24
ନୂଆପଡ଼ା -୦୮/୦୧ (ମାରାଗୁଡ଼ା ଏକ୍ସପ୍ରେସ) ନୂଆପଡାରେ ଜଙ୍ଗଲ ନିଆଁ ପ୍ରତିରୋଧ ଓ ପରିଚାଳନା ନିମିତ୍ତ କାର୍ଯ୍ୟ ଖସଡ଼ା ପ୍ରସୂତି ପାଇଁ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୁଲ୍ୟରେ ଜିଲ୍ଲାପାଳଙ୍କ ସଭା କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିଲେ । ବନଖଣ୍ଡ ଅଧିକାରୀ ଟେରିଟୋରିଆଲ, ଅଜିଜ ଖାନ ସମସ୍ତଙ୍କୁ ସ୍ଵାଗତ କରି ବୈଠକର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ l ଜଙ୍ଗଲ ନିଆଁ ପ୍ରତିରୋଧ ଓ ପରିଚାଳନା ପାଇଁ ଜିଲ୍ଲା ସ୍ତରୀୟ ଏକଶନ ପ୍ଳାନ- ୨୦୨୬ ଉପରେ ଏହି ବୈଠକରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲାl ବୈଠକକୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ଜଙ୍ଗଲ ନିଆଁ ପ୍ରତିରୋଧ କ୍ଷେତ୍ରରେ ସାଧାରଣ ଜନତାଙ୍କ ସକ୍ରିୟ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ l ଜନତାଙ୍କ ସଚେତନତା ହିଁ ମୁଖ୍ୟ ଅସ୍ତ୍ର। ଯଦି ସାଧାରଣ ଜନତା ସଚେତନ ନ ହୁଅନ୍ତି, ତେବେ କିଛି ବି ପରିବର୍ତ୍ତନ ହେବ ନାହିଁ l ଜିଲ୍ଲାପାଳ ସମସ୍ତ ବିଭାଗକୁ ନିଆଁ ପ୍ରତିରୋଧ ପାଇଁ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଫେବୃଆରୀ ମାସରୁ ଡିଏଫ ଓ (ବନ୍ୟପ୍ରାଣୀ) ଓ ଡିଏଫ ଓ (ଟେରିଟୋରିଆଲ) ଙ୍କ ନେତୃତ୍ୱରେ ଗଠିତ କମିଟି ପ୍ରତି ମାସରେ ଜଙ୍ଗଲ ଅଗ୍ନି ପ୍ରତିରୋଧ, ଅବାଧ ଶିକାର ଓ ଅନ୍ୟାନ୍ୟ ଅବୈଧ ବନ୍ୟପ୍ରାଣୀ କାର୍ଯ୍ୟକଳାପକୁ ରୋକିବାକୁ ସହାୟତା କରୁଥିବା ଜଣେ ବ୍ୟକ୍ତିଙ୍କୁ ‘ବନମିତ୍ର’ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯିବ। ଏହି ଅବସରରେ ଡିଏଫ ଓ (ବନ୍ୟପ୍ରାଣୀ) ସମୀର କୁମାର ସାହୁ ଓଡ଼ିଶା ଜଙ୍ଗଲ ପରିଚାଳନା ପ୍ରଣାଳୀ ଓ ଜଙ୍ଗଲ ଅଗ୍ନି ପ୍ରତିରୋଧ ପାଇଁ ଗୃହୀତ ପଦକ୍ଷେପ ସମୂହ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଶ୍ରୀ ଖାନ୍ ଜଙ୍ଗଲ ଅଗ୍ନି ପ୍ରତିରୋଧରେ ସମସ୍ତ ବିଭାଗର ସକ୍ରିୟ ଭୂମିକା ଓ ସହଯୋଗ ପାଇଁ ଆହ୍ୱାନ ଦେଇଥିଲେ।ଏହି ସଭାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ, ଜିଲ୍ଲା କଲ୍ୟାଣ ଅଧିକାରୀ ଦୀପ୍ତିମନ୍ତ ଭୋଇ ଓ ଅନ୍ୟାନ୍ୟ ବନ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ।

