
ନୂଆପଡ଼ା ରେ ‘ଦେଶ ପାଇଁ ମଧ୍ୟସ୍ଥତା’ ୯୦ ଦିନିଆ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ l
ନୂଆପଡ଼ା -୧୧/୭(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ନ୍ୟାୟାଳୟ ପରିସର ମଧ୍ୟରେ ଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଭାଗୃହରେ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହେବାକୁ ଯାଉଥିବା ୯୦ ଦିନିଆ ‘ଦେଶ ପାଇଁ ମଧ୍ୟସ୍ଥତା’ କାର୍ଯ୍ୟକ୍ରମକୁ ସଫଳ ରୂପେ ସମ୍ପାଦନ କରିବା ଉଦ୍ଦେଶ୍ଯରେ ଏକ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡା, ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ସୁନୀଲ କୁମାର ଦାସ, ମୂଖ୍ୟ ବିଚାରବିଭାଗୀୟ ଦଣ୍ଡାଧିକାରୀ ପ୍ରଜ୍ଞାପରମିତା ମହାପାତ୍ର, ବରିଷ୍ଠ ଦେୱାନୀ ଜଜ୍ ସୂର୍ଯ୍ୟକାନ୍ତ ଆଚାର୍ଯ୍ଯ, ବରିଷ୍ଠ ଦେୱାନୀ ଜଜ୍ (ମହିଳା ନ୍ୟାୟାଳୟ) ସରୋଜିନୀ ସାହୁ, ନିବନ୍ଧକ ସୌଭାଗ୍ଯ ରଞ୍ଜନ ପ୍ରଧାନ, ଉପଖଣ୍ଡ ବିଚାରବିଭାଗୀୟ ଦଣ୍ଡାଧୀଶ ସ୍ନାତକି ଦାଶ, ଆଇନଜୀବୀ ଓ ଅଧିକାର ମିତ୍ରଗଣ ପ୍ରମୁଖ ଉପସ୍ଥିତ ହୋଇ ମଧ୍ୟସ୍ଥତା ମାଧ୍ୟମରେ କିପରି ଅଧିକ ରୁ ଅଧିକ ମାମଲାର ସମାଧାନ ହୋଇ ପାରିବ ତା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାଶ ସ୍ଵାଗତ ସମ୍ଭାଷଣ ଦେବା ସହିତ ପ୍ୟାନେଲ ଓକିଲ, ଅଧିକାର ମିତ୍ରଗଣ ଏବଂ ଗଣମାଧ୍ୟମ ପ୍ରତିନିଧିମାନଂକୁ ମଧ୍ୟସ୍ଥତା କାର୍ଯ୍ୟକ୍ରମ ର ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ ଅନୁରୋଧ କରିଥିଲେ । ମଧ୍ୟସ୍ଥତା ମାଧ୍ୟମରେ ନିଜର ବହୁଦିନର ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ ତଥା ଫୌଜଦାରୀ (ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବୈବାହିକ ମାମଲା, ଜମି ଅଧିଗ୍ରହଣ, ଚେକ୍ ବାଉନ୍ସ ମାମଲା, ଖାଉଟି କଲ୍ୟାଣ ମାମଲା ଇତ୍ୟାଦିର ଆପୋଷ ସହମତିରେ କମ ଖର୍ଚ୍ଚରେ ଏବଂ ସରଳ ଉପାୟରେ ସମାଧାନ କରିବାକୁ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ l ନିକଟସ୍ଥ ନ୍ୟାୟାଳୟରେ ନିଜର ବିଚାର ଅପେକ୍ଷାରେ ଥିବା ମାମଲାରେ ମଧ୍ୟସ୍ଥତା ପାଇଁ ମଧ୍ୟ ଆବେଦନ କରିବାକୁ ଅନୁରୋଧ କରିଥିଲେ ।
ନୂଆପଡ଼ା ରେ ‘ଦେଶ ପାଇଁ ମଧ୍ୟସ୍ଥତା’ ୯୦ ଦିନିଆ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ବୈଠକ
162