Home ରାଜ୍ୟ୭୨ତମ ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳିତ।

୭୨ତମ ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳିତ।

ସୁନାବେଡ଼ା ଅଭୟାରଣ୍ୟରେ ବନ୍ୟଜନ୍ତୁ ସୁରକ୍ଷା ସହ ପର୍ଯ୍ୟଟନ ବିକାଶ ଉପରେ ଗୁରୁତ୍ୱ।

by Maraguda Express
0 comments
ନୂଆପଡ଼ା -୩/୧୦-ବନ୍ୟପ୍ରାଣୀ ଓ ଜୈବ ବିବିଧତାର ସୁରକ୍ଷା ସହ ପ୍ରକୃତି ପ୍ରତି ଲୋକଙ୍କ ଦାୟିତ୍ୱବୋଧ ସୃଷ୍ଟି କରିବା ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲାରେ ୭୨ତମ ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଆୟୋଜିତ ଏହି ସଚେତନତାମୂଳକ କାର୍ଯ୍ୟକ୍ରମରେ ବନ୍ୟପ୍ରାଣୀ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଓ ପରିବେଶ ସୁରକ୍ଷା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ, ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ, ସୁନାବେଡ଼ା ଅଭୟାରଣ୍ୟ ଅଧିକାରୀ ସମୀର କୁମାର ସାହୁ, ଏସିଏଫ୍ ଅଜୟ ଖେସ, ରେଞ୍ଜର ସଦାନନ୍ଦ ମାଝି, ନୂଆପଡ଼ା ଜିଲ୍ଲା ବନ୍ୟ ପ୍ରାଣୀ ୱାର୍ଡେନ ମାୟାଧର ସରାଫଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଇଶାନି ମିତ୍ର, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସୁଖେନ୍ଦୁ ରାୟ ,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ ମହାନ୍ତି ତଥା ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ,ବନ ବିଭାଗର କର୍ମଚାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ସୁନାବେଡ଼ା ଅଭୟାରଣ୍ୟରେ ବନ୍ୟଜନ୍ତୁ ସୁରକ୍ଷା ଓ ସଂରକ୍ଷଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଅଭୟାରଣ୍ୟର ପ୍ରାକୃତିକ ସମ୍ପଦ, ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସହିତ ଏହି ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ଥିବା ସମ୍ଭାବନା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ପ୍ରକୃତି ଓ ବନ୍ୟଜନ୍ତୁ ସୁରକ୍ଷାକୁ ପ୍ରାଥମିକତା ଦେଇ ଦାୟିତ୍ୱଶୀଳ ପର୍ଯ୍ୟଟନକୁ ଆଗକୁ ବଢ଼ାଇବା ଉପରେ ମତ ପ୍ରକାଶ ପାଇଥିଲା।
ବନ୍ୟପ୍ରାଣୀ ସୁରକ୍ଷା କେବଳ ବନ ବିଭାଗର ଦାୟିତ୍ୱ ନୁହେଁ, ବରଂ ସମାଜର ପ୍ରତ୍ୟେକ ବର୍ଗର ସହଯୋଗ ଓ ସଚେତନତା ଏଥିପାଇଁ ଅତ୍ୟନ୍ତ ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ଗୁରୁତ୍ୱାରୋପ କରାଯାଇଥିଲା। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ହେଲେ ପରିବେଶର ସନ୍ତୁଳନ ରକ୍ଷା ସହିତ ଆଗାମୀ ପିଢ଼ି ପାଇଁ ପ୍ରାକୃତିକ ସମ୍ପଦକୁ ସୁରକ୍ଷିତ ରଖାଯାଇପାରିବ ବୋଲି ମତ ପ୍ରକାଶ ପାଇଥିଲା।
ଏହି ଅବସରରେ ବନ୍ୟଜନ୍ତୁ ଓ ବନ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା କିଛି ବ୍ୟକ୍ତି ଓ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା। ଜୟ ସିଂହ ଚିନ୍ଦା ଖୋଲି ଭିତର,ଫରେଷ୍ଟର ବିଶ୍ୱ ମୋହନ ପାଢ଼ୀ,ତୋମ ସିଂ ପୋମାର ଫରେଷ୍ଟର,ଫରେଷ୍ଟର ରାମ ସ୍ୱରୂପ ସାହୁଙ୍କୁ ତାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରା ଯାଇ ଥିଲା। ସେମାନଙ୍କର ନିଷ୍ଠା, ପ୍ରୟାସ ଓ ଅବଦାନକୁ କାର୍ଯ୍ୟକ୍ରମରେ ପ୍ରଶଂସା କରାଯାଇଥିଲା।
ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ମାଧ୍ୟମରେ ଜିଲ୍ଲାରେ ବନ୍ୟଜନ୍ତୁ ସୁରକ୍ଷା ଓ ପରିବେଶ ସଂରକ୍ଷଣ ନେଇ ଅଧିକ ସଚେତନତା ସୃଷ୍ଟି ହେବା ସହିତ ସୁନାବେଡ଼ା ଅଭୟାରଣ୍ୟକୁ ପ୍ରକୃତି ଓ ପର୍ଯ୍ୟଟନର ଏକ ପ୍ରମୁଖ କ୍ଷେତ୍ର ଭାବେ ଆଗକୁ ନେବା ପାଇଁ ସମନ୍ୱିତ ପ୍ରୟାସକୁ ଆହୁରି ଗତି ମିଳିବ ବୋଲି ଆଶା ପ୍ରକାଶ ପାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha