40
ନୂଆପଡ଼ା, ୨୪/୦୭: ନୂଆପଡ଼ା ଜିଲ୍ଲାର ସିନାପାଲିରେ ପବିତ୍ର ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆଜି ଭବ୍ୟ ଭାବେ ସମ୍ପନ୍ନ ହୋଇଛି। ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ ପାଇଁ ସକାଳଠାରୁ ନେହେରୁ ମଣ୍ଡପ ସ୍ଥିତ ମାଉସୀ ମାଁ ମନ୍ଦିର ପରିସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।
ଭୋରରୁ ବିଧିବଦ୍ଧ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବାବେଳେ ଅପରାହ୍ଣରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ସମ୍ପନ୍ନ ହୋଇଥିଲା। ପରେ ବିଜୟ ମେହେରଙ୍କ ଦ୍ୱାରା ତିନୋଟି ରଥରେ ପାରମ୍ପରିକ ଛେରାପହରା ନୀତି ସମ୍ପନ୍ନ ହେବା ପରେ ରଥଟଣା ଆରମ୍ଭ ହୋଇଥିଲା।
ସଂକୀର୍ତ୍ତନ, ଘଣ୍ଟଦଳର ଧ୍ୱନି ଓ ମହିଳା ଶ୍ରଦ୍ଧାଳୁଙ୍କ ହୁଳହୁଳିରେ ସମଗ୍ର ସିନାପାଲି ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିଲା। ରଥଯାତ୍ରା ପରି ବାହୁଡ଼ା ଯାତ୍ରାରେ ମଧ୍ୟ ମହିଳାମାନେ ମା’ ସୁଭଦ୍ରାଙ୍କ ଦେବଦଳନ ରଥ ଟାଣି ପାରମ୍ପରିକ ରୀତିକୁ ଅବିକଳ ରଖିଥିଲେ।
ନଅ ଦିନ ଧରି ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତିକୁ ମାଉସୀ ମାଁ ମନ୍ଦିର କମିଟିର ସଭାପତି ଶଶିଭୂଷଣ ମାଝୀ, ଉପସଭାପତି ବିଦ୍ୟାଧର ମେହେର, ସମ୍ପାଦକ ମନୋଜ କୁମାର ଜୈନ, ସହସମ୍ପାଦକ ରଜନୀ ମାଝୀଙ୍କ ସମେତ କମିଟିର ସମସ୍ତ ସଦସ୍ୟ ଶୃଙ୍ଖଳାର ସହ ସମ୍ପାଦନ କରିଥିଲେ। ଆଡପ ମଣ୍ଡପର କର୍ତ୍ତା ଭାବେ ବିଦ୍ୟାଧର ମେହେର ଓ ସରସ୍ୱତୀ ମେହେର ଦାୟିତ୍ୱ ନିର୍ବାହ କରିଥିବାବେଳେ ପ୍ରମୋଦ ଯୋଷୀ ପୂଜକ ଭାବେ ସେବା ପ୍ରଦାନ କରିଥିଲେ।ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ତୁଳସୀରାମ ମେହେରଙ୍କ ସୂଚନାନୁସାରେ, ଆସନ୍ତାକାଲି ରଥାରୂଢ଼ ଶ୍ରୀଜୀଉଙ୍କ ଅଧରପଣା ନୀତି, ସୁନାବେଶ ଏବଂ ପରେ ନୀଳାଦ୍ରୀ ବିଜେ ଅନୁଷ୍ଠିତ ହେବ।
ଏହା ସହିତ ସିନାପାଲି ବ୍ଲକର ଚଳନା, ସାଗୁନଭାଡି, ହାତୀବନ୍ଧା, କେନ୍ଦୁମୁଣ୍ଡା, ନୂଆଁମାଳପଡ଼ା, ଖଳନା, ବ୍ରାହ୍ମଣପଡ଼ା, ପତିଏଲପଡ଼ା, ଗୋର୍ଲା, ଟିମନପୁର, ଜାମଗାଁ, ଅରସାପଡ଼ା, ଗଣ୍ଡାବାହାଳି, ବରଗାଁ, ଗମ୍ଭାରିଗୁଡ଼ା, ସିଙ୍ଗଝର, ରାଣିମୁଣ୍ଡା ସମେତ ବିଭିନ୍ନ ଗ୍ରାମରେ ମଧ୍ୟ ଶୃଙ୍ଖଳାର ସହ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଥିବା ଜଣାପଡ଼ିଛି।