39
ନୂଆପଡ଼ା -୩୦/୦୯- ନ୍ୟାସନାଲ ମହାବିଦ୍ୟାଳୟର ହିନ୍ଦୀ ବିଭାଗ ପକ୍ଷରୁ ହିନ୍ଦୀ ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ହିତେଶ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ କବୟିତ୍ରୀ ପ୍ରମିଳା ଶର୍ମା, ବୈଜୟନ୍ତୀ ଚନ୍ଦ୍ରକାର, ବିଭିନ୍ନ ବିଭାଗର ଅଧ୍ୟାପକ-ଅଧ୍ୟାପିକା ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇଥିଲେ।
କାର୍ଯ୍ୟକ୍ରମରେ ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପିକା ମମତା ପଟ୍ଟନାୟକ ବିଭିନ୍ନ ହିନ୍ଦୀ କବିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଥିଲେ। କବୟିତ୍ରୀ ପ୍ରମିଳା ଶର୍ମା ନିଜ ରଚିତ ‘ମେଁ କୌନ ହୁଁ’ କବିତା ସଂଗ୍ରହରୁ କିଛି କବିତା ପାଠ କରି ଉପସ୍ଥିତ ଶ୍ରୋତାଙ୍କୁ ମୁଗ୍ଧ କରିଥିଲେ। ନିଜ ଅଭିଭାଷଣରେ ପ୍ରମିଳା ଶର୍ମା ହିନ୍ଦୀ ଭାଷାର ପ୍ରଚାର-ପ୍ରସାର, ଭାଷାକୁ ଅଧିକ ସମୃଦ୍ଧ କରିବା ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ହିନ୍ଦୀର ବ୍ୟବହାର ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ହିନ୍ଦୀ ଭାଷାକୁ ଅଧିକ ବ୍ୟାପକ ଓ ପ୍ରଭାବଶାଳୀ କରିବା ଦିଗରେ ସମସ୍ତଙ୍କ ସକ୍ରିୟ ଭୂମିକା ରହିବା ଆବଶ୍ୟକ ବୋଲି ମତ ରଖିଥିଲେ।
ଏହି ଅବସରରେ କବୟିତ୍ରୀ ବୈଜୟନ୍ତୀ ଚନ୍ଦ୍ରକାର ମଧ୍ୟ ନିଜ ଅଭିଭାଷଣରେ ହିନ୍ଦୀ ଭାଷାର ପ୍ରଚାର-ପ୍ରସାର ଓ ଏହାକୁ ଅଧିକ ଲୋକପ୍ରିୟ କରିବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ହିନ୍ଦୀ ବିଭାଗର ପ୍ରାଧ୍ୟାପକ ବିଶ୍ୱଜିତ କଲତା ସଭାର ସଂଯୋଜନା କରିବା ସହିତ ହିନ୍ଦୀ ଭାଷାର ବର୍ତ୍ତମାନ ସ୍ଥିତି ଓ ଭବିଷ୍ୟତ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଅଧ୍ୟକ୍ଷ ହିତେଶ କୁମାର ସାହୁ ଛାତ୍ରଛାତ୍ରୀଙ୍କୁ ହିନ୍ଦୀ ଭାଷାର ପ୍ରଚାର-ପ୍ରସାର ଓ ବିକାଶ ଦିଗରେ ଆଗେଇ ଆସିବାକୁ ଆହ୍ୱାନ ଜଣାଇଥିଲେ।
ହିନ୍ଦୀ ବିଭାଗର ଅଧ୍ୟକ୍ଷ ଜଗନ୍ନାଥ ମେହେର ନିଜ ଅଭିଭାଷଣରେ ହିନ୍ଦୀ ଭାଷାର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଗତ ଶତାବ୍ଦୀରେ ହିନ୍ଦୀର ସ୍ଥିତି, ବର୍ତ୍ତମାନ ସମୟରେ ଏହାର ପ୍ରଭାବ ଏବଂ ଆଗାମୀ ଦିନରେ ଏହାର ସମ୍ଭାବନା ସମ୍ପର୍କରେ ସେ ମତ ରଖିଥିଲେ। ମନୋରଞ୍ଜନ, ସାହିତ୍ୟ ଓ AI ଯୋଗାଯୋଗ କ୍ଷେତ୍ରରେ ହିନ୍ଦୀକୁ ଆହୁରି ପ୍ରଭାବଶାଳୀ ଭାଷା ଭାବେ ଆଗକୁ ନେବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ସେ କହିଥିଲେ। ଶେଷରେ ସେ ଧନ୍ୟବାଦ ଅର୍ପଣ କରିଥିଲେ। ସଭାରେ ପ୍ରାଧ୍ୟାପକ କପିଲଦେବ ପାଣିଗ୍ରାହୀ, ରଞ୍ଜିତ୍ ନାୟକ, ଶୁକଦେବ ଭିଲ ଏବଂ ପ୍ରାଧ୍ୟାପିକା ନମ୍ରତା ତ୍ରିପାଠୀଙ୍କ ସମେତ ଅନ୍ୟାନ୍ୟ ଅଧ୍ୟାପକ-ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।