Home ରାଜ୍ୟନୂଆପଡ଼ାରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଅବସରରେ ‘ମିଡିଆ କନେକ୍ସନ୍’ : ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷାରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱ।

ନୂଆପଡ଼ାରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ଅବସରରେ ‘ମିଡିଆ କନେକ୍ସନ୍’ : ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷାରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱ।

by Maraguda Express
0 comments
ନୂଆପଡ଼ା -୧/୧୦- ଜଙ୍ଗଲ, ବନ୍ୟଜନ୍ତୁ ଓ ପ୍ରକୃତିର ସୁରକ୍ଷା ସହ ଜୈବ ବିବିଧତା ସଂରକ୍ଷଣ ନେଇ ଜନସଚେତନତା ବୃଦ୍ଧି ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଡିଭିଜନାଲ୍ ଫରେଷ୍ଟ ଅଫିସ୍‌ର ସମ୍ମିଳନୀ କକ୍ଷରେ ୭୨ତମ ବନ୍ୟପ୍ରାଣୀ ସପ୍ତାହ ପାଳନ-୨୦୨୬ ଅବସରରେ ‘ମିଡିଆ କନେକ୍ସନ୍’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଏଫ୍‌ଓ ସମୀର କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଏସିଏଫ୍ ଅଜୟ ଖେସ୍ ଓ ସଞ୍ଜୀବ କୁମାର ବନଗୋଲା ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇଥିଲେ। ପ୍ରାରମ୍ଭରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ଡିଏଫ୍‌ଓ ସମୀର କୁମାର ସାହୁ କହିଥିଲେ ଯେ, ପ୍ରତିବର୍ଷ ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଏ। ଜଙ୍ଗଲ, ବନ୍ୟଜନ୍ତୁ ଓ ପରିବେଶୀୟ ପରିସଂସ୍ଥାର ସୁରକ୍ଷା ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ପାଳନର ମୁଖ୍ୟ ଉଦ୍ଦେଶ୍ୟ। ତେବେ କିଛି ବିଶେଷ କାରଣରୁ ଚଳିତବର୍ଷ ଏହି କାର୍ଯ୍ୟକ୍ରମ ପୂର୍ବରୁ ଆୟୋଜନ କରାଯାଇଥିବା ସେ ସୂଚନା ଦେଇଥିଲେ।‘ମିଡିଆ କନେକ୍ସନ୍’ କାର୍ଯ୍ୟକ୍ରମରେ ବନ ବିଭାଗର ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଯୋଗାଯୋଗ ଓ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସ୍ଥାନୀୟ ଜୈବ ବିବିଧତା, ବନ୍ୟଜନ୍ତୁ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଓ ପରିବେଶ ସମ୍ପର୍କିତ ତଥ୍ୟ ସଠିକ୍ ଓ ଦାୟିତ୍ୱପୂର୍ଣ୍ଣ ଭାବେ ଲୋକଙ୍କ ନିକଟରେ ପହଞ୍ଚାଇବାରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା ହୋଇଥିଲା। ବନ୍ୟପ୍ରାଣୀ ସମ୍ପର୍କିତ ଖବର ପ୍ରକାଶ ସମୟରେ ତଥ୍ୟର ସଠିକତା, ଦାୟିତ୍ୱବୋଧ ଓ ସମ୍ବେଦନଶୀଳତା ରକ୍ଷା କରିବା ଉପରେ ମଧ୍ୟ ମତବିନିମୟ ହୋଇଥିଲା। ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣମୂଳକ ପଦକ୍ଷେପ ସମ୍ପର୍କରେ ଅଧିକରୁ ଅଧିକ ଜନସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମ ଏକ ପ୍ରଭାବଶାଳୀ ମାଧ୍ୟମ ବୋଲି ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା।ବିଶେଷକରି ସୁନାବେଡ଼ା ବନ୍ୟପ୍ରାଣୀ ଅଭୟାରଣ୍ୟର ସ୍ୱତନ୍ତ୍ର ପ୍ରାକୃତିକ ପରିବେଶ, ସମୃଦ୍ଧ ଜଙ୍ଗଲ, ଜୈବ ବିବିଧତା ଓ ମନୋରମ ଜଳପ୍ରପାତଗୁଡ଼ିକର ସୁରକ୍ଷା ଉପରେ ଆଲୋଚନା କରାଯାଇଥିଲା। ଅଭୟାରଣ୍ୟର ସମ୍ବେଦନଶୀଳ ପରିବେଶକୁ ସୁରକ୍ଷିତ ରଖିବା ସହ ପର୍ଯ୍ୟଟକ ଓ ସାଧାରଣ ଲୋକଙ୍କ ପାଇଁ ଲାଗୁଥିବା ପ୍ରବେଶ ସମ୍ପର୍କିତ ନିୟମାବଳୀ ବିଷୟରେ ଡିଏଫ୍‌ଓ ସମୀର କୁମାର ସାହୁ ବିସ୍ତୃତ ତଥ୍ୟ ରଖିଥିଲେ।
କାର୍ଯ୍ୟକ୍ରମରେ ବନ ବିଭାଗର କର୍ମଚାରୀଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ। ବନ୍ୟପ୍ରାଣୀ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ବନ ବିଭାଗ ଓ ଗଣମାଧ୍ୟମ ମଧ୍ୟରେ ନିରନ୍ତର ସମନ୍ୱୟ ଓ ସହଯୋଗ ଆବଶ୍ୟକ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା।
ପ୍ରକୃତି ଓ ବନ୍ୟଜୀବ ସୁରକ୍ଷାର ବାର୍ତ୍ତାକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ସହ ସ୍ଥାନୀୟ ଜୈବ ବିବିଧତା ପ୍ରତି ଲୋକଙ୍କ ଦାୟିତ୍ୱବୋଧ ବୃଦ୍ଧି କରିବା ଦିଗରେ ଏହି ‘ମିଡିଆ କନେକ୍ସନ୍’ କାର୍ଯ୍ୟକ୍ରମ ଏକ ସମନ୍ୱୟମୂଳକ ପଦକ୍ଷେପ ଭାବେ ପରିଗଣିତ ହୋଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha