Home ରାଜ୍ୟନୂଆପଡ଼ାରେ “ସ୍ୱାବଲମ୍ବୀ ଯୁବା–ସମୃଦ୍ଧ ଓଡ଼ିଶା ସମାବେଶ” : ଯୁବପିଢ଼ି ଙ୍କୁ ମିଳିଲା ଲକ୍ଷାଧିକ ଟଙ୍କାର ସହାୟତା, ଉଦ୍ୟୋଗୀ ହେଲେ ସମ୍ମାନିତ।

ନୂଆପଡ଼ାରେ “ସ୍ୱାବଲମ୍ବୀ ଯୁବା–ସମୃଦ୍ଧ ଓଡ଼ିଶା ସମାବେଶ” : ଯୁବପିଢ଼ି ଙ୍କୁ ମିଳିଲା ଲକ୍ଷାଧିକ ଟଙ୍କାର ସହାୟତା, ଉଦ୍ୟୋଗୀ ହେଲେ ସମ୍ମାନିତ।

by Maraguda Express
0 comments
ନୂଆପଡ଼ା -୧୭/୬- ଓଡ଼ିଶାର ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବା ଦିଗରେ ନୂଆପଡ଼ା ଜିଲ୍ଲାରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ସ୍ଥାନୀୟ ନ୍ୟାସନାଲ କଲେଜ ଅଡିଟୋରିୟମ୍‌ ଠାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଏବଂ କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ “ସ୍ୱାବଲମ୍ବୀ ଯୁବା–ସମୃଦ୍ଧ ଓଡ଼ିଶା ସମାବେଶ” ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ରାଜ୍ୟବ୍ୟାପୀ ଜନସମ୍ପର୍କ ଓ ନାଗରିକ ସମ୍ପୃକ୍ତି କାର୍ଯ୍ୟକ୍ରମର ଏକ ପ୍ରମୁଖ ଅଂଶ ଭାବେ ଏହି ସମାବେଶ ଆୟୋଜିତ ହୋଇଥିଲା। ଏହି ବର୍ଷର ମୂଳ ମନ୍ତ୍ର ଥିଲା — “ବିକଶିତ ଓଡ଼ିଶା ପାଇଁ ସଶକ୍ତ ଏମ୍‌ଏସ୍‌ଏମ୍‌ଇ, ବିକାଶର ଧାରା ଓଡ଼ିଶା ସାରା” ।
କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସହାୟତା ରାଶି ବଣ୍ଟନ – ବିଭିନ୍ନ ସରକାରୀ ଯୋଜନା ଅଧୀନରେ ହିତାଧିକାରୀଙ୍କୁ ସମୁଦାୟ ୧୨ ଲକ୍ଷ ୯୯ ହଜାର ୩୮୩ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।
ନାନୋ ୟୁନିକର୍ଣ୍ଣ ଯୋଜନା ରେ ୫ ଜଣ ଉଦୀୟମାନ ଯୁବ ଉଦ୍ୟୋଗୀ ଙ୍କୁ ବ୍ୟବସାୟ ବଢ଼ାଇବା ପାଇଁ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି।
ସଫଳ ଉଦ୍ୟୋଗୀ ଙ୍କୁ ସମ୍ମାନ ପ୍ରଦାନ୍ – ଜିଲ୍ଲାର ସଫଳ ବ୍ୟବସାୟୀ ଅଭିଷେକ ଅଗ୍ରୱାଲ ଓ ବଦନ ମେହେରଙ୍କୁ ସେମାନଙ୍କର ପ୍ରେରଣାଦାୟୀ ସଫଳତା ପାଇଁ ସମ୍ମାନିତ କରାଯାଇଛି।
କାର୍ଯ୍ୟକ୍ରମରେ ୧୧ ଜଣ ହିତାଧିକାରୀଙ୍କୁ ପେନ୍‌ସନ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା।
ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ହାଇ-ପ୍ରୋଫାଇଲ୍ ସମାବେଶରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଏବଂ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଖଡ଼ିଆର ରୋଡ଼ ଏନ୍‌ଏସି ଅଧ୍ୟକ୍ଷା ଡ଼ଃ ସୋନିଆ ଜୈନ, ନୂଆପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଏବଂ ନ୍ୟାସନାଲ କଲେଜର ଅଧ୍ୟକ୍ଷ ହିତେଶ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଏହି ଅବସରରେ ଏକ ଜିଲ୍ଲାସ୍ତରୀୟ ପ୍ରଦର୍ଶନୀ ମେଳାର ମଧ୍ୟ ଉଦ୍‌ଘାଟନ କରାଯାଇଥିଲା।
“ଆଜିର ସଫଳ ଉଦ୍ୟୋଗୀମାନଙ୍କୁ ସମ୍ମାନିତ କରାଯିବା ଦ୍ୱାରା ନୂତନ ଓ ଉଦୀୟମାନ ଯୁବପିଢ଼ି ବେଶ୍ ପ୍ରେରଣା ପାଇବେ। ନୂଆପଡ଼ା ଜିଲ୍ଲା ଆଗାମୀ ଦିନରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ଆହୁରି ଆଗକୁ ବଢ଼ି ଏକ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ଗଢ଼ିଉଠିବ।” ବୋଲି ଜିଲ୍ଲାପାଳ ଶ୍ରୀ ଦାଶ ପ୍ରକାଶ କରିଥିଲେ।
ସମାବେଶରେ ଜିଲ୍ଲାର ପ୍ରଗତି ଏବଂ ଆଗାମୀ ଯୋଜନାକୁ ନେଇ ଅଧିକାରୀମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା ରଖିଥିଲେ।
ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ସମୀର ମୁଦୁଲି ଗତ ଦୁଇ ବର୍ଷର ସଫଳତା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ଉପସ୍ଥାପନ କରିଥିଲେ।
ଜିଲ୍ଲା କୌଶଳ ବିକାଶ ଓ ନିଯୁକ୍ତି ଅଧିକାରୀ ବିନୋଦ ପ୍ରକାଶ ଲାକ୍ରା ବୈଷୟିକ ଶିକ୍ଷା ଓ ନିଯୁକ୍ତିର ନୂଆ ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ପୂର୍ବତନ ଲିଡ୍ ବ୍ୟାଙ୍କ ମ୍ୟାନେଜର ସୀତାରାମ ମେହେର ଯୁବକମାନଙ୍କୁ ସ୍ୱାବଲମ୍ବନ ଓ ସଠିକ୍ ଆର୍ଥିକ ପରିଚାଳନାର ଗୁରୁମନ୍ତ୍ର ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶତାଧିକ ଉଦ୍ୟୋଗୀ, ବିଭିନ୍ନ କଲେଜର ଛାତ୍ରଛାତ୍ରୀ, ସରକାରୀ ଯୋଜନାର ହିତାଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ସରକାରଙ୍କ ଏହି ପ୍ରୟାସ ଯୁବପିଢ଼ିଙ୍କୁ କେବଳ ଚାକିରି ପଛରେ ନଦୌଡ଼ି ନିଜେ ‘ଜବ୍ କ୍ରିଏଟର’ ବା ରୋଜଗାରଦାତା ହେବାକୁ ଉତ୍ସାହିତ କରିବ ବୋଲି ଅତିଥିମାନେ ମତ ପ୍ରକାଶ କରିଛନ୍ତି। ଜ଼ିଲ୍ଲା ସ୍ୱଚ୍ଛ ଭାରତ ସଂଯୋଜକ ଅନିଲ କୁମାର ଲେଙ୍କା ଅତି ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha