87
ନୂଆପଡ଼ା, ୧୭/୦୭: ଲଗାଣ ବର୍ଷା ସତ୍ତ୍ୱେ ସିନାପାଲିର ପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରାରେ ଗତକାଲି ଭକ୍ତଙ୍କ ଉତ୍ସାହରେ କୌଣସି ଭଟ୍ଟା ପଡ଼ିନଥିଲା। ସ୍ଥାନୀୟ ଅଞ୍ଚଳ ସହ ପଡ଼ୋଶୀ ଛତିଶଗଡ଼ର ବିଭିନ୍ନ ସ୍ଥାନରୁ ହଜାର ହଜାର ଶ୍ରଦ୍ଧାଳୁ ସିନାପାଲିରେ ସମବେତ ହୋଇ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହୋଇଥିଲେ। ବର୍ଷା ମଧ୍ୟରେ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନି, ହରିବୋଳ ଓ ହୁଳହୁଳିରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା।
ପାରମ୍ପରିକ ରୀତିନୀତି ଅନୁଯାୟୀ ସକାଳୁ ଶ୍ରୀଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ଓ ନୀତିକାନ୍ତି ସମ୍ପନ୍ନ ହେବା ପରେ ଅପରାହ୍ଣରେ ଶ୍ରୀଜିଉଙ୍କ ପହଣ୍ଡି ବିଜେ ଅନୁଷ୍ଠିତ ହୋଇଥିଲା। ପରେ ବିଜୟ ମେହେର ତିନିଟି ରଥରେ ଛେରାପହରା କରିବା ପରେ ଭକ୍ତଙ୍କ ଉତ୍ସାହ ମଧ୍ୟରେ ରଥଟଣା ଆରମ୍ଭ ହୋଇଥିଲା।
ରଥଯାତ୍ରାରେ ପାରମ୍ପରିକ ସଂପ୍ରଦାୟ, ସଂକୀର୍ତ୍ତନ ମଣ୍ଡଳୀ, ଘଣ୍ଟଦଳ ଓ ବିଭିନ୍ନ ସାଂସ୍କୃତିକ ଦଳ ସାମିଲ ହୋଇ ଆଧ୍ୟାତ୍ମିକ ପରିବେଶକୁ ଅଧିକ ଆକର୍ଷଣୀୟ କରିଥିଲେ। ସିନାପାଲିର ଏକ ସ୍ୱତନ୍ତ୍ର ପରମ୍ପରା ଅନୁଯାୟୀ ମା’ ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳା ଶ୍ରଦ୍ଧାଳୁମାନେ ଟାଣିଥିଲେ, ଯାହା ରଥଯାତ୍ରାର ଏକ ବିଶେଷ ଆକର୍ଷଣ ପାଲଟିଥିଲା।
ସୂଚନାଯୋଗ୍ୟ ଯେ, ପୁରୀ ଗଜପତିଙ୍କ ଦ୍ୱାରା ସିନାପାଲିରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ଦିନଠାରୁ ଶ୍ରୀକ୍ଷେତ୍ର ପୁରୀର ପରମ୍ପରା ଅନୁଯାୟୀ ଏଠାରେ ତିନିଟି ସୁସଜ୍ଜିତ ରଥରେ ଶ୍ରୀଜିଉଙ୍କ ରଥଯାତ୍ରା ଓ ସମସ୍ତ ନୀତିକାନ୍ତି ନିୟମିତ ଭାବେ ପାଳନ କରାଯାଉଛି।ଭକ୍ତଙ୍କ ବିପୁଳ ସମାଗମକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା କମିଟି ଓ ସ୍ୱେଚ୍ଛାସେବୀମାନଙ୍କ ପକ୍ଷରୁ ପାନୀୟ ଜଳ, ପ୍ରାଥମିକ ଚିକିତ୍ସା, ଶୃଙ୍ଖଳା ରକ୍ଷା ଓ ଅନ୍ୟାନ୍ୟ ସୁବିଧାର ସୁଚାରୁ ବ୍ୟବସ୍ଥା କରାଯାଇଥିଲା।ଏହାବ୍ୟତୀତ ସିନାପାଲି ବ୍ଲକର ବ୍ରାହ୍ମଣପଡ଼ା, ହାତୀବନ୍ଧା, ପତିଏଲପଡ଼ା, ସାଗୁନଭାଡ଼ି, ସିଙ୍ଗଝର, କେନ୍ଦୁମୁଣ୍ଡା, ଚଳନା, ଗୋର୍ଲା, ଟିମନପୁର, ଜାମଗାଁ, ଗଣ୍ଡାବାହାଳି, ବରଗାଁ, ଗମ୍ଭାରିଗୁଡ଼ା ଓ ଅରସାପଡ଼ା ସମେତ ବିଭିନ୍ନ ଗ୍ରାମରେ ମଧ୍ୟ ଶାନ୍ତି, ଶୃଙ୍ଖଳା ଓ ଭକ୍ତିଭାବର ସହ ରଥଯାତ୍ରା ସଫଳତାର ସହ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି।