40
ନୂଆପଡ଼ା ,-୨୪/୦୭-ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ନବଦିନାତ୍ମକ ଯାତ୍ରା ଅବସରରେ ନୂଆପଡ଼ା ଜିଲ୍ଲାର ସିନାପାଲିଠାରେ ଗଙ୍ଗାଧର ସାରସ୍ୱତ ସମିତି ପକ୍ଷରୁ ‘ଜଗନ୍ନାଥ ସଂସ୍କୃତି’ ପ୍ରସଙ୍ଗରେ ଏକ ଗମ୍ଭୀର ଆଲୋଚନା ସଭା ଆୟୋଜିତ ହୋଇଥିଲା। ସ୍ଥାନୀୟ ପିଏମ୍ଶ୍ରୀ ଉଚ୍ଚବିଦ୍ୟାଳୟ ପରିସରରେ ସମିତିର ସଭାପତି ବୈଷ୍ଣବ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିତ୍ୱ ଯୋଗଦେଇ ଜଗନ୍ନାଥ ସଂସ୍କୃତିର ମାନବୀୟ, ସାମାଜିକ ଓ ଆଧ୍ୟାତ୍ମିକ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ।
କାର୍ଯ୍ୟକ୍ରମରେ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପରିଚାଳକ ଅଜୟ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ବୈଶମ୍ପାୟନ ମେହେର, କପିଳେଶ୍ୱର ପାତ୍ର ଓ ଡ଼ଃ ଅର୍ଜୁନ ଶାସ୍ତ୍ରୀ ଆଲୋଚକ ଭାବେ ଉପସ୍ଥିତ ରହିଥିଲେ। ବକ୍ତାମାନେ କହିଥିଲେ ଯେ, ଜଗନ୍ନାଥ ସଂସ୍କୃତି କେବଳ ଧାର୍ମିକ ପରମ୍ପରା ନୁହେଁ, ବରଂ ସମାଜକୁ ସୁସ୍ଥ, ସମନ୍ୱିତ, ସହିଷ୍ଣୁ ଓ ମାନବିକ ମୂଲ୍ୟବୋଧରେ ସମୃଦ୍ଧ କରିବାର ଏକ ଜୀବନ ଦର୍ଶନ।
ପ୍ରାରମ୍ଭରେ ବଂଶୀଧର ଜଗତ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ମହାପ୍ରଭୁଙ୍କ ଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ଜ୍ୱଳନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ଚୂଡ଼ାମଣି ମେହେର ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଅଞ୍ଚଳର ଶତାଧିକ ବୁଦ୍ଧିଜୀବୀ, ସାହିତ୍ୟପ୍ରେମୀ, ବିଭିନ୍ନ ମନ୍ଦିର କମିଟିର କର୍ମକର୍ତ୍ତା ଏବଂ ବିଶିଷ୍ଟ ନାଗରିକମାନେ ସଭାରେ ଯୋଗଦେଇ ଏହାକୁ ସଫଳ କରିଥିଲେ।
କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରଧାନ ଶିକ୍ଷକ ମନୋରଞ୍ଜନ ମେହେରଙ୍କ ସମେତ ସମିତିର ସଦସ୍ୟ ଓ ସ୍ୱେଚ୍ଛାସେବକମାନେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ସମିତିର ସମ୍ପାଦକ ତରୁଣ କୁମାର ମେହେର ଧନ୍ୟବାଦ ଜ୍ଞାପନ କରିଥିଲେ।
ଗଙ୍ଗାଧର ସାରସ୍ୱତ ସମିତି ଦୀର୍ଘଦିନ ଧରି ସାହିତ୍ୟ, ସଂସ୍କୃତି ଓ ସାମାଜିକ ମୂଲ୍ୟବୋଧକୁ ଆଧାର କରି ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ, ଏହା ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବାର ଏକ ଉଲ୍ଲେଖନୀୟ ପ୍ରୟାସ ବୋଲି ବିଭିନ୍ନ ମହଳରେ ପ୍ରଶଂସା କରାଯାଉଛି।