
ନୂଆପଡା -୧୬/୧୦ (ସୁରେନ୍ଦ୍ର ତିୱାରୀ) ନୂଆପଡା – ୭୧ ବିଧାନସଭା ନିର୍ବାଚନମଣ୍ଡଳୀର ଆଗାମୀ ଉପ-ନିର୍ବାଚନ ସମୟରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ପାଇଁ ରହିବା ଉପଯୁକ୍ତ ଅସ୍ଥାୟୀ ବ୍ୟବସ୍ଥା ଆୟୋଜନ ସମ୍ପର୍କିତ ଏକ ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ୍ ସିଂ ମଧ୍ୟ ଯୋଗ ଦେଇଥିଲେ l ପ୍ରାରମ୍ଭରେ ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ସ୍ୱାଗତ କରି ବୈଠକର ଉଦ୍ଦେଶ୍ୟ ବିଷୟରେ ସୂଚନା ଦେଇଥିଲେ। ଉପ ନିର୍ବାଚନରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ l ଏଥିପାଇଁ କେନ୍ଦ୍ର ସରକାରଙ୍କ ସୀମା ସୁରକ୍ଷା ବଳ ର ୪ ଟି କମ୍ପାନୀ, କେନ୍ଦ୍ର ଉଦ୍ୟୋଗିକ ସୁରକ୍ଷା ବଳ ର ୫ ଟି କମ୍ପାନୀ ଏବଂ ରିଜର୍ଭ ସୁରକ୍ଷା ବଳ ର ୫ ଟି ମୋଟ ୧୪ କମ୍ପାନୀ ପୋଲିସ୍ ନିୟୋଜିତ ହେବେ l ଏମାନଙ୍କ ସାମୟିକ ରହଣି ପାଇଁ ଉପଯୁକ୍ତ ବାସସ୍ଥାନ ଚିହ୍ନଟ ଏବଂ ପ୍ରସ୍ତୁତି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଜିଲ୍ଲାର ବିଭିନ୍ନ ହାଇସ୍କୁଲ୍ , କଲେଜ, କମ୍ୟୁନିଟି ହଲ୍, ଟାଉନ ହଲ୍, ମିଶନ ଶକ୍ତି ଗୃହ ଆଦି ୧୪ ଟି ସ୍ଥାନ ପ୍ରସ୍ତାବ ଗୃହୀତ ହୋଇଥିଲା l ଏସବୁ ମଧ୍ୟରୁ କେତେକ ସ୍ଥାନରେ ଶୌଚାଳୟ, ବିଦ୍ୟୁତ୍ ସଂଯୋଗ ଭଳି ସର୍ବନିମ୍ନ ସୁବିଧା ସୁଯୋଗ ନ ଥିବାରୁ ଯୁଦ୍ଧ କାଳୀନ ଭିତ୍ତିରେ ଏସବୁ ସୁବିଧା ଯୋଗାଇ ଦେବା ପାଇଁ ଅଧିକ୍ଷଣ ଯନ୍ତ୍ରୀ ପୂର୍ତ୍ତ ବିଭାଗ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ଜନ ସ୍ଵାସ୍ଥ୍ୟ ବିଭାଗ ଓ ବିଦ୍ୟୁତ୍ ବିଭାଗଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l ଏମାନଙ୍କ ପାଇଁ ଅସ୍ଥାୟୀ ଭାବରେ ଖଟ ଯୋଗାଇବା ବ୍ୟବସ୍ଥା ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ କରିବେ l ଆଜିର ବୈଠକରେ ଜିଲ୍ଲାପାଳ ଓ ଏସ୍ପିଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ ଏବଂ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।