Home ରାଜ୍ୟଗାନ୍ଧୀ ଜୟନ୍ତୀରେ ଜୟ କିଶାନ୍ ୟୁଥ୍ କ୍ଲବ୍‌ର ସ୍ୱଚ୍ଛତା ଅଭିଯାନ: “ସ୍ୱଚ୍ଛ ଗାଁ, ସୁସ୍ଥ ଗାଁ” ବାର୍ତ୍ତା ଦେଲେ ଯୁବକ।

ଗାନ୍ଧୀ ଜୟନ୍ତୀରେ ଜୟ କିଶାନ୍ ୟୁଥ୍ କ୍ଲବ୍‌ର ସ୍ୱଚ୍ଛତା ଅଭିଯାନ: “ସ୍ୱଚ୍ଛ ଗାଁ, ସୁସ୍ଥ ଗାଁ” ବାର୍ତ୍ତା ଦେଲେ ଯୁବକ।

by Maraguda Express
0 comments
ନୂଆପଡ଼ା -୦୩/୧୦- ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ପେଣ୍ଡରାବନ୍ଧ ପଞ୍ଚାୟତ ବାହାବଲ୍ ଗ୍ରାମ ସ୍ଥିତ ଜୟ କିଶାନ୍ ୟୁଥ୍ କ୍ଲବ୍ ଓ My Bharat Nuapada ପକ୍ଷରୁ ସ୍ୱଚ୍ଛତା ପଖୱାଡ଼ା କାର୍ଯ୍ୟକ୍ରମ ଉତ୍ସାହର ସହିତ ପାଳିତ ହୋଇଯାଇଛି। ଗାନ୍ଧୀଜୀଙ୍କ ସ୍ୱଚ୍ଛତାର ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ସହ ଏକ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନ ପାଇଁ ଯୁବପିଢ଼ିଙ୍କୁ ସଚେତନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଏହି ଅବସରରେ କ୍ଲବ୍‌ର ଯୁବ ସଦସ୍ୟମାନେ ଗାଁର ସ୍କୁଲ ପରିସରରେ ସ୍ୱଚ୍ଛତା ଅଭିଯାନ କରିଥିଲେ। ଏଥିସହ ରାସ୍ତା, ସର୍ବସାଧାରଣ ସ୍ଥାନ ଓ ଆଖପାଖ ଅଞ୍ଚଳରେ ପଡ଼ିଥିବା ଅଳିଆ-ଆବର୍ଜନା ସଫା କରି ପରିବେଶକୁ ସ୍ୱଚ୍ଛ ରଖିବାର ବାର୍ତ୍ତା ଦେଇଥିଲେ।ପରେ ଯୁବକମାନେ ପଞ୍ଚାୟତକୁ ଯାଇ ଗ୍ରାମସଭାରେ ପଞ୍ଚାୟତବାସୀଙ୍କୁ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ପ୍ଲାଷ୍ଟିକ୍ ବ୍ୟବହାର କମାଇବା ସମ୍ପର୍କରେ ସଚେତନ କରିଥିଲେ। ଘର ଓ ପରିବେଶରେ ଅଳିଆ ନ ପକାଇବା, ଆବର୍ଜନାକୁ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବା ଏବଂ ପ୍ଲାଷ୍ଟିକ୍‌ର ବ୍ୟବହାର କମାଇବା ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା।କାର୍ଯ୍ୟକ୍ରମ ସମୟରେ ଯୁବକମାନେ “ସ୍ୱଚ୍ଛ ଗାଁ, ସୁସ୍ଥ ଗାଁ” ଏବଂ “ସ୍ୱଚ୍ଛତା ହିଁ ସେବା” ଭଳି ସଚେତନତାମୂଳକ ବାର୍ତ୍ତା ଦେଇ ନିଜ ଘର, ଗାଁ ଓ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଗ୍ରାମବାସୀଙ୍କୁ ଆହ୍ୱାନ କରିଥିଲେ। ମହାତ୍ମା ଗାନ୍ଧୀ ସ୍ୱଚ୍ଛତାକୁ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଭାବେ ଗ୍ରହଣ କରିଥିଲେ। ତାଙ୍କର ସ୍ୱଚ୍ଛ ଓ ସୁସ୍ଥ ଭାରତର ସ୍ୱପ୍ନକୁ ସାକାର କରିବାରେ ଯୁବପିଢ଼ିର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଯୁବପିଢ଼ି ଆଗେଇ ଆସି ସ୍ୱଚ୍ଛତା ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ଆବଶ୍ୟକ ବୋଲି ଜୟ କିଶାନ୍ ୟୁଥ୍ କ୍ଲବ୍ ପକ୍ଷରୁ କୁହାଯାଇଛି। ଏହି କାର୍ଯ୍ୟକ୍ରମରେ କ୍ଲବ୍‌ର ସଭାପତି ଯୋଗୀନ୍ଦ୍ର ବାଗ, ଉପସଭାପତି ନବୀନ ବାଗ, ସମ୍ପାଦକ ସିମାଞ୍ଚଲ ବାଗ, ଦେବାର୍ଚନ ବାଗ, ଧର୍ମେନ୍ଦ୍ର ବାଗ (ମାନସ), ଚନ୍ଦ୍ରଶେଖର ପୋଢ଼, ଘନଶ୍ୟାମ ପୋଢ଼, ଛନ୍ଦା ଚରଣ ନିଆଲ, ଗଗନ ବାଗ ଓ ମୀନକେତନ ବାଗଙ୍କ ସମେତ କ୍ଲବ୍‌ର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ଏଥିସହ ଗ୍ରାମର ଭଦ୍ରବ୍ୟକ୍ତି ଧୁବଲେଶ୍ୱର ପୋଢ଼ ଓ ପୂର୍ଣ୍ଣଚନ୍ଦ୍ର ପୋଢ଼, ଗ୍ରାମର ୱାର୍ଡ ମେମ୍ବର ହନୁ ମାଝୀ ଏବଂ ଆଶା କର୍ମୀ ଉପସ୍ଥିତ ରହି ଅଭିଯାନକୁ ସହଯୋଗ କରିବା ସହ ଯୁବକମାନଙ୍କୁ ଉତ୍ସାହିତ କରିଥିଲେ।“ସ୍ୱଚ୍ଛତା ଆମର ଦାୟିତ୍ୱ — ସ୍ୱଚ୍ଛ ଗାଁ ଆମର ଲକ୍ଷ୍ୟ” ବାର୍ତ୍ତା ସହ ଏହି ସ୍ୱଚ୍ଛତା ଅଭିଯାନ ଗାନ୍ଧୀ ଜୟନ୍ତୀର ମହତ୍ତ୍ୱକୁ ଆହୁରି ସାର୍ଥକ କରିଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha