43
Table of Contents
ନୂଆପଡ଼ା -୨୫/୦୯- ନୂଆପଡ଼ା ଜିଲ୍ଲାର ସୁନାବେଡ଼ାଠାରେ ଜିଲ୍ଲାର ପ୍ରଥମ ‘ବଣଜାତ ମହୁ ପ୍ରକ୍ରିୟାକରଣ କେନ୍ଦ୍ର’ ଉଦ୍ଘାଟିତ ହୋଇଛି। ORMAS ନୂଆପଡ଼ାର ସହଯୋଗରେ ଏହି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।
ଏହି ମହୁ ପ୍ରକ୍ରିୟାକରଣ କେନ୍ଦ୍ର ‘ସୁନାବେଡ଼ା ନେଚୁରାଲ୍ସ ହନି ପ୍ରଡ୍ୟୁସର୍ ଏଣ୍ଟରପ୍ରାଇଜେସ୍’ ଦ୍ୱାରା ପରିଚାଳିତ ହେବ। ଚକୋଟିଆ ଭୁଞ୍ଜିଆ ଆଦିବାସୀ ସମ୍ପ୍ରଦାୟର ସକ୍ରିୟ ଅଂଶଗ୍ରହଣରେ ORMAS ନୂଆପଡ଼ା ପକ୍ଷରୁ ଏହି ସଂସ୍ଥା ଗଠନ କରାଯାଇଛି।
ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ସଦସ୍ୟମାନେ ସୁନାବେଡ଼ା ଜଙ୍ଗଲରୁ ସଂଗ୍ରହ କରୁଥିବା ବଣଜାତ ମହୁକୁ ସିଧାସଳଖ ଏହି ସଂସ୍ଥାକୁ ବିକ୍ରି କରିପାରିବେ। ଏହା ଦ୍ୱାରା ସ୍ଥାନୀୟ ଲୋକଙ୍କ ପାଇଁ ଜୀବିକାର ସୁଯୋଗ ବୃଦ୍ଧି ପାଇବା ସହ ସୁନାବେଡ଼ାର ଜଙ୍ଗଲଜାତ ମହୁର ପ୍ରଚାର ଓ ପ୍ରସାର ହୋଇପାରିବ। ଏହି ଉଦ୍ୟୋଗ ପ୍ରତିଷ୍ଠାରେ ଚକୋଟିଆ ଭୁଞ୍ଜିଆ ଡେଭଲପମେଣ୍ଟ ଏଜେନ୍ସି (CBDA) ମଧ୍ୟ ସହଯୋଗ ପ୍ରଦାନ କରିଛି।
ବଣଜାତ ମହୁର ମୂଲ୍ୟଯୁକ୍ତକରଣ (Value Addition) ଓ ବିପଣନ ମାଧ୍ୟମରେ ସ୍ଥାୟୀ ଜୀବିକାକୁ ପ୍ରୋତ୍ସାହନ, ଆଦିବାସୀ ଉଦ୍ୟୋଗୀକରଣକୁ ସୁଦୃଢ଼ କରିବା ଏବଂ ଚକୋଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଅର୍ଥନୈତିକ ସଶକ୍ତୀକରଣ ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ।
ଜିଲ୍ଲାପାଳଙ୍କ କହିବାନୁସାରେ, ଏହି ପଦକ୍ଷେପ ଦ୍ୱାରା ମହୁ ଉତ୍ପାଦନ ବୃଦ୍ଧି ପାଇବା ସହ ଗ୍ରାହକମାନେ ସୁଲଭ ମୂଲ୍ୟରେ ଶୁଦ୍ଧ ଓ ଜୈବିକ ବଣଜାତ ମହୁ ପାଇପାରିବେ। ଏହି ମହୁ www.nuapadahaat.com ମାଧ୍ୟମରେ ମଧ୍ୟ ଉପଲବ୍ଧ ହେବ।
ଅନ୍ୟପକ୍ଷରେ, DFO (ବନ୍ୟପ୍ରାଣୀ)ଙ୍କ ପକ୍ଷରୁ ଚେରେଚୁଆଁସ୍ଥିତ ଜଙ୍ଗଲ ଚେକ୍ଗେଟ୍ ନିକଟରେ ଏକ ବିକ୍ରୟ କେନ୍ଦ୍ର (Outlet) ଖୋଲାଯିବ ବୋଲି ସୂଚନା ଦିଆଯାଇଛି। ଏଠାରେ ସ୍ଥାନୀୟ ଜନସାଧାରଣ ଓ ପର୍ଯ୍ୟଟକମାନେ ଏହି ବଣଜାତ ମହୁ ପାଇପାରିବେ।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଶତାଧିକ ଗ୍ରାମବାସୀଙ୍କ ସମେତ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ବନଖଣ୍ଡ ଅଧିକାରୀ ସମୀର ସାହୁ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, କୋମନା ତହସିଲଦାର ସୌରଭ ବିଶି, ସ୍ୱତନ୍ତ୍ର ଅଧିକାରୀ, CBDA ବିଜୟାନନ୍ଦ ମଲ୍ଲିକ, କୋମନା ବିଡିଓ ପବିତ୍ର ସାମଲ, ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଶାନ୍ତ କୁମାର ମହାନ୍ତି ଏବଂ ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ORMAS ନୂଆପଡ଼ା ବିଦେଶ ଘୋଷ ପ୍ରମୁଖ ଉପସ୍ଥିତ ଥିଲେ।