409
ନୂଆପଡ଼ା – ୨୬/୬ – ସୀମିତ ସମ୍ବଳ, କିନ୍ତୁ ଅସୀମ ସାହସ ଓ ଅସାଧାରଣ ଦକ୍ଷତା। ପୁଣିଥରେ ନିଜର କର୍ତ୍ତବ୍ୟ ନିଷ୍ଠା ଏବଂ ମାନବିକତାର ପରିଚୟ ଦେଇଛି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତରୀ ଦଳ। କିଛି ଦିନ ପୂର୍ବରୁ ଜଣେ ଶିଶୁର ଶରୀରରୁ ସଫଳତାର ସହ ତୀର ବାହାର କରି ଚର୍ଚ୍ଚାକୁ ଆସିଥିବା ଏହି ଟିମ୍ ଏବେ ପୁଣି ଜଣେ ୧୮ ବର୍ଷୀୟ ମୁମୂର୍ଷୁ ଯୁବକଙ୍କ ଜଟିଳ ଅସ୍ତ୍ରୋପଚାର କରି ତାଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିଛନ୍ତି।
ମେଳା ରେ ଭୟଙ୍କର ଛୁରାମାଡ଼।ସୂଚନା ଅନୁଯାୟୀ, ଜୋଙ୍କ ଥାନା ଅନ୍ତର୍ଗତ ବୁଢ଼ୀପାଲି ପଞ୍ଚାୟତ ପାଲସାଭାଦର ଗ୍ରାମ ର ୧୮ ବର୍ଷୀୟ ଯୁବକ ଆକାଶ ଯାଦବ ଛତିଶଗଡ଼- ଓଡ଼ିଶା ସୀମାନ୍ତ ଟେମରିଗ୍ରାମ ଅଞ୍ଚଳ ର ଏକ ମେଳାକୁ ଯାଇଥିବା ବେଳେ କିଛି ଅସାମାଜିକ ଯୁବକଙ୍କ ସହ ବଚସା ହୋଇଥିଲା। ପରେ ଏହି ବଚସା ଉଗ୍ର ରୂପ ନେଇଥିଲା ଏବଂ ରାତି ପ୍ରାୟ ୧ଟା ସମୟରେ ତାଙ୍କ ଉପରେ ଧାରୁଆ ଛୁରୀରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା।
ଛୁରାମାଡ଼ ଏତେ ଭୟଙ୍କର ଥିଲା ଯେ ଯୁବକଙ୍କ ପେଟ ଗଭୀର ଭାବରେ କ୍ଷତିଗ୍ରସ୍ତ ହୋଇ ଅନ୍ତ୍ର ବାହାରକୁ ଚାଲିଆସିଥିଲା। ଏଥିସହ ତାଙ୍କର ଯକୃତ ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ପ୍ରଚୁର ରକ୍ତସ୍ରାବ ହେଉଥିବାରୁ ସେ ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଥିଲେ।କର୍ତ୍ତବ୍ୟ ଆଗରେ ହାର ମାନିଲାନି ,ଅଧା ରାତି ରେ ଅପ୍ରେଶନ।ଗୁରୁତର ଆହତ ଅବସ୍ଥାରେ ରକ୍ତାକ୍ତ ଯୁବକଙ୍କୁ ତୁରନ୍ତ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେତେବେଳେ ଗଭୀର ରାତି ହୋଇସାରିଥିଲା, କିନ୍ତୁ କର୍ତ୍ତବ୍ୟ ଆଗରେ ସମୟ ବାଧକ ସାଜିନଥିଲା।ଡ୍ୟୁଟି ରେ ଥିବା ବରିଷ୍ଠ ସର୍ଜରୀ ବିଶେଷଜ୍ଞ ଡାକ୍ତର ସ୍ୱସ୍ତି ରେଖା ନାୟକ ତୁରନ୍ତ ରୋଗୀଙ୍କ ଅବସ୍ଥାର ଗୁରୁତ୍ୱକୁ ବୁଝି ଅପରେସନ ଥିଏଟର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାତି ପ୍ରାୟ ୩ ଟା ରେ ଜରୁରୀକାଳୀନ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା।ଲିଭର ଏବଂ ପେଟର ଗୁରୁତର ଆଘାତ ଭଳି ଜଟିଳ ପରିସ୍ଥିତିରେ ଡାକ୍ତରୀ ଦଳ ପ୍ରାୟ ୩ରୁ ୪ ଘଣ୍ଟା ଧରି ନିରବଚ୍ଛିନ୍ନ ଭାବେ ପରିଶ୍ରମ କରି ସଫଳତାର ସହ ଅପରେସନ ସମ୍ପନ୍ନ କରିଥିଲେ।
ଏହି ଜୀବନ ରକ୍ଷାକାରୀ ଅସ୍ତ୍ରୋପଚାରରେ ଡାକ୍ତର ସ୍ୱସ୍ତି ରେଖା ନାୟକଙ୍କ ନେତୃତ୍ୱରେ ଏକ ସମର୍ପିତ ଟିମ୍ କାର୍ଯ୍ୟ କରିଥିଲା। – ଡାକ୍ତର ସ୍ୱସ୍ତି ରେଖା ନାୟକ (ବରିଷ୍ଠ ସର୍ଜରୀ ବିଶେଷଜ୍ଞ)
ବର୍ତ୍ତମାନ ଯୁବକ ଆକାଶ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ସୁଧାର ଆସୁଥିବା ସୂଚନା ମିଳିଛି। ଜଣେ ଯୁବକଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣିଥିବାରୁ ସମଗ୍ର ଅଞ୍ଚଳରେ ଡାକ୍ତରୀ ଦଳ ପ୍ରତି କୃତଜ୍ଞତା ଓ ଶୁଭେଚ୍ଛାର ସୁଅ ଛୁଟିଛି।ସତରେ, ସେବା, ତ୍ୟାଗ ଓ ମାନବିକତାର ଏହି ଉଜ୍ଜ୍ୱଳ ଉଦାହରଣ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରାଜ୍ୟରେ ଏକ ନୂଆ ପରିଚୟ ପ୍ରଦାନ କରିଛି।