41
ନୂଆପଡ଼ା -୧୭/୩- ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ “କାର୍ଯ୍ୟକ୍ଷମ ଉତ୍କର୍ଷତା ପାଇଁ ଏଆଇ ଉପକରଣ ” ବିଷୟରେ ଏକ ଦିନିକିଆ କ୍ଷମତା ବିକାଶ କର୍ମଶାଳା ସଦ୍ଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। କର୍ମଶାଳାର ଆରମ୍ଭରେ ଡିଇଜିଏମ ବିରେନ୍ଦ୍ର ସିଂହ ଦଣ୍ଡସେନା ସମସ୍ତଙ୍କୁ ସ୍ୱାଗତ ଜଣାଇ କର୍ମଶାଳାର ଉଦ୍ଦେଶ୍ୟ ବିଷୟରେ ବିସ୍ତୃତ ଅଲୋଚନା କରିଥିଲେ।କର୍ମଶାଳାରେ ପ୍ରଥମେ ସ୍ଵାଗତ, ଟ୍ରେନିଂ କିଟ୍ ବଣ୍ଟନ, ଉପସ୍ଥିତି ରେକର୍ଡ ସଂଗ୍ରହ ସହିତ ଉଦ୍ଘାଟନୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ଅଧିବେଶନରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ମୂଳ ଧାରଣା, ପ୍ରଶାସନିକ କାର୍ଯ୍ୟରେ ଏହାର ପ୍ରାସଙ୍ଗିକତା ଓ ଶାସନ ବ୍ୟବସ୍ଥାରେ ବ୍ୟବହାର ନିମନ୍ତେ ବିଭିନ୍ନ ପ୍ରାୟୋଗିକ ଉଦାହରଣ ସହ ଡେମୋନଷ୍ଟ୍ରେସନ୍ ପ୍ରଦାନ କରାଯାଇଥିଲା।ଏଥିସହ ଏଲ୍ଏଲ୍ଏମ୍ ସମ୍ବନ୍ଧୀୟ ଧାରଣା, ପ୍ରମ୍ପ୍ଟ ଇଞ୍ଜିନିୟରିଂ ପ୍ରଣାଳୀ, ସ୍ମାର୍ଟ ସମ୍ମାରାଇଜେସନ୍, ଅଧିକାରିକ ଚିଠିପତ୍ର ଓ ଦଲିଲ ପ୍ରସ୍ତୁତିରେ ଏଆଇର ବ୍ୟବହାର ବିଷୟରେ ଅବଗତ କରାଯାଇଥିଲା। ଡକ୍ୟୁମେଣ୍ଟ ଡିଜିଟାଇଜେସନ୍, ଓସିଆର୍ ମାଧ୍ୟମରେ ଇମେଜ୍-ଟୁ-ଟେକ୍ସ୍ଟ ପରିବର୍ତ୍ତନ, ଟେକ୍ସ୍ଟ ସମ୍ମାରାଇଜେସନ୍, ଏମ୍ଏସ୍ ଅଫିସ୍ ସହ ଏଆଇ ଟୁଲ୍ର ସମନ୍ୱୟ ଓ ଗୁଗୁଲ୍ ଲେନ୍ସ ଭଳି ଉପକରଣ ବ୍ୟବହାର ବିଷୟରେ ପ୍ରାୟୋଗିକ ଶିକ୍ଷା ଦିଆଯାଇଥିଲା।
ଇମେଜ୍, ଅଡିଓ ଓ ଭିଡିଓ ତିଆରି ଓ ସମ୍ପାଦନ ଉପକରଣ, ଅନୁବାଦ ସେବା, ଏମ୍ଏସ୍ ଅଫିସ୍ରେ ଏଆଇ ଆଧାରିତ ବୈଶିଷ୍ଟ୍ୟ ଓ ହ୍ୟାଣ୍ଡସ୍-ଅନ୍ ଅଭ୍ୟାସ ମାଧ୍ୟମରେ ଅଧିକାରୀମାନେ ପ୍ରଶିକ୍ଷଣ ଗ୍ରହଣ କରିଥିଲେ। ସୁରକ୍ଷା ସମ୍ବନ୍ଧୀୟ ଏସ୍ଓପି , ଡାଟା ସୋଭରେନିଟି, ନୈତିକ ଏଆଇ ବ୍ୟବହାର ଓ ପ୍ରଶାସନିକ ନିଷ୍ପତ୍ତିରେ ‘ହ୍ୟୁମାନ୍-ଇନ୍-ଦ-ଲୁପ୍’ ପ୍ରଣାଳୀ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା।ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ର ସିନିୟର ପ୍ରୋଗ୍ରାମ୍ ମ୍ୟାନେଜର ସୁଶାନ୍ତ ଜେ. ଦାସ କର୍ମଶାଳାରେ ଏଆଇ ଟୁଲ୍ର ପ୍ରାୟୋଗିକ ପ୍ରଶିକ୍ଷଣ ପ୍ରଦାନ କରିଥିଲେ।