28
ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟିର ନୂତନ ସଭାପତି ଅଙ୍କିତ ସିଂଘାଇଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଆୟୋଜିତ ହୋଇଥିଲା। ପ୍ରଥମେ ନୂଆପଡ଼ା ପୋଲିସ ପଡ଼ିଆଠାରେ ଏକ ସାଧାରଣ ସଭା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ଓ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।
ନୂଆପଡ଼ା -୨୮/୦୯- ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣି ତାଙ୍କ ବହିଷ୍କାର ଓ ଇସ୍ତଫା ଦାବି କରିଛି ନୂଆପଡ଼ା ଜିଲ୍ଲା କଂଗ୍ରେସ କମିଟି। ଏହାସହ ଅଭିଯୋଗ ସମ୍ପର୍କରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରି ସୋମବାର ନୂଆପଡ଼ାରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି।
ସଭାରେ ବକ୍ତାମାନେ ନିର୍ବାଚନ ପ୍ରକ୍ରିୟା ଓ ନିର୍ବାଚନ ଆୟୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ମଧ୍ୟ ସମାଲୋଚନା କରିଥିଲେ। ଆନ୍ଦୋଳନକାରୀମାନେ ନିର୍ବାଚନ ଆୟୋଗଙ୍କ ବିରୋଧରେ ନିଜ ଦାବି ଓ ପ୍ରତିବାଦ ଜଣାଇଥିଲେ।ପରେ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ନୂଆପଡ଼ା ସହର ପରିକ୍ରମା କରିଥିଲେ। ଏହାପରେ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘେରାଉ କରିଥିଲେ।
ଏହି ଅବସରରେ ଆନ୍ଦୋଳନକାରୀଙ୍କ ପକ୍ଷରୁ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତଙ୍କୁ ପ୍ରଦାନ କରାଯାଇଥିଲା। ଦାବିପତ୍ରରେ ମୁଖ୍ୟ ନିର୍ବାଚନ ଆୟୋଗ ଜ୍ଞାନେଶ କୁମାରଙ୍କ ବିରୋଧରେ ଉଠାଯାଇଥିବା ଅଭିଯୋଗର ତଦନ୍ତ, ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ବହିଷ୍କାର ଓ ଇସ୍ତଫା ଦାବି ଉଲ୍ଲେଖ ରହିଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।
ଏହି ବିକ୍ଷୋଭରେ ରାଜ୍ୟ ସାଧାରଣ ସମ୍ପାଦକ ଫକୀର ମୋହନ ଜଗତ, ସମ୍ପାଦକ କମଲ ଚରଣ ତାଣ୍ଡି, ଫାରୁକ୍ ମହମ୍ମଦ, ପବନ ଶର୍ମା , ଭରତ ରାଉତ, ସହରୁଖ ଖାନ , ହିରାଲାଲ ପଟେଲ, ଇସାକ ମହମ୍ମଦ, ମୋତି ରୱାଲ ଓ ହେମ କୁମାର ନିଆଲ, କୁନା ନାଏକଙ୍କ ସମେତ ଶତାଧିକ କଂଗ୍ରେସ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।
କଂଗ୍ରେସ ନେତାମାନେ ନିଜ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଦାବି କରିଥିବା ସୂଚନା ମିଳିଛି।