96
ନୂଆପଡ଼ା -୧୪/୮- ନୂଆପଡ଼ା ଜିଲ୍ଲା ଅଦାଲତ ପରିସରରେ କିଶୋର ନ୍ୟାୟ (ବାଳକମାନଙ୍କ ଯତ୍ନ ଓ ସୁରକ୍ଷା) ଅଧିନିୟମ, ୨୦୧୫ ଉପରେ ଏକ ଜିଲ୍ଲାସ୍ତରୀୟ ସଚେତନତାମୂଳକ କର୍ମଶାଳା ଆୟୋଜିତ ହୋଇଯାଇଛି। ଶିଶୁମାନଙ୍କ ଅଧିକାର, ସୁରକ୍ଷା ଓ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା।
କର୍ମଶାଳାରେ ଜିଲ୍ଲା ଓ ଦୌରା ଜଜ୍ ସମର ବିଳାସ ବେହେରା, ଜିଲ୍ଲାପାଳ ମଧୁସୂଦନ ଦାଶ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୁଶାନ୍ତ କୁମାର ମିଶ୍ର, ବରିଷ୍ଠ ଦେୱାନୀ ବିଚାରପତି ଦୁର୍ବାସା ଦୁର୍ଗାଙ୍କ ସମେତ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ମହିଳା କୋର୍ଟ ଜଜ୍ ସରୋଜିନୀ ସାହୁ, ରେଜିଷ୍ଟ୍ରାର ସୌଭାଗ୍ୟ ରଞ୍ଜନ ପ୍ରଧାନ, ଏସ୍ଡିଜେଏମ୍ ସ୍ନାତକୀ ଦାଶ, ପ୍ରୋବେସନର ଜଜ୍ କାହୁଁ କିସ୍କୁ ପ୍ରମୁଖ ଯୋଗଦେଇଥିଲେ।
ଏହାସହ ମହାମାୟା ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅନିଲ କୁମାର ତାଣ୍ଡି, ଜିଲ୍ଲା ଓକିଲ ସଂଘ ସଭାପତି କ୍ଷୀତିଶ ବୋଧଙ୍କର, ଜିଲ୍ଲା ସିଭିଲ ସଂଘ ସଭାପତି ବିଶ୍ୱମଣି ପାଣିଗ୍ରାହୀ, ନୂଆପଡ଼ା ଉପ ଆରକ୍ଷୀ ଅଧିକ୍ଷକ ମର୍ସି ରାଣୀ ପୂର୍ତ୍ତି ଏବଂ ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷା ବବିତା ମିଶ୍ରଙ୍କ ସମେତ ବହୁ ଅଧିକାରୀ ଓ ଆଇନଜୀବୀ ଉପସ୍ଥିତ ଥିଲେ।କର୍ମଶାଳାରେ ବାଲ୍ୟ ବିବାହ ରୋକଥାମ, ମହିଳା ହେଲ୍ପଲାଇନ୍, ଶିଶୁ ସୁରକ୍ଷା ସମିତି ଆଦି ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ କିଶୋର ନ୍ୟାୟ ବୋର୍ଡର କ୍ଷମତା ଓ ଦାୟିତ୍ୱ, ଶିଶୁମାନଙ୍କ ମୌଳିକ ଅଧିକାର, ଶିଶୁମାନଙ୍କ ପାଇଁ ଉପଲବ୍ଧ ମାଗଣା ଆଇନ ସେବା ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭୂମିକା ଓ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ।