ନୂଆପଡ଼ା- (ସୁରେନ୍ଦ୍ର ତିୱାରୀ) ପଦୋନ୍ନତିରେ ପାତରଅନ୍ତର କରାଯାଉଥିବା ଅଭିଯୋଗ କରି ନୂଆପଡ଼ା ଜିଲାରେ କାର୍ଯ୍ୟରତ ବହୁମୁଖୀ ପୁରୁଷ ସ୍ବାସ୍ଥ୍ୟକର୍ମୀ ଗତ ଦୁଇଦିନ ରୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ଆଜି ସିଡିଏମଓ ଙ୍କ ସହ ଆଲୋଚନା ପରେ ଧାରଣାକୁ ସ୍ଥଗିତ ରଖା ଯାଇଛି। ବହୁମୁଖୀ ପୁରୁଷ ସ୍ଵାସ୍ଥ୍ୟ କର୍ମୀ ଙ୍କ ଅଭିଯୋଗକ୍ରମେ ୧୬ ବର୍ଷ ହେବ ଜିଲାରେ ୯୨ ଜଣ ବହୁମୁଖୀ ପୁରୁଷ ସ୍ବାସ୍ଥ୍ୟକର୍ମୀ ଭାବରେ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି। ହେଲେ ସରକାର ସେମାନଙ୍କୁ ଲେଭଲ -୨ ରୁ ଲେଭଲ-୧ କୁ ପଦୋନ୍ନତି ଦେବାରେ ଅଣଦେଖା କରୁଛନ୍ତି। ୨୧ ଡିସେମ୍ବର ୨୦୨୪ ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଚିଠି ସଂଖ୍ୟା-୩୫୦୦୨ ରେ ସମସ୍ତ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଅବଗତ କରାଯାଇଥିଲା।
ଏଥିରେ ଜାନୁଆରୀ ଶେଷ ସୁଦ୍ଧା ଡିପିସି ବୈଠକ କରି ସେମାନଙ୍କୁ ପଦୋନ୍ନତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗତ ୨୯ ଜୁଲାଇ ରେ ଡିପିସି ବୈଠକ ହୋଇଥିଲେ ମଧ୍ୟ ପଦୋନ୍ନତି ଉପରେ ଆଲୋଚନା ହୋଇ ନ ଥିବା ଜଣାପଡିଛି। ସୂଚନା ଯୋଗ୍ୟ ଯେ ରାଜ୍ୟର ୨୯ ଗୋଟି ଜିଲାରେ ସ୍ବାସ୍ଥ୍ୟ କର୍ମୀମାନେ ପଦୋନ୍ନତି ହୋଇ ସାରିଛନ୍ତି କିନ୍ତୁ ନୂଆପଡା ଜିଲାରେ ପ୍ରଶାସନିକ ଅଣଦେଖା ଓ ଅବହେଳା ପ୍ରଦର୍ଶନ ଯୋଗୁଁ ହୋଇ ପାରୁନାହିଁ। ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ (ସିଡ଼ିଏମଓ) ଆନ୍ଦୋଳନ ରତ ସ୍ୱାସ୍ଥ୍ୟ କର୍ମିଙ୍କ ସହ ଆଲୋଚନା କରି ସମୟ ମାଗିଛନ୍ତି। ଜୈନେକ ବହୁମୁଖୀ ପୁରୁଷ ସ୍ଵାସ୍ଥ୍ୟ କର୍ମୀ ଉଚ୍ଚ ନ୍ୟାୟାଳୟ ର ଆଶ୍ରୟ ନେଇ ତାଙ୍କ ପ୍ରତି ଅନ୍ୟାୟ ହୋଇଥିବା ନେଇ ଷ୍ଟେ କରିଥିବାରୁ ମାନ୍ୟବର ହାଇ କୋର୍ଟଙ୍କ ନିର୍ଦ୍ଧେଶ ପରେ ପଦୋନ୍ନତି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଧାରଣାରେ ଜିଲା ସଭାପତି ବିକାଶ କୁମାର ସିଂ,ସମ୍ପାଦକ ସୁନୀଳ କୁମାର ଅଗସ୍ତି, ରାଜ୍ୟ ସମ୍ପାଦକ ଶ୍ରୀନିବାସ ସାହୁ, ଉପ ସଭାପତି ଗୌରାଙ୍ଗ ଶବର, ମଳୟ ଖମାରୀ, ଅମିତ ସିଂ ଦେଓ, ଗିରିଧାରୀ ଲାଲ ଦେବାଙ୍ଗନ, ଜିତେଶ କୁମାର ପଣ୍ଡା, ସୌମ୍ୟ ରଞ୍ଜନ ପାଢ଼ୀ,ଝାଲି କୁମାର ମାଝି,ପ୍ରମୁଖ ଆଲୋଚନା ରେ ଉପସ୍ଥିତ ଥିଲେ।
ପଦୋନ୍ନତିରେ ପାତର ଅନ୍ତର : ବହୁମୁଖୀ ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କୁ ଅଣଦେଖା
"ସିଡ଼ିଏମଓ ଙ୍କ ସହ ଆଲୋଚନା ପରେ ଧାରଣା ସ୍ଥଗିତ"
56