Home ରାଜ୍ୟନୂଆପଡ଼ା ସ୍ଥାୟୀ ଲୋକ ଅଦାଲତରେ ଯୋଡ଼ି ହେଲା ଭାଙ୍ଗିଯାଉଥିବା ସଂସାର; ମଧ୍ୟସ୍ଥତାରେ ସମାଧାନ ହେଲା ଦୀର୍ଘଦିନର ବୈବାହିକ ବିବାଦ।

ନୂଆପଡ଼ା ସ୍ଥାୟୀ ଲୋକ ଅଦାଲତରେ ଯୋଡ଼ି ହେଲା ଭାଙ୍ଗିଯାଉଥିବା ସଂସାର; ମଧ୍ୟସ୍ଥତାରେ ସମାଧାନ ହେଲା ଦୀର୍ଘଦିନର ବୈବାହିକ ବିବାଦ।

by Maraguda Express
0 comments
ନୂଆପଡ଼ା -୦୩/୧୧ – ଦୀର୍ଘଦିନ ଧରି ଲାଗିରହିଥିବା ବୈବାହିକ ବିବାଦର ସଫଳ ସମାଧାନ ହୋଇ ଏକ ଭାଙ୍ଗିଯାଉଥିବା ସଂସାର ପୁଣି ଯୋଡ଼ି ହୋଇଛି। ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଉଦ୍ୟମ ଏବଂ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ମଧ୍ୟସ୍ଥତା ଯୋଗୁଁ ଦୀର୍ଘଦିନ ଧରି ଅଲଗା ରହୁଥିବା ଏକ ଦମ୍ପତି ପୁଣି ଏକାଠି ହେବାକୁ ସହମତି ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ୍‌ର ଜଣେ ମହିଳା କିଛି ବର୍ଷ ପୂର୍ବେ ବରଗଡ଼ ଜିଲ୍ଲାର ପାଇକମାଳ ବ୍ଲକ୍‌ର ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତେବେ ବିଭିନ୍ନ କାରଣରୁ ଉଭୟଙ୍କ ମଧ୍ୟରେ ମତଭେଦ ଓ ବୈବାହିକ ଅଶାନ୍ତି ସୃଷ୍ଟି ହୋଇଥିଲା। ଫଳରେ ମହିଳା ଜଣକ ନିଜ ସ୍ୱାମୀ ଓ ପୁଅଙ୍କୁ ଛାଡ଼ି କୋମନାସ୍ଥିତ ବାପଘରକୁ ଫେରି ଆସିଥିଲେ।
ପରବର୍ତ୍ତୀ ସମୟରେ ଏହି ବୈବାହିକ ବିବାଦର ସମାଧାନ ପାଇଁ ମହିଳା ଜଣକ ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ମୁଖ କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ୟାନେଲ ଓକିଲଙ୍କଠାରୁ ଆଇନଗତ ପରାମର୍ଶ ନେଇଥିଲେ। ଏହାପରେ ସେ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ପରିଚାଳିତ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତରେ ଏକ ଯାଚିକା ଦାଖଲ କରିଥିଲେ।
ଲୋକ ଅଦାଲତ ପକ୍ଷରୁ ଉଭୟ ପକ୍ଷଙ୍କୁ ନୋଟିସ୍‌ ଜାରି କରାଯିବା ପରେ ସ୍ୱାମୀ ଓ ସ୍ତ୍ରୀ ଉଭୟ ଉପସ୍ଥିତ ହୋଇଥିଲେ। ଏହି ମାମଲାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ାର ସଚିବ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର ବିଚାରପତି ନବନୀତା ଦାଶଙ୍କ ନିରନ୍ତର ପ୍ରଚେଷ୍ଟା ଓ ଏକାଧିକ ପର୍ଯ୍ୟାୟର ମଧ୍ୟସ୍ଥତା ଫଳରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ସମ୍ଭବ ହୋଇପାରିଥିଲା।
ଶେଷରେ ଉଭୟ ସ୍ୱାମୀ-ସ୍ତ୍ରୀ ପରସ୍ପରର ମତାମତ ଓ ସହମତିକୁ ଗୁରୁତ୍ୱ ଦେଇ ପୁଣି ଏକାଠି ରହିବାକୁ ରାଜି ହୋଇଥିଲେ। ନିଜ ବୈବାହିକ ସମ୍ପର୍କକୁ ପୁନଃସ୍ଥାପନ କରି ଗୋଟିଏ ଛାତ ତଳେ ଶାନ୍ତିପୂର୍ଣ୍ଣ ଭାବେ ଦାମ୍ପତ୍ୟ ଜୀବନ ଅତିବାହିତ କରିବା ସହ ପୁଅ ସହିତ ସୁଖୀ ପାରିବାରିକ ଜୀବନ ଗଢ଼ିବାକୁ ଉଭୟେ ସହମତି ପ୍ରକାଶ କରିଥିଲେ।
ଦୀର୍ଘଦିନର ମନୋମାଳିନ୍ୟର ଅବସାନ ଘଟି ପୁଣିଥରେ ସଂସାର ଯୋଡ଼ି ହୋଇଥିବାରୁ ଉଭୟ ଦମ୍ପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ଏବଂ ବିଚାରପତି ନବନୀତା ଦାଶଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇ ଖୁସି ମନରେ ନିଜ ଘରକୁ ଫେରିଥିଲେ।
ଆପୋଷ ବୁଝାମଣା, ମଧ୍ୟସ୍ଥତା ଓ ଆଇନଗତ ସହାୟତା ମାଧ୍ୟମରେ ପାରିବାରିକ ବିବାଦର ସମାଧାନ ସମ୍ଭବ ବୋଲି ଏହି ଘଟଣା ପୁଣିଥରେ ପ୍ରମାଣିତ କରିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha