61
ନୂଆପଡ଼ା -୦୨/୧୦- ନୂଆପଡ଼ା ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଶିଶୁ ଶ୍ରମମୁକ୍ତ କରିବା ସହ ଜିଲ୍ଲାକୁ ସମ୍ପୂର୍ଣ୍ଣ ଶିଶୁ ଶ୍ରମମୁକ୍ତ ଜିଲ୍ଲାରେ ପରିଣତ କରିବା ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏହି ବୈଠକ ହୋଇଥିଲା।
ବୈଠକରେ ଗାନ୍ଧୀ ଜୟନ୍ତୀ ତଥା ସ୍ୱତନ୍ତ୍ର ଗ୍ରାମସଭା, ୦୨ ଅକ୍ଟୋବରରୁ ଶିଶୁ ଦିବସ, ୧୪ ନଭେମ୍ବର ପର୍ଯ୍ୟନ୍ତ ୪୪ ଦିନିଆ ଶିଶୁ ଶ୍ରମମୁକ୍ତ ଗ୍ରାମ ପଞ୍ଚାୟତ ଗଠନ ଅଭିଯାନକୁ ନୂଆପଡ଼ା ଜିଲ୍ଲାରେ ସଫଳ ଭାବେ କାର୍ଯ୍ୟକାରୀ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ପ୍ରାରମ୍ଭରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ରବୀନ୍ଦ୍ର ବାର୍ଲା ସମସ୍ତଙ୍କୁ ସ୍ୱାଗତ ଜଣାଇ ଅଭିଯାନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଏହି ଅଭିଯାନକୁ ଗୁରୁତ୍ୱର ସହ ନେଇ ପ୍ରତ୍ୟେକ ପଞ୍ଚାୟତକୁ ଶିଶୁ ଶ୍ରମମୁକ୍ତ କରିବା ଦିଗରେ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ। ପଞ୍ଚାୟତିରାଜ ଓ ପାନୀୟ ଜଳ, ମିଶନ ଶକ୍ତି, ବିଦ୍ୟାଳୟ ଓ ଗଣଶିକ୍ଷା, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ସମେତ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଅଭିଯାନକୁ ତୃଣମୂଳସ୍ତରରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବୈଠକରେ ଶିଶୁ ଶ୍ରମିକଙ୍କ ଚିହ୍ନଟ, ଉଦ୍ଧାର, ପୁନର୍ବାସ ଏବଂ ଶିକ୍ଷା ସହିତ ଯୋଡ଼ିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏଥିପାଇଁ ସମ୍ପୃକ୍ତ ସରକାରୀ ବିଭାଗ ସହ ସ୍ୱେଚ୍ଛାସେବୀ ସଂଗଠନଗୁଡ଼ିକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା। ଶିଶୁମାନଙ୍କୁ ଶ୍ରମରୁ ମୁକ୍ତ କରି ନିରାପଦ ପରିବେଶ, ଶିକ୍ଷା ଓ ସର୍ବାଙ୍ଗୀଣ ବିକାଶର ସୁଯୋଗ ଦେବା ଅଭିଯାନର ମୁଖ୍ୟ ଲକ୍ଷ୍ୟ ବୋଲି ଜିଲ୍ଲାପାଳ ଉଲ୍ଲେଖ କରିଥିଲେ।
ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନିତା ଦାଶ, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷା ବବିତା ମିଶ୍ରଙ୍କ ସମେତ ସମସ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ସହକାରୀ ଶ୍ରମ ଅଧିକାରୀ ଓ ଗ୍ରାମୀଣ ଶ୍ରମ ନିରୀକ୍ଷକଙ୍କ ସମେତ ଟାସ୍କ ଫୋର୍ସ କମିଟିର ସଦସ୍ୟ-ସଦସ୍ୟାମାନେ ଉପସ୍ଥିତ ଥିଲେ।