନତାର ସହ ଦାୟୀତ୍ଵ ନିର୍ବାହ କରିବା ପାଇଁ ଆହ୍ବାନ ଦେଇଥିଲେ।