
ନୂଆପଡା -୨/୧୦ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ଉତ୍ସବ ସ୍ଥାନୀୟ ଗାନ୍ଧୀ ପ୍ରମୋଦ ଉଦ୍ୟାନରେ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦାନ କରି ଦୁଇ ମହାମାନବଙ୍କୁ ପୁଷ୍ପମାଲ୍ୟ ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ମନ୍ତ୍ରୀ ମହୋଦୟ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାସହ ପ୍ରଧାନମନ୍ତ୍ରୀଙ୍କର ସ୍ବଚ୍ଛତା ଅଭିଯାନକୁ ସବୁ ଘରେ ପହଞ୍ଚାଇ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଆହ୍ବାନ ଦେଇଥିଲେ ।
ସମାରୋହରେ ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ନୂଆପଡା ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଦୀପିକା ଦୀପ, ଖରୀଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ସୋନିଆ ଗୋଲ୍ଡି ଅଗ୍ରୱାଲ, ବିଜେଡି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ , ଜିଲ୍ଲା କ୍ରିକେଟ ସଂଘ ସଭାପତି ସରୋଜ କୁମାର ସାହୁ ପ୍ରମୁଖ ଯୋଗଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସମାଜ ସେବୀ ତଥା ଆଇନଜିବୀ ପ୍ରସନ୍ନ କୁମାର ପାଢ଼ୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୀବନ ଦର୍ଶନ ଉପରେ ଆଲୋଚନା କରିଥିଲେ ।
ଜିଲ୍ଲାପାଳ ଛାତ୍ର ଛାତ୍ରୀ ମାନଙ୍କୁ ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ବାଣୀ ଓ କର୍ମ ଦ୍ଵାରା ଅନୁପ୍ରାଣୀତ ହୋଇ ଜଣେ ଜଣେ ଉତ୍ତମ ନାଗରିକ ହେବା ସହିତ ସ୍ୱଚ୍ଛ ସୁନ୍ଦର ସବୁଜ ନୂଆପଡା ଗଢ଼ିବା ପାଇଁ ଉଦ୍ବୋଧନ ଦେଇଥିଲେ । କଳାକାର ବଳରାମ ସୋନି ଓ ସାଥି ଗାନ୍ଧିଜୀଙ୍କ ପ୍ରିୟ ଭଜନ ପରିବେଷଣ କରିଥିଲେ l ସ୍ମୃତି ସଭାରେ ଜିଲ୍ଲା ସ୍ତରୀୟ ବିଭିନ୍ନ ଅଧିକାରୀ, ଜନପ୍ରତିନିଧି, ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ, ଗାନ୍ଧୀ ପ୍ରେମୀ ନାଗରିକ ମଣ୍ଡଳୀ ତଥା ଗଣ ମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ସଭା ପରିଚାଳନା କରିଥିଲେ ।ବରିଷ୍ଠ ରାଜସ୍ଵ ସହାୟକ ବିଭୁଦତ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।