109

ନୂଆପଡା -୮/୦୧(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ପୋଲିସ ପଡିଆ ଠାରେ ଦୁଇ ଦିନ ବ୍ୟାପୀ ଚାଲିଥିବା ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆଜି ଉଦଯାପିତ ହୋଇଯାଇଛି। ମେଳାର ଦ୍ୱିତୀୟ ଦିନରେ ମାନ୍ୟବର ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ ସମସ୍ତ ଚାଷୀଙ୍କୁ ଉଦବୋଧନ ଦେଇଥିଲେ ।
ସେ ଚାଷୀ ମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ଉଠେଇବାକୁ ପ୍ରେରଣା ଦେବା ସହିତ ସେମାନଙ୍କ ସମସ୍ୟାର ତ୍ଵରିତ ସମାଧାନ ପାଇଁ ଆଶ୍ଵାସନା ଦେଇଥିଲେ। ଏଥିସହିତ ସେ ଚାଷୀଙ୍କୁ ଧାନ ଫସଲ ବ୍ୟତୀତ ଅନ୍ୟାନ୍ୟ ଚାଷ କରିବାକୁ ଆହ୍ବାନ ଦେଇଥିଲେ। ସେହିଭଳି ଗୋପାଳକ ଚାଷୀଙ୍କୁ ଦୁଗ୍ଧ ଉତ୍ପାଦନ , ଦୁଗ୍ଧଜାତ ଦ୍ରବ୍ୟ ପ୍ରସ୍ତୁତି ଓ ରପ୍ତାନି , ଗୋବରକୁ ଶୁଖେଇ ତାର ରପ୍ତାନି କରିବାକୁ ଉପଦେଶ ଦେଇଥିଲେ।ସମ୍ମାନିତ ଅତିଥି ମାନଙ୍କ ଭାବରେ ଡ଼.ସୋନିଆ ଗୋଲ୍ଡି ଅଗ୍ରୱାଲ, ଅଧ୍ୟକ୍ଷା, ବିଜ୍ଞାପିତ ଅଞ୍ଚଳ ପରିଷଦ, ଖରିଆର ରୋଡ, ପ୍ରଫୁଲ୍ଲ କୁଜୁର , ଅତିରିକ୍ତ ଜିଲ୍ଲପାଳ (ରାଜସ୍ବ ), ନୂଆପଡ଼ା , ଶ୍ରୀମତି ପୁଷ୍ପାଞ୍ଜଳି ନନ୍ଦ, ଅଧ୍ୟକ୍ଷା, ପଞ୍ଚାୟତ ସମିତି, ଖରିଆର, ଶ୍ରୀମତି ମାଧୁରୀ ମାଝୀ, ଅଧ୍ୟକ୍ଷା, ପଞ୍ଚାୟତ ସମିତି, ସିନାପାଲି,ଭାନୁ ପ୍ରତାପ ମାଝୀ, ଜିଲ୍ଲା ପରିଷଦ ସଭ୍ୟ , ଡ. ସୁଖେନ୍ଦୁ ରାୟ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ , ଏବଂ ବିଜନ କୁମାର ସାହୁ , ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ ସହ ମେଳାର ଶୁଭାରମ୍ଭ କରିଥିଲେ। ବିଭାଗୀୟ ଅଧିକାରୀମାନେ ଅତିଥି ମାନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ସହ ସମ୍ବର୍ଦ୍ଧନା କରି ସ୍ଵାଗତ କରିଥିଲେ। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରାଣୀ ସମ୍ପଦ ବିକାଶ ବିଭାଗରେ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ଗୁଡିକ ବିଷୟ ରେ ବିସ୍ତୃତ ଧାରଣା ଦେଇଥିଲେ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ଗୋପାଳନ ଯୋଜନା, ଗୋ ସମ୍ପଦ ବୀମା ଯୋଜନା, ସବୁଦିନିଆ ଘାସ ଚାଷ ଓ ଲିଙ୍ଗ ନିରୁପିତ ଶୁକ୍ର ଦ୍ଵାରା କୃତ୍ରିମ ପ୍ରଜନନର ଉପଯୋଗୀତା ସମ୍ବନ୍ଧ ରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ। ମୁଖ୍ୟ ମନ୍ତ୍ରୀ ପ୍ରାଣୀ କଲ୍ୟାଣ ଯୋଜନା, ମୁଖ୍ୟ ମନ୍ତ୍ରୀ ପ୍ରାଣୀ ସମୃଦ୍ଧି ଯୋଜନା, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା କ୍ଲିନିକ୍, ଟେଲି ଭେଟରିନାରୀ ସର୍ଭିସ , ବୁଲା ପ୍ରାଣୀ ମାନଙ୍କ ଚିକିତ୍ସା ନିମନ୍ତେ ଉପଲବ୍ଧ ଥିବା ସୁବିଧା ଗୁଡ଼ିକ ବିଷୟରେ ଜଣାଇ ଥିଲେ। ଅତିଥି ବୃନ୍ଦ ଜୀବନ୍ତ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ପ୍ରଦର୍ଶନୀ ବୁଲିବା ସହ ମେଳା ରେ ଭାଗ ନେଇ ଥିବା ମତ୍ସ୍ୟ ଚାଷୀ , ଗୋପାଳକ, ଛେଳି ମେଣ୍ଢା ପାଳକ, କୁକୁଡ଼ା ଚାଷୀ ଏବଂ ସ୍ଵଂୟ ସହାୟିକା ଗୋଷ୍ଠୀ ର ସମସ୍ତ ମହିଳା ମାନଙ୍କୁ ସରକାରୀ ଯୋଜନା ମାଧ୍ୟମ ରେ ସ୍ବାବଲମ୍ବୀ ହେବା ପାଇଁ ଆହ୍ବାନ କରିଥିଲେ। ଚାଷୀ ମାନଙ୍କୁ ଉଦବୋଧନ ଦେଇ କେବଳ ପାରମ୍ପରିକ ଚାଷରେ ସୀମିତ ନ ରହି ମତ୍ସ୍ୟ ଓ ପ୍ରାଣୀ ପାଳନ କ୍ଷେତ୍ରରେ ନୂତନ ଜ୍ଞାନ କୌଶଳକୁ ଆପଣେଇ ନେବାକୁ ଉତ୍ସାହିତ କରିଥିଲେ ଓ ପ୍ରାଣୀ ପାଳନ ମାଧ୍ୟମରେ ବେକାରୀ ସମସ୍ୟା ନିରାକରଣ ଦିଗରେ ଦିଗ୍ ଦର୍ଶନ ଦେଇଥିଲେ। ଏହି ଅବସରରେ ଚାଷୀ ନରେନ୍ଦ୍ର ସିଂ ଧରୁଆ ଙ୍କୁ ମାଛ ଜାଆଁଳା ଉତ୍ପାଦନ, ଶ୍ୟାମଲାଲ୍ ମାଝୀ ଙ୍କୁ ମତ୍ସ୍ୟ ପୋଖରୀ ଯୋଜନା, ପୂଜା ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଙ୍କୁ ଛେଳି ପାଳନ, ପରମାନନ୍ଦ ମାଝୀ ଙ୍କୁ ଛେଳି ଓ ଅଣ୍ଡାଦିଆ କୁକୁଡ଼ା ପାଳନ , ଶ୍ରୀମତି ମଧୁ ମିଶ୍ର ଙ୍କୁ ଶୀତ ତାପ ନିୟନ୍ତ୍ରିତ କୁକୁଡ଼ା ପାଳନ ପାଇଁ ସମ୍ମାନୀତ କରାଯାଇଥିଲା l ଚାଷୀ ରୂପେଶ ଅହିର , ମଇଁଷି ପାଳନ, ଶ୍ରୀମତି କିଶୋରୀ ସାହୁ , ଗୋପାଳନ, ଶ୍ରୀମତି ନମିତା ପ୍ରଧାନ, କୁକୁଡ଼ା ପାଳନ, ଶ୍ରୀମତି ବାସନ୍ତୀ ସାହୁ, ମଇଁଷି ପାଳନ ପାଇଁ ମୁଖ୍ୟ ଅତିଥିଙ୍କ କର କମଳ ରୁ ଆର୍ଥିକ ସହାୟତା ରାଶି ଗ୍ରହଣ କରିଥିଲେ।

