93
ନୂଆପଡ଼ା -୧୦/୦୭ -ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କ୍ଷେତ୍ରରେ ନୂଆପଡ଼ା ଜିଲ୍ଲା ପୁଣି ଥରେ ସାରା ରାଜ୍ୟରେ ନିଜର ଶ୍ରେଷ୍ଠତା ପ୍ରମାଣିତ କରିଛି। ବିଶ୍ୱ ଜନସଂଖ୍ୟା ଦିବସ–୨୦୨୬ ଅବସରରେ ଭୁବନେଶ୍ୱରସ୍ଥିତ କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ ନୂଆପଡ଼ାକୁ ଏହି ବଡ଼ ଗୌରବ ମିଳିଛି। ୨୦୨୫–୨୬ ବର୍ଷର ପରିବାର ନିୟୋଜନ କାର୍ଯ୍ୟକ୍ରମର ସାମଗ୍ରିକ ପ୍ରଦର୍ଶନ ପାଇଁ ନୂଆପଡ଼ା ଜିଲ୍ଲା ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନିତ ହୋଇଛି।
“ଦ୍ୱିଗୁଣିତ ହେଲା ଖୁସି: ମିଳିଲା ଦୁଇଟି ସଫଳତା” ।ଖାଲି ପରିବାର ନିୟୋଜନ ରେ ପ୍ରଥମ ସ୍ଥାନ ନୁହେଁ, ବରଂ ପ୍ରସବ ପରେ ଗର୍ଭାଶୟ ମଧ୍ୟରେ ଲଗାଯାଉଥିବା ଜନ୍ମ ନିୟନ୍ତ୍ରଣ ଉପକରଣ (ପିପିଆଇୟୁସିଡ଼ି) ଗ୍ରହଣ କରିବା କ୍ଷେତ୍ରରେ ମଧ୍ୟ ନୂଆପଡ଼ା ଜିଲ୍ଲା ରାଜ୍ୟରେ ତୃତୀୟ ସ୍ଥାନ ହାସଲ କରିଛି। ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନସ୍ଥ ପରିବାର କଲ୍ୟାଣ ନିର୍ଦ୍ଦେଶାଳୟ ପକ୍ଷରୁ ଜିଲ୍ଲାକୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି।ଏହି ଭବ୍ୟ ରାଜ୍ୟସ୍ତରୀୟ ସମାରୋହରେ ନୂଆପଡ଼ା ଜିଲ୍ଲା ପକ୍ଷରୁ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ଜେ. ଏସ୍. ମହାନ୍ତି ଯୋଗଦେଇ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଥିଲେ।
“ଏହି ଗୌରବ ହେଉଛି ସମନ୍ୱିତ ଦଳଗତ ପ୍ରୟାସ, ଦାୟିତ୍ୱବୋଧ ଓ ଜନମୁଖୀ ସ୍ୱାସ୍ଥ୍ୟସେବାର ସଫଳ ରୂପାୟନ। ମୁଁ ଜିଲ୍ଲାର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ଅଧିକାରୀଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଉଛି।” ବୋଲି ଜିଲ୍ଲାପାଳ ଶ୍ରୀ ଦାଶ କହିଛନ୍ତି ।
ଜିଲ୍ଲାର ଏହି ଅଦ୍ଭୁତପୂର୍ବ ସଫଳତା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ, ଚିକିତ୍ସକ, ନର୍ସ, ଏଏନ୍ଏମ୍ , ଆଶାକର୍ମୀ ଏବଂ କ୍ଷେତ୍ରସ୍ତରୀୟ ସ୍ୱାସ୍ଥ୍ୟକର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମକୁ ପ୍ରଶଂସା କରିଛନ୍ତି। ଏହାସହ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି।ପରିବାର ନିୟୋଜନ କାର୍ଯ୍ୟକ୍ରମରେ ରାଜ୍ୟରେ ଶୀର୍ଷରେ ରହିବା ନୂଆପଡ଼ା ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥାର ଦକ୍ଷତା, ଦୃଢ଼ ନେତୃତ୍ୱ ଓ ତୃଣମୂଳ ସ୍ତରର ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠାପୂର୍ଣ୍ଣ ସେବାର ଏକ ବଡ଼ ସ୍ୱୀକୃତି। ଏହି ସଫଳତା ଆଗାମୀ ଦିନରେ ଜିଲ୍ଲାରେ ପରିବାର କଲ୍ୟାଣ ସେବାକୁ ଆହୁରି ମଜବୁତ କରିବା ପାଇଁ ଏକ ନୂଆ ପ୍ରେରଣା ଯୋଗାଇବ ବୋଲି ଆଶା କରାଯାଉଛି।