ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ରଥ ଦେଖା ହେଲା କାଳ: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ରେ ଚାଲିଗଲା ୪ ଜୀବନ
ନୂଆପଡା -୨୯/୬ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲା କୋମନା ଥାନା ଅନ୍ତର୍ଗତ ପଲସିପାଣି ଛକ ୩୫୩ ନମ୍ବର ଜାତୀୟ ରାଜପଥରେ ଉପରେ ଶନିବାର ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ୪ଜଣ ଙ୍କ ମୃତ୍ୟୁ ଘଟଣା ଅଞ୍ଚାଳରେ ଶୋକ ଖେଳାଇ ଦେଇଛି।ମୃତକ ହେଲେ ପଲସିପାଣି ର ଲଳିତ ଶବର(୪୦), ଭଉଣୀ ସୁନାଫୁଲ ଶବର(୨୫), ଝିଅ ଡିଲେଶ୍ୱରି ଶବର(୭) ଏବଂ ଅନ୍ୟ ଜଣେ ବରଗଡ଼ ଜିଲା ପାଇକମାଲ ଥାନା ଚୁହାପାଲି ଗ୍ରାମର କ୍ଷୀର ରାହୁଲ(୩୫) ବୋଲି ଜଣାପଡିଛି। ୪ ଗୁରୁତର ହେଲେ ରୋଶନ ଶବର(୧୫), ଲେମ୍ବୁବତି ଶବର(୩୨), ନରେଶ ଶବର(୫) ଏବଂ ହିତେଶ ଶବର (୩୫) ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ, ଶନିବାର ପଲସିପାଣି ଗାଁର ଲଳିତ ଶବର ନିଜ ପରିବାର ୫ଜଣ ଏକ ବାଇକରେ ବସି ରଥଯାତ୍ରା ଦେଖିବା ପାଇଁ ବଞ୍ଜାରି ଗାଁକୁ ଯାଉଥିଲେ। ସେତିକିବେଳେ ପାଲସିପାଣି ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ସହ ମୁହାଁମୁହିଁ ଧକ୍କା ହେବାରୁ ଦୁଇଟି ବାଇକ୍ରେ ଥିବା ୮ଜଣ ରାସ୍ତା କଡ଼ରେ ଛିଟିକି ପଡି ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଲଳିତ, ଡିଲେଶ୍ୱରି, ସୁନାଫୁଲ ଓ କ୍ଷୀରଙ୍କୁ ମୃତ ଘୋଷଣା କରିଛନ୍ତି । ଗୁରୁତରମାନଙ୍କ ମଧ୍ୟରୁ ରୋଶନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଅନ୍ୟ ୩ଜଣ ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି ।
ଖବର ପାଇ ତରବୋଡ ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରିଛି । ରବିବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂତ୍ର ରୁ ପ୍ରକାଶ।