
ନୂଆପଡ଼ା -୩୦/୧୦ (ସୁରେନ୍ଦ୍ର ତିୱାରୀ) କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା, ସୋସେଙ୍ଗ, ମିଚ୍ଛାପାଲି ଗ୍ରାମପଞ୍ଚାୟତ ରେ ବସବାସ କରୁଥିବା ଆଦିମ ଚକୋଟିଆ ଭୁଞ୍ଜିଆ ଜନଜାତି ଙ୍କ ସାମାଜିକ,ଅର୍ଥନୈତିକ ତଥା ସର୍ବାଙ୍ଗୀନ ଉନ୍ନତି ସକାଶେ ସରକାର ଚକୋଟିଆ ଭୁଞ୍ଜିଆ ଉନ୍ନୟନ ସଂସ୍ଥା ସ୍ଥାପନ କରିଛନ୍ତି। ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ଏହି ସଂସ୍ଥା ରେ ଜଣେ ସ୍ୱତନ୍ତ୍ର ଅଧିକାରୀ ଙ୍କୁ ନିଯୁକ୍ତି ଦିଆଯିବା ବ୍ୟବସ୍ଥା ଥିଲେ ଦୀର୍ଘ ଦଶନ୍ଧି ଧରି ଏହି ସଂସ୍ଥା ରେ କେତେବେଳେ ବ୍ଲକ ସ୍ଥରୀୟ କୃଷି ଅଧିକାରୀ ତ ଆଉ କେତେବେଳେ ଅତିରିକ୍ତ ବି. ଡି. ଓ ମାନଙ୍କୁ ସ୍ୱତନ୍ତ୍ର ଅଧିକାରୀ ଭାବେ ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିବା ଦେଖିବାକୁ ମିଳିଛି। ଏହି ଆଦିମ ଜନଜାତି ଙ୍କ ଉନ୍ନତି କଳ୍ପେ ଶହ ଶହ କୋଟି ଟଙ୍କା ଅନୁଦାନ ମିଳିବା ସତ୍ୱେ ସେମାନଙ୍କ ଆଶାନୁରୂପ ଉନ୍ନତି ହୋଇ ପାରିନଥିବା ଦେଖାଯାଇଛି। ସୁନାବେଡା କୁ ପକ୍କା ରାସ୍ତା ଖଣ୍ଡେ ସାତ ସପନ ଥିବା ବେଳେ ତତ୍କାଳୀନ ଭାରପ୍ରାପ୍ତ ସ୍ୱତନ୍ତ୍ର ଅଧିକାରୀ ଙ୍କ ଅପରିଣାମଦର୍ଶିତା କାରଣରୁ ଗମନାଗମନ ଓ ଯାତ୍ରୀ ପରିବହନ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ ରେ ଏକ ମିନି ବସ କ୍ରୟ କରାଯାଇ ଅଭୟାରଣ୍ୟ ଉପତ୍ୟକା ରେ ସ୍ଥିତ ମିଚ୍ଛାପାଲି ରୁ ଜିଲ୍ଲା ସଦର ମହକୁମା କୁ ଚଳାଚଳ ଆରମ୍ଭ କରିଥିଲା। କିଛି ମାସ ଚାଲିବା ପରେ ଉକ୍ତ ବସ ର ମରାମତି ଓ ରକ୍ଷଣବେକ୍ଷଣ ଅଭାବରୁ ବସ ଅଚଳ ହୋଇ ମିଚ୍ଛାପାଲି ଠାରେ ପଡିରହିବା ସହ ଖତ ଖାଉଛି। ଅନୁରୂପ ଭାବେ ସଘନ ପରିବା ଚାଷ ପାଇଁ ଚାଷୀ ଙ୍କୁ ପ୍ରୋତ୍ସାହିତ କରି ପରିବା ଉତ୍ପାଦନ ବୃଦ୍ଧି କରାଯିବା ପରିବର୍ତ୍ତେ ପରିବା ବିକ୍ରୀ ପାଇଁ ପରିବହନ ସୁବିଧା ଯୋଗେଇବା ନାମରେ ବହୁଲକ୍ଷ ଅର୍ଥ ବ୍ୟୟ କରି ଏକ ଶୀତ ତାପ ନିମନ୍ତ୍ରିତ ଟ୍ରକ ତତ୍କାଳୀନ ସ୍ୱତନ୍ତ୍ର ଅଧିକାରୀ ଙ୍କ ଦ୍ୱାରା ହାନୀ ଲାଭ ବିଚାର କରାନଯାଇ କିଣାଗଲା। ଉକ୍ତ ଅଂଚଳ ରେ ପରିବା ଉତ୍ପାଦନ ଓ ବଜାର ଚାହିଦା ଅନୁଧ୍ୟାନ କରା ନ ଯାଇ ପରିବହନ ପାଇଁ ଏଭଳି ଯୋଜନା ର ଫଳ ସ୍ୱରୂପ ଲକ୍ଷାଧିକ ଟଙ୍କା ର ଏହି ଯାନ ଟି ଅକାମି ହୋଇ ପଡିବା ପରେ କିଛି ଦିନ ଏହାକୁ ଲିଜ ଦିଆଯିବାପରେ ଏହାକୁ ଗାତିବେଡା ସାଲେପଡା ଠାରେ ବିଦ୍ୟାଳୟ କଡରେ ବିନା ହେପାଜତ ରେ ପଡିରହି ଖତ ଖାଉଥିବା ଦେଖିବାକୁ ମିଳିଛି। ଅପର ପକ୍ଷେ ସମ୍ପୃକ୍ତ ଅଧିକାରୀ ଙ୍କ ଖାମଖିଆଲ ମନୋବୃତ୍ତି ଯୋଗୁଁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଇ ଫଳରସରୁ ଜେଲି, ଯାମ, ଜୁସ ପ୍ରସ୍ତୁତି ଓ ପେକିଙ୍ଗ ସମ୍ପର୍କିତ ଏକ ପ୍ଲାଣ୍ଟ ସ୍ଥାପନ ପାଇଁ ଯନ୍ତ୍ରାଂଶ କିଣାଯାଇ ଦୀର୍ଘଦିନରୁ ପକେଇ ରଖିଥିବାରୁ ଖତ ଖାଇବା ଆଶଙ୍କା ଦେଖାଯାଇଛି। ସେତେବେଳେ ଏହି ପ୍ଲାଣ୍ଟ ସ୍ଥାପନ ପାଇଁ କଞ୍ଚାମାଲ ର କୌଣସି ବ୍ୟବସ୍ଥା କରାଯାଇନଥିଲେ ହେଁ ବର୍ତ୍ତମାନ ଅଂଚଳ ର ଚାଷୀ ବ୍ୟାପକ ଷ୍ଟ୍ର ବେରୀ ଚାଷ କରି ଅଭାବୀ ବିକ୍ରୀ ର ଶିକାର ହେଉଥିବାରୁ ଚାଷୀ ଙ୍କ ଠାରୁ ସେମାନଙ୍କ ଉତ୍ପାଦିତ ଫଳ ଉଚିତ ମୂଲ୍ୟ ରେ କ୍ରୟ କରାଗଲେ ଅଭାବୀ ବିକ୍ରୀ ଦୁର କରାଯିବାସହ ଅନାୟାସ ରେ ଫଳ ରସ, ଜେଲି, ଯାମ ଆଦି ପ୍ରସ୍ତୁତ ଓ ପେକିଙ୍ଗ କରାଯାଇ ବଜାର ଚାହିଦା ମେଣ୍ଟାଯାଇ ପାରିବ ବୋଲି ବୁଦ୍ଧି ଜୀବି ମତ ଦେଇଛନ୍ତି। ପୁନଶ୍ଚ ଏତେ ସବୁ ଯନ୍ତ୍ରପାତି ଯାନ ବାହନ କିଣାଯାଇ ସଂସ୍ଥା ଭୋଗୁ ଥିବା ଆର୍ଥିକ କ୍ଷତି ଭରଣା ପାଇଁ ତତ୍କାଳୀନ ଅଧିକାରୀ ଙ୍କ ବିରୁଦ୍ଧ ରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାଧାରଣରେ ଦାବିହେଉଛି।
ସରକାର କା ମାଲ ଦରିଆ ମେ ଡାଲ : ଖତ ଖାଉଛି ଲକ୍ଷାଧିକ ମୂଲ୍ୟର ସରକାରୀ ଯାନ।
117