34
ନୂଆପଡ଼ା – ୨୯/୦୧ (ମାରାଗୁଡ଼ା ଏକ୍ସପ୍ରେସ) ନୂଆପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ଓ ପୋଷଣ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଗତ ମାସରେ ନୂଆପଡ଼ା ଜିଲ୍ଲାରେ କୌଣସି ମାତୃମୃତ୍ୟୁ ଘଟିନଥିବା ତଥ୍ୟ ଉପସ୍ଥାପିତ ହେବାରୁ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିଥିଲେ । ତଥାପି, ଜିଲ୍ଲାରେ ଶିଶୁମୃତ୍ୟୁ ହାର କମାଇବା ପାଇଁ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ସ୍ୱାସ୍ଥ୍ୟ କ୍ଷେତ୍ରରେ “ପ୍ରତିରୋଧ ସହ ହସ୍ତକ୍ଷେପ” ନୀତିକୁ ଅଧିକ ସଫଳତାର ସହ ରୂପାୟନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏଏନଏମ ମାନେ ସେକ୍ଟର ସ୍ତରୀୟ ବୈଠକ ମାଧ୍ୟମରେ ଗର୍ଭବତୀ ମହିଳା ମାନଙ୍କୁ ସଚେତନ କରି ଶିଶୁମୃତ୍ୟୁ ରୋକିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବାକୁ ସେ କହିଥିଲେ।ବୈଠକରେ ଅକ୍ସିଜେନ୍ ଅଭାବ, କମ ଜନ୍ମ ଓଜନ, ଜଣ୍ଡିସ, ସମୟପୂର୍ବ ଜନ୍ମ ଓ ଅନ୍ୟାନ୍ୟ କାରଣରୁ ଶିଶୁମୃତ୍ୟୁ ଘଟୁଥିବା ବିଷୟ ଉପରେ ଆଲୋଚନା କରାଯାଇ, ଏହାକୁ ରୋକିବା ପାଇଁ ସମୟୋଚିତ ଚିହ୍ନଟ, ଚିକିତ୍ସା ଓ ରେଫରାଲ୍ ବ୍ୟବସ୍ଥାକୁ ମଜବୁତ କରିବାକୁ ଜୋର ଦିଆଯାଇଥିଲା।



