Home ରାଜ୍ୟଆଙ୍ଗନୱାଡ଼ି ସମସ୍ୟା ନେଇ ନୂଆପଡ଼ାରେ ଶ୍ରମିକ ସଂଘର ବିକ୍ଷୋଭ : ୭ ଦିନ ମଧ୍ୟରେ ସମାଧାନ ନହେଲେ ରନ୍ଧା ଓ ସୁଖିଲା ଖାଦ୍ୟ ବଣ୍ଟନ ବନ୍ଦ ଚେତାବନୀ।

ଆଙ୍ଗନୱାଡ଼ି ସମସ୍ୟା ନେଇ ନୂଆପଡ଼ାରେ ଶ୍ରମିକ ସଂଘର ବିକ୍ଷୋଭ : ୭ ଦିନ ମଧ୍ୟରେ ସମାଧାନ ନହେଲେ ରନ୍ଧା ଓ ସୁଖିଲା ଖାଦ୍ୟ ବଣ୍ଟନ ବନ୍ଦ ଚେତାବନୀ।

by Maraguda Express
0 comments
ନୂଆପଡ଼ା -୧୮/୮- ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ବିଭିନ୍ନ ସମସ୍ୟା, ଅନୁଦାନ ଓ ବକେୟା ଦରମା ପ୍ରଦାନ ସମେତ ୧୧ ଓ ୮ ଦଫା ଦାବି ନେଇ ନୂଆପଡ଼ାରେ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଭାରତୀୟ ମଜଦୁର ସଂଘର ନିର୍ଦ୍ଦେଶକ୍ରମେ ଜିଲ୍ଲା ଶ୍ରମିକ ମହାସଂଘ, ଅଲ୍ ଓଡ଼ିଶା ଆଙ୍ଗନୱାଡ଼ି ଲେଡିଜ୍ ୱାର୍କର ସଂଘ ସମେତ ବିଭିନ୍ନ ମଜଦୁର ସଂଘ ପକ୍ଷରୁ ସୋମବାର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ସହ ବିକ୍ଷୋଭ ଆୟୋଜିତ ହୋଇଥିଲା। ନୂଆପଡ଼ା ମଜଦୁର ସଂଘ ଜିଲ୍ଲା ସଭାପତି ପ୍ରଦୀପ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ ସହସ୍ରାଧିକ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ପୁଲିସ ପଡ଼ିଆରେ ଏକତ୍ରିତ ହୋଇଥିଲେ।
ସେଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ବିଭିନ୍ନ ନାରା ଦେଇ ସହର ପରିକ୍ରମା କରିବା ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ୧୧ ଦଫା ଓ ୮ ଦଫା ଦାବି ସମ୍ବଳିତ ଦୁଇଟି ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କୁ ପ୍ରଦାନ କରାଯାଇଥିଲା।
ଆଙ୍ଗନୱାଡ଼ି କେନ୍ଦ୍ରରେ ଅନୁଦାନ ଅଭାବ ଅଭିଯୋଗ।
ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଆବଶ୍ୟକତା ଓ ସମସ୍ୟା ପ୍ରତି ସରକାର ଏବଂ ପ୍ରଶାସନ ଆବଶ୍ୟକ ଗୁରୁତ୍ୱ ଦେଉନଥିବାରୁ କେନ୍ଦ୍ର ପରିଚାଳନାରେ କର୍ମୀମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିକି ଜିଲ୍ଲାରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି।
ସଂଘର ଅଭିଯୋଗ ଅନୁଯାୟୀ, ବିଭିନ୍ନ ସରକାରୀ ଅନୁଦାନ ଦେବାରେ ପାତରଅନ୍ତର କରୁଥିବା ତଥା ଠିକ ସମୟ ରେ ଅନୁଦାନ ଦେଉନଥିବା ଅଭିଯୋଗ ହୋଇଛି। ୨୦୨୬ ଫେବୃଆରୀ ମାସର ଅଧା ଦରମା ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ମିଳିନଥିବା ଅଭିଯୋଗ କରାଯାଇଛି।
ଧାରକରଜ ରେ ଚାଲୁଛି କେନ୍ଦ୍ର।
ସଂଘ ପକ୍ଷରୁ ଆହୁରି କୁହାଯାଇଛି ଯେ, ୨୦୨୬ ଜାନୁଆରୀରୁ ଅରୁଣିମା କିଟ୍‌, ମେଡିସିନ୍‌ କିଟ୍‌, କଣ୍ଟିଜେନ୍ସି ବାବଦ ଅନୁଦାନ ଓ ଚାଉଳ ମିଳୁନାହିଁ। ଫଳରେ ଅନେକ କର୍ମୀ ଧାର କରଜ କରି ଅଙ୍ଗନବାଡ଼ି କେନ୍ଦ୍ର ଚଳାଇବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି।
ଅନେକ ଅଙ୍ଗନୱାଡ଼ି କେନ୍ଦ୍ରର ନିଜସ୍ୱ ଗୃହ ନଥିବାରୁ କେଉଁଠି ଗଛ ତଳେ ତ ଆଉ କେଉଁଠି ଭଡ଼ା ଘରେ କେନ୍ଦ୍ର ଚାଲୁଥିବା ଅଭିଯୋଗ ହୋଇଛି। ବର୍ଷାଦିନ ରେ କେତେକ କେନ୍ଦ୍ର ଗୃହରେ ପାଣି ଝରୁଥିବା ରୁ ବର୍ଷା ହେଲେ କେନ୍ଦ୍ର ବନ୍ଦ ରହୁଥିବା ମଧ୍ୟ କୁହାଯାଇଛି। ଏଭଳି ସ୍ଥିତିରେ କୋମଳମତି ଶିଶୁମାନେ ପ୍ରାକ୍‌-ଶିକ୍ଷା ଓ ପୁଷ୍ଟିକର ଖାଦ୍ୟ କିପରି ପାଉଛନ୍ତି, ତାହା ନେଇ ସଂଘ ପ୍ରଶ୍ନ ଉଠାଇଛି।
୭ ଦିନର ମହଲତ, ନହେଲେ ଆନ୍ଦୋଳନ ଚେତାବନୀ।
ଉପରୋକ୍ତ ସମସ୍ୟା ଗୁଡ଼ିକର ୭ ଦିନ ମଧ୍ୟରେ ସମାଧାନ କିମ୍ବା ବିକଳ୍ପ ବ୍ୟବସ୍ଥା କରାନଗଲେ ଆଗାମୀ ଦିନରେ ରନ୍ଧା ଖାଦ୍ୟ ଓ ସୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟ ବନ୍ଦ ରଖିବାକୁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ବିକ୍ଷୋଭରେ ଭାରତୀୟ ମଜଦୁର ସଂଘ ରାଜ୍ୟ ପ୍ରଭାରୀ ବିରଞ୍ଚି ନାରାୟଣ ପଣ୍ଡା, ଜିଲ୍ଲା ପ୍ରଭାରୀ ବିଶ୍ୱରଞ୍ଜନ ସା, ଶ୍ରମିକ ମହାସଂଘ ନୂଆପଡ଼ା ସହ-ଆବାହକ ଭକ୍ତବନ୍ଧୁ ଧରୁଆ, ଅଲ୍ ଓଡ଼ିଶା ଆଙ୍ଗନୱାଡ଼ି ଲେଡିଜ୍ ୱାର୍କର ସଂଘ ସଭାନେତ୍ରୀ ଲୋଭା ଲୋହାର, ସମ୍ପାଦିକା ଚନ୍ଦ୍ରପ୍ରଭା ପାଣିଗ୍ରାହୀ, ବ୍ଲକ୍ ସଭାନେତ୍ରୀ ଜାନକୀ ମେହେର, ଜାନକୀ ମାଝି, ଷଷ୍ଠୀ ସାହୁ, ଗୀତାଞ୍ଜଳି ବିଶି, ରେସ୍କା ବାବୁ, ଚନ୍ଦ୍ରକାନ୍ତି ଶବରଙ୍କ ସମେତ ବହୁ ସଂଖ୍ୟକ ଆଙ୍ଗନୱାଡ଼ି କର୍ମୀ ଓ ସହାୟିକା ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha