27
Table of Contents
ନୂଆପଡ଼ା- ୧୯/୧୧- ଜୀବନର ମୂଲ୍ୟବୋଧ, ଚିନ୍ତାଧାରା, ନୈତିକତା ଏବଂ ସତ୍ୟର ଅନ୍ୱେଷଣ ଦିଗରେ ଦର୍ଶନ ଶାସ୍ତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମଣିଷକୁ ଯୁକ୍ତିନିଷ୍ଠ, ବିବେକବାନ ଓ ମାନବିକ କରି ଗଢ଼ିତୋଳିବାରେ ଦର୍ଶନ ଶାସ୍ତ୍ରର ଅବଦାନ ଅତୁଳନୀୟ। ଏହି ମହତ୍ତ୍ୱପୂର୍ଣ୍ଣ ବିଷୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜ୍ଞାନ, ଚିନ୍ତନ ଓ ବୌଦ୍ଧିକ ଚେତନାର ବିକାଶ ଉଦ୍ଦେଶ୍ୟରେ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଦର୍ଶନ ଶାସ୍ତ୍ର ବିଭାଗ ପକ୍ଷରୁ ବିଶ୍ୱ ଦର୍ଶନ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼. ରଣବୀର ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଦର୍ଶନ ଶାସ୍ତ୍ର ବିଭାଗୀୟ ମୁଖ୍ୟ ଅଧ୍ୟାପିକା ରାଜେଶ୍ୱରୀ କରୁଁଆ ଉପସ୍ଥିତ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ ଜଣାଇବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ବିଶ୍ୱ ଦର୍ଶନ ଦିବସର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାଜନୀତି ବିଜ୍ଞାନ ବିଭାଗୀୟ ମୁଖ୍ୟ ସୁନୀଲ କୁମାର ପାଢ଼ୀ, ଛାତ୍ର କଲ୍ୟାଣ ଅଧିକାରୀ ଡ଼. ଗୀତାଶ୍ରୀ ପ୍ରିୟମ୍ବଦା ଏବଂ ବିଭାଗୀୟ ଅଧ୍ୟାପକ ପ୍ରଦୀପ କୁମାର ବେହେରା ଯୋଗଦେଇ ଦର୍ଶନ ଶାସ୍ତ୍ରର ବିଭିନ୍ନ ଦିଗ, ଏହାର ମୂଳ ତତ୍ତ୍ୱ ଏବଂ ମାନବ ଜୀବନରେ ଏହାର ପ୍ରାସଙ୍ଗିକତା ସମ୍ପର୍କରେ ନିଜ ନିଜର ମତାମତ ରଖିଥିଲେ। ଦର୍ଶନ କେବଳ ପୁସ୍ତକଗତ ଜ୍ଞାନ ନୁହେଁ, ବରଂ ଏହା ମଣିଷକୁ ନିଜକୁ ଜାଣିବା, ସମାଜକୁ ବୁଝିବା ଏବଂ ଜୀବନର ବିଭିନ୍ନ ଜଟିଳ ପ୍ରଶ୍ନର ଯୁକ୍ତିସଙ୍ଗତ ଉତ୍ତର ଖୋଜିବାରେ ସହାୟକ ହୋଇଥାଏ ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା।
କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଭାବେ ଦର୍ଶନ ଶାସ୍ତ୍ର ବିଭାଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦର୍ଶନ ଶିକ୍ଷା ଆଧାରିତ ପ୍ରବନ୍ଧ ଲିଖନ ଓ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ବୌଦ୍ଧିକ ଦକ୍ଷତା, ବିଷୟଭିତ୍ତିକ ଜ୍ଞାନ, ଚିନ୍ତନ ଶକ୍ତି ଓ ତର୍କ କରିବାର କ୍ଷମତା ପ୍ରଦର୍ଶନ କରିଥିଲେ।ପ୍ରବନ୍ଧ ପ୍ରତିଯୋଗିତାରେ ଶୁଭମ ମେହେର, ଖଗେଶ୍ୱରୀ ମାଝି ଓ ନୀଳମଣି ରଣା ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ହାସଲ କରିଥିବାବେଳେ ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ମଞ୍ଜୁ ଶବର, ଅଶ୍ୱତି ନାୟକ ଓ ଶୁଭମ ମେହେର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ।