16
Table of Contents
ନୂଆପଡ଼ା -୩୦/୦୯- ବିପର୍ଯ୍ୟୟ ସମୟରେ ସତର୍କତା, ତ୍ୱରିତ ପଦକ୍ଷେପ ଓ ଜୀବନ ରକ୍ଷା କୌଶଳ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବୋଡ଼େନସ୍ଥିତ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିପର୍ଯ୍ୟୟ ମୁକାବିଲା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ, ନୂଆପଡ଼ା, ପଞ୍ଚାୟତ ସମିତି, ବୋଡ଼େନ ଏବଂ ଏନ୍ଡିଆର୍ଏଫ୍, କଟକର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାରେ ବିଭିନ୍ନ ପ୍ରାକୃତିକ ଓ ମାନବସୃଷ୍ଟ ବିପର୍ଯ୍ୟୟ ସମୟରେ କିପରି ନିଜକୁ ସୁରକ୍ଷିତ ରଖିବା ସହ ଆବଶ୍ୟକ ସମୟରେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇପାରିବ, ସେନେଇ ପ୍ରାୟୋଗିକ ତଥ୍ୟ ଓ ପ୍ରଶିକ୍ଷଣ ଦିଆଯାଇଥିଲା।
ବିଦ୍ୟାଳୟର ଅଧ୍ୟକ୍ଷ ଗୟାଧର ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏନ୍ଡିଆର୍ଏଫ୍ ଇନ୍ସପେକ୍ଟର ପ୍ରିୟରଞ୍ଜନ ମହାନ୍ତି ବନ୍ୟା, ବାତ୍ୟା, ଭୂମିକମ୍ପ, ସର୍ପାଘାତ, ଅଗ୍ନିକାଣ୍ଡ ଓ ବଜ୍ରପାତ ଭଳି ବିପର୍ଯ୍ୟୟ ସମୟରେ ଅବଲମ୍ବନ କରିବାକୁ ଥିବା ବିଭିନ୍ନ ସୁରକ୍ଷା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ।
କେବଳ ତାତ୍ତ୍ୱିକ ସୂଚନା ନୁହେଁ, ଛାତ୍ରଛାତ୍ରୀଙ୍କୁ ଆଶୁ ଚିକିତ୍ସା, ଉଦ୍ଧାର କାର୍ଯ୍ୟ ଏବଂ ବିପର୍ଯ୍ୟୟ ସମୟରେ ତ୍ୱରିତ ପ୍ରତିକାର ସମ୍ପର୍କରେ ବିଭିନ୍ନ ପ୍ରାୟୋଗିକ କୌଶଳର ପ୍ରଦର୍ଶନ ମଧ୍ୟ କରାଯାଇଥିଲା। ଏହା ଛାତ୍ରଛାତ୍ରୀଙ୍କୁ ଜରୁରୀ ପରିସ୍ଥିତିରେ ଧୈର୍ଯ୍ୟର ସହିତ ପଦକ୍ଷେପ ନେବାରେ ସହାୟକ ହେବ ବୋଲି କୁହାଯାଇଥିଲା।
କାର୍ଯ୍ୟକ୍ରମରେ ଏନ୍ଡିଆର୍ଏଫ୍ର ହାବିଲଦାର ମହମ୍ମଦ ଅର୍ଫାତ, କନଷ୍ଟେବଳ ବୈକୁଣ୍ଠ ରାଓ, ସନ୍ୟାସୀ ରାଓ ଓ କେ.ସି. ନାଏକ ସହଯୋଗ କରିଥିଲେ। ଅଧ୍ୟାପକ ସାମୁଏଲ ଦାନି, ଆକାଂକ୍ଷୀ ବ୍ଲକ ସହଯୋଗୀ ରାକେଶ କୁମାର ଷଡ଼ଙ୍ଗୀଙ୍କ ସମେତ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ କର୍ମଶାଳାରେ ଉପସ୍ଥିତ ରହି ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।