
ନୂଆପଡ଼ା -୧୫/୮ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ଅନ୍ତର୍ଗତ ଜଟଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ଅଭାବ ସମସ୍ୟା ନେଇ ଆଜି ଲୋକେ ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣା ଦେଇଛନ୍ତି। ବ୍ଳକ ଶିକ୍ଷାଧିକାରୀଙ୍କ ହସ୍ତକ୍ଷେପ, ଶିକ୍ଷକ ନିଯୁକ୍ତିର ପ୍ରତିଶ୍ରୁତି ପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ। ସୂଚନା ମତେ, କୋମନା ବ୍ଳକ ଜଟଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନର ବ୍ୟବସ୍ଥା ରହିଛି। ଶିଶୁ ବାଟିକାରେ ୨୫ଜଣ ଛାତ୍ରଛାତ୍ରୀଙ୍କୁ ମିଶାଇ ସ୍କୁଲରେ ୧୭୩ ଛାତ୍ରଛାତ୍ରୀ ପାଠପଢୁଛନ୍ତି। ପୂର୍ବରୁ ସାତ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଥିଲେ। କିଛିଦିନ ତଳେ ତିନି ଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଫଳରେ ଶିଶୁବାଟିକା ସହ ୯ ଟି ଶ୍ରେଣୀର ୧୭୦ ରୁ ଅଧୂକ ପିଲାଙ୍କ ପାଇଁ ଚାରିଜଣ ଶିକ୍ଷକ ଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଥିଲା। ଶିକ୍ଷକ ବଦଳିର ଅନେକ ଦିନ ବିତିଯାଇଥିଲେ ମଧ୍ୟ ଖାଲି ପଡିଥିବା ସ୍ଥାନରେ ନୂତନ ଶିକ୍ଷକ ନିଯୁକ୍ତ ନହେବାରୁ ଲୋକେ ନିରାଶ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଥିଲେ। ସ୍କୁଲ୍ ପରିଚାଳନା କମିଟି ସଭାପତି ପ୍ରମୋଦ ପ୍ରଧାନ, ଅନନ୍ତ ସାହୁ, ଜ୍ୟୋସ୍ନା ପ୍ରଧାନ, ମାଧବ ରଣା, କରୁଣାକର ବାଗ, କାର୍ତିକ ହଂସ, ସୁନିଲ ହଂସ, ବିବେକ ବାଗ ପ୍ରମୁଖଙ୍କ ସହ ଗ୍ରାମବାସୀ ସ୍କୁଲ୍ ଗେଟ୍ ରେ ତାଲା ପକାଇ ଧାରଣାରେ ବସିଥିଲେ । ଖବର ପାଇ କୋମନା ବିଇଓ ଅନୀତା ପଣ୍ଡା, ଏବିଇଓ ବଲମତ ମାଝି ଘଟଣା ସ୍ଥଳ ରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ହେଲେ ନୂତନ ଶିକ୍ଷକ ଯୋଗ ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରିରହିବ ବୋଲି ଲୋକେ ଅଡିବସିଥିଲେ । ଜରୁରୀକାଳିନ ଭିଭିରେ ଜଣେ ଶିକ୍ଷକଙ୍କ ଡେପୁଟେସନ ପରେ ଲୋକେ ଧାରଣାରୁ ଉଠିଛନ୍ତି। ଖାଲିପଡିଥିବା ଅନ୍ୟ ଶିକ୍ଷକଙ୍କ ସ୍ଥାନ ଶିଘ୍ର ପୂରଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଲୋକେ ଚେତାବନୀ ଦେଇଛନ୍ତି।
କୋମନା ବ୍ଲକ : ଥମୁନି ବିଦ୍ୟାଳୟ ରେ ତାଲା ବନ୍ଦ ଆନ୍ଦୋଳନ।
61