Home ରାଜ୍ୟନୂଆପଡ଼ାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର: ୮୯ଟି ଅଭିଯୋଗ ପଞ୍ଜୀକୃତ, ଭୂମିସୁତାଙ୍କୁ ମିଳିଲା ୫ ହଜାର ଟଙ୍କାର ରେଡ୍‌କ୍ରସ୍‌ ସହାୟତା।

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର: ୮୯ଟି ଅଭିଯୋଗ ପଞ୍ଜୀକୃତ, ଭୂମିସୁତାଙ୍କୁ ମିଳିଲା ୫ ହଜାର ଟଙ୍କାର ରେଡ୍‌କ୍ରସ୍‌ ସହାୟତା।

by Maraguda Express
0 comments
ନୂଆପଡ଼ା -୦୨/୧୧- ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ସମାଧାନ ଏବଂ ପ୍ରଶାସନିକ ସେବାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ନୂଆପଡ଼ା ସଦର ମହକୁମାସ୍ଥିତ ସଦ୍‌ଭାବନା ସଭାଗୃହଠାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ମୋଟ ୮୯ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା।
ପଞ୍ଜୀକୃତ ଅଭିଯୋଗ ମଧ୍ୟରୁ ୭୬ଟି ବ୍ୟକ୍ତିଗତ, ୧୨ଟି ଗୋଷ୍ଠୀଗତ ଏବଂ ଗୋଟିଏ ରେଡ୍‌କ୍ରସ୍‌ ସହାୟତା ସମ୍ପର୍କିତ ଅଭିଯୋଗ ରହିଥିଲା। ଶିବିରରେ ଜିଲ୍ଲାପାଳ ପ୍ରତ୍ୟେକ ଅଭିଯୋଗକୁ ଗୁରୁତ୍ୱର ସହ ଶୁଣିବା ସହ ସମ୍ପୃକ୍ତ ଅଭିଯୋଗକାରୀଙ୍କ ସମସ୍ୟା ବୁଝିଥିଲେ। ଅଭିଯୋଗଗୁଡ଼ିକର ଆବଶ୍ୟକ ତଦନ୍ତ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାଧାନ କରିବା ସହ ଏଥିରେ ବିଳମ୍ବ ନକରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହି ଶିବିର ଅବସରରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା। ଏହାଦ୍ୱାରା ବୟସ୍କ ନାଗରିକମାନେ ନିଜର ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ଚିକିତ୍ସା ପରାମର୍ଶ ଓ ଆବଶ୍ୟକୀୟ ସେବା ପାଇବାର ସୁଯୋଗ ପାଇଥିଲେ।
ସେହିପରି ମାନବିକତା ଓ ସାମାଜିକ ସହାୟତାର ଉଦାହରଣ ସ୍ୱରୂପ ରେଡ୍‌କ୍ରସ୍‌ ପାଣ୍ଠିରୁ ଭୂମିସୁତା ଦୀପଙ୍କୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଚେକ୍‌ ମାଧ୍ୟମରେ ପ୍ରଦାନ କରାଯାଇଥିଲା।
ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜିତ ନାୟକ, ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁବାସ ଚନ୍ଦ୍ର ରଇତ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଗଣେଶ୍ୱର କଂହର, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଡିଏଫ୍‌ଓ କେନ୍ଦୁପତ୍ର ଏ. ମାଧବୀଲତା, ଡିଏଫ୍‌ଓ ବନ୍ୟପ୍ରାଣୀ ସମୀର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଇଶାନୀ ମିତ୍ର ଏବଂ ଉପଜିଲ୍ଲାପାଳ ସୁର୍ମି ସୋରେନ ପ୍ରମୁଖ ଉପସ୍ଥିତ ଥିଲେ।
ଡେପୁଟି ଜିଲ୍ଲାପାଳ ସୁପ୍ରିୟା ପ୍ରିୟଦର୍ଶିନୀ ଏବଂ ନୂଆପଡ଼ା ବିଡିଓ ରୋହିତ ଭୋଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ। ଏଥିରେ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀ, ଯନ୍ତ୍ରୀ, କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇଥିଲେ।
ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ, ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ସେବା ଏବଂ ଅସହାୟଙ୍କୁ ଆର୍ଥିକ ସହାୟତା ପ୍ରଦାନ ଭଳି ପଦକ୍ଷେପ ମାଧ୍ୟମରେ ଏହି ଶିବିର ଜନସାଧାରଣ ଓ ପ୍ରଶାସନ ମଧ୍ୟରେ ସିଧାସଳଖ ଯୋଗାଯୋଗର ଏକ ମାଧ୍ୟମ ପାଲଟିଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha