107
ନୂଆପଡ଼ା – ୨/୮- ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ଆନୁକୂଲ୍ୟରେ ନୂଆପଡ଼ା ବ୍ଲକ କୋଟେନଚୁଆଁ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ନିରାକରଣ ଆଇନ ଏବଂ ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିରାକରଣ) ଆଇନ ସମ୍ବନ୍ଧୀୟ ଏକ ସଚେତନତା ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଓଡ଼ିଶା ଜୀବିକା ମିଶନର ଜିଲ୍ଲା ସଂଯୋଜିକା ପ୍ରିୟଦର୍ଶିନୀ ଯୋଶୀ, ଜିଲ୍ଲା ସ୍ଥାନୀୟ ଅଭିଯୋଗ ସମିତିର ଅଧ୍ୟକ୍ଷା ତପସ୍ୱିନୀ ପଣ୍ଡା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମୋହିନି ଦଳପତି, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ ଅଧିକାର ମିତ୍ରମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ସଚିବ ନବନୀତା ଦାଶ କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କ ଯୌନ ଉତ୍ପୀଡ଼ନ ନିରାକରଣ ଆଇନ ସହିତ ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିରାକରଣ) ଆଇନର ବିଭିନ୍ନ ବ୍ୟବସ୍ଥା, ଅଧିକାର ଓ ଆଇନଗତ ସୁରକ୍ଷା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।
ଜିଲ୍ଲା ସ୍ଥାନୀୟ ଅଭିଯୋଗ ସମିତିର ଅଧ୍ୟକ୍ଷା ତପସ୍ୱିନୀ ପଣ୍ଡା କର୍ମକ୍ଷେତ୍ରରେ ଯୌନ ନିର୍ଯାତନାର ଶିକାର ହୋଇଥିବା ମହିଳାମାନେ କିପରି ଅଭିଯୋଗ ଦାଖଲ କରିବେ, ସେମାନଙ୍କ ଆଇନଗତ ଅଧିକାର ଏବଂ ନ୍ୟାୟ ପାଇବାର ପ୍ରକ୍ରିୟା ସମ୍ପର୍କରେ ସବିସ୍ତାର ମାର୍ଗଦର୍ଶନ ପ୍ରଦାନ କରିଥିଲେ।
ଶିବିରରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ଆଇନ ସମ୍ପର୍କରେ ସଚେତନ କରିବା ସହ ସୁରକ୍ଷିତ, ସମ୍ମାନଜନକ ଓ ଭେଦଭାବମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସକ୍ରିୟ ସହଭାଗିତାର ଆହ୍ୱାନ କରାଯାଇଥିଲା।