38
🏆 ୪ ପଦକ ବିଜେତାଙ୍କୁ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା
ଏହି ସଫଳତା ପାଇଁ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ପଦକ ବିଜେତା ଛାତ୍ରଛାତ୍ରୀଙ୍କୁ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠରେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲାପାଳ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଆହୁରି ସଫଳତା ହାସଲ କରିବାକୁ ଉତ୍ସାହିତ କରିଥିଲେ।
Table of Contents
ନୂଆପଡ଼ା -୨୫/୦୯- କେନ୍ଦୁଝର ଜିଲ୍ଲାର ବଡ଼ବିଲ୍ ଠାରେ ସଦ୍ୟ ସମାପ୍ତ ୭୦ତମ ରାଜ୍ୟସ୍ତରୀୟ ଉଷୁ (ସାମରିକ କଳା) ପ୍ରତିଯୋଗିତାରେ ନୂଆପଡ଼ା ଜିଲ୍ଲାର ଯୁବ କ୍ରୀଡ଼ା ପ୍ରତିଭାମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ୯ ଜଣିଆ ନୂଆପଡ଼ା ଦଳ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ମୋଟ ୪ଟି ପଦକ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।
୧୭ ବର୍ଷରୁ କମ୍ ବାଳକ ବିଭାଗରେ ୭୫–୮୦ କିଗ୍ରା ବର୍ଗରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଶ୍ରେୟାଂଶ ଆର୍ୟନ୍ ସାହୁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ୪୮–୫୨ କିଗ୍ରା ବର୍ଗରେ ପି.ଏମ୍. ଶ୍ରୀ ନେସନାଲ ଉଚ୍ଚ ବିଦ୍ୟାଳୟ, ନୂଆପଡ଼ାର ଛାତ୍ର ରାଜେନ୍ଦ୍ର ସୁନାନି ରୌପ୍ୟ ପଦକ ହାସଲ କରିଛନ୍ତି।
ବାଳିକା ବିଭାଗରେ ୪୫ କିଗ୍ରାରୁ କମ୍ ବର୍ଗରେ ନବୋଦିତ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ୟାମିନୀ ସାହୁ ଏବଂ ୪୫–୪୮ କିଗ୍ରା ବର୍ଗରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ସାନିଆ ସାହୁ କାଂସ୍ୟ ପଦକ ଜିତିଛନ୍ତି।

ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ରେଶମ ଲାଲ୍ ନାଏକ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରତନ ସିଂ ବାରିକ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼େଇ, ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସମ୍ପାଦକ ମହତାବ ଆଡଜୁଆଡ ଏବଂ ଅଭିଭାବକ ହେମନ୍ତ କୁମାର ସାହୁ ଉପସ୍ଥିତ ଥିଲେ। ନୂଆପଡ଼ାର ଏହି ଯୁବ ଉଷୁ ପ୍ରତିଭାଙ୍କ ସଫଳତା ଜିଲ୍ଲାର କ୍ରୀଡ଼ା କ୍ଷେତ୍ରରେ ନୂଆ ଉତ୍ସାହ ସୃଷ୍ଟି କରିଛି। ଏହି ପ୍ରତିଭାବାନ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କ ଆଗାମୀ କ୍ରୀଡ଼ା ଯାତ୍ରା ପାଇଁ ଶୁଭେଚ୍ଛା ଜଣାନ୍ତୁ।