ନୂଆପଡ଼ା -୯/୧୦ (ସୁରେନ୍ଦ୍ର ତିୱାରୀ) ଦୀର୍ଘ ଦୁଇ ସପ୍ତାହ ରୁ ଉର୍ଦ୍ଧ୍ବ ହେବ ଗୋଡାଳ ଜଳ ଯୋଗାଣ ପ୍ରକଳ୍ପ ରୁ ଜଳ ଯୋଗାଣ ହେଉନି। ଯାହା ଫଳରେ ଅଞ୍ଚଳ ର ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ଅଞ୍ଚଳ ର ଜନସାଧାରଣ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇ ନାହିଁ। ବିଭାଗୀୟ ଯନ୍ତ୍ରୀ କେଶବ ସାହୁ ଙ୍କୁ ଏହାର ପ୍ରତିକାର ପାଇଁ ଅନେକ ଜନପ୍ରତିନିଧି ଯୋଗାଯୋଗ କରୁଥିଲେ ମଧ୍ଯ ଧରାଛୁଆଁ ଦେଉ ନ ଥିବା ବେଳେ ତାଙ୍କ ମୋବାଇଲ ନମ୍ବର ରେ ଯୋଗାଯୋଗ କଲେ ମଧ୍ୟ କୌଣସି ଉତ୍ତର ମିଲିପାରୁ ନାହିଁ ବୋଲି ଅଞ୍ଚଳ ର ଲୋକେ ଅଭିଯୋଗ କରିଛନ୍ତି। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଗୋଡାଳ ଜଳ ଯୋଗାଣ ପ୍ରକଳ୍ପ ରୁ ଗୋଡ଼ାଳ ଗ୍ରାମ ସହିତ ମହଗାଁ, କୋଟାମାଳ, ବ୍ରାହ୍ମଣପଡ଼ା ଗ୍ରାମର ଜନସାଧାରଣ ନିର୍ଭର କରିଥାନ୍ତି। ସିନାପାଲି ବ୍ଲକ ର ଏହି ପଞ୍ଚାୟତ ଏକ ଜନ ବହୁଳ ପଞ୍ଚାୟତ ହୋଇଥିବା ବେଳେ ଏଠାକାର ନଳକୂପ ଗୁଡିକରେ ଫ୍ଲୋରାଇଡ ଯୁକ୍ତ ପାଣି ବାହାରୁ ଥିବା ରୁ ଅଞ୍ଚଳ ର ଲୋକେ ଅନେକ ରୋଗର ଶୀକାର ହେଉଥିବା ଜାଣିବାକୁ ପାଇଥିଲେ। ବର୍ତ୍ତମାନ ମଧ୍ଯ ମହଗାଁ ଅଞ୍ଚଳ ରେ ଅନେକ ଲୋକ ଫ୍ଲୋରାଇଡ଼ ଯୁକ୍ତ ପାନୀୟ ଜଳ ବ୍ୟବହାର କରି ରୋଗ ଯନ୍ତ୍ରଣା ରେ ଛଟ ପଟ ହେଉଥିବା ବେଳେ ଅନେକ ମୃତ୍ୟୁ ବରଣ ମଧ୍ଯ କରି ସାରିଛନ୍ତି । ଏହାକୁ ଉପଲବ୍ଧି କରି ସରକାର ଙ୍କ ତରଫରୁ ଗତ ୨୦୨୨- ୨୩ ଆର୍ଥିକ ବର୍ଷରେ ବସୁଧା ଯୋଜନା ରେ ପ୍ରାୟ କୋଟିଏ ଟଙ୍କା ର ପ୍ରକଳ୍ପ ନିର୍ମାଣ କରଯାଇଥିଲା। ହେଲେ ନିର୍ମାଣ ହେବାର ଅଳ୍ପ କେଇ ଦିନ ପରେ ସେଠାରେ ଥିବା ବିଭିନ୍ନ ସରଞ୍ଜାମ କୁ କିଛି ଦୃର୍ବୁତ୍ତ ନେଇଗଲେ ବୋଲି ଜଳ ଯୋଗାଣ ହେଇ ପାରିଲା ନାହିଁ ବୋଲି ବିଭାଗୀୟ କର୍ମଚାରୀ ମାନେ କହିବା ସହ ପୁଣି କିଛି ଦିନ ପରେ ମୋଟର ଅଚଳ ହୋଇଥିବା କହିଥିଲେ। ସେହିପରି କିଛି ଦିନ ଟାଙ୍କି ର ତଳ ଭାଗ ରେ କଂକ୍ରିଟ କରଣ କରାଯିବ ବୋଲି କହିବା ସହ ବର୍ତ୍ତମାନ ବିଦ୍ୟୁତ କେବୁଲ ତାର ନଷ୍ଟ ହୋଇ ପଡ଼ିଛି ବୋଲି ଜଲ ଯୋଗାଣ ବନ୍ଦ ରହିଛି। ସେହିଭଳି ଗତ ଗ୍ରୀଷ୍ମ ଋତୁରେ କିଛି ଚାଷୀ ଧାନ ଚାଷ କରିଥିବା କହି ଜଳ ଯୋଗାଣ ବନ୍ଦ କରି ଦେଇଥିଲେ। ଏଭଳି ବାରମ୍ବାର ନିମ୍ନ ମାନର ସରଞ୍ଜାମ ଲାଗିଥିବା କାରଣରୁ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଏଠାରେ ନିଯୁକ୍ତ ଥିବା ବିଭାଗୀୟ ଯନ୍ତ୍ରୀ ଜାଣି ଶୁଣି ଏଭଳି ଏକ ପ୍ରକଳ୍ପ ର ବିଲ ପାସ କେମିତି କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରୁଛି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଯୁଗେନ ପଦର ସ୍ଥିତ ଉଦନ୍ତୀ ନଦୀ ରେ ପମ୍ପ ହାଉସ ରହିଛି। ଏଠାରୁ ଗୋଡ଼ାଳ ଟାଙ୍କି ରେ ଜମା ହୋଇ ୪ ଗୋଟି ଗ୍ରାମ କୁ ପାନୀୟ ଜଳ ଯୋଗାଣ ହୋଇଥାଏ। ହେଲେ ପ୍ରକଳ୍ପ ନିର୍ମାଣ ହେବା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଭଲ ଭାବରେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ବେଳେ ଯଥାଶୀଘ୍ର ଜଳ ଯୋଗାଣ କରା ନ ଗଲେ ପ୍ରଶାସନ କୁ ଘେରାଉ କରାଯିବା ସହ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଅଞ୍ଚଳବାସୀ କ୍ଷୋଭ ର ସହ ପ୍ରକାଶ କରିଛନ୍ତି। ସିନାପାଲି ବ୍ଲକ କାର୍ଯ୍ୟାଳୟ ଠାରୁ ଅନତି ଦୂରରେ ଥିବା ଏହି ଅଞ୍ଚଳ ରେ ଏଭଳି ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଉପାନ୍ତ ଅଞ୍ଚଳ ରେ କେଉଁ ପରିସ୍ଥିତି ଉପୁଜୁଥିବ ଅନୁମାନ କଲେ ବେଶ ବୁଝା ପଡୁଛି। ଏହି ସମସ୍ୟା କୁ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀ କେଶବ ସାହୁ ଙ୍କୁ ବାରମ୍ବାର ଯୋଗାଯୋଗ କରାଯାଇଥିବା ବେଳେ କୌଣସି ଉତ୍ତର ମିଳିପାରି ନାହିଁ। ଏ ଦିଗରେ ଉଚ୍ଚକର୍ତ୍ତୁପକ୍ଷ ଦୃଷ୍ଟି ଦେଇ ଜଳ ଯୋଗାଣ ସ୍ଵାଭାବିକ କରିବାକୁ ଅଞ୍ଚଳ ର ଅଧିବାସୀ ଦାବୀ କରିଛନ୍ତି।
ଦୁଇ ସପ୍ତାହ ହେଲା ବନ୍ଦ ରହିଛି ଗୋଡାଳ ଜଳ ଯୋଗାଣ ପ୍ରକଳ୍ପ
ସମସ୍ୟା ପ୍ରତି ତତ୍ପରତା ଦେଖାଉ ନି ଜଳ ଯୋଗାଣ ବିଭାଗ।
49
previous post