21
ନୂଆପଡା -୯/୭- ନୂଆପଡ଼ା ଜିଲ୍ଲା ଖଡିଆଳ ବ୍ଲକ ବରଗାଁ ର ରାସ୍ତା ସମସ୍ୟା କୁ ନେଇ ଆସିଛି ଖବର। ଆସିବା ପୂର୍ବରୁ ହିଁ ବିପଦ କୁ ଡାକୁଛି ବରଗାଁ ପଞ୍ଚାୟତ ର ମୁଖ୍ୟ ସଡ଼କ। ଗାଡ଼ି ଚଳାଚଳ ତ ଦୂରର କଥା, ପାଦରେ ଚାଲିବା ମଧ୍ୟ ଏବେ କଷ୍ଟ ଦାୟକ ହୋଇପଡ଼ିଛି କହିଲେ ଅତ୍ୟୁକ୍ତି ହବନାହିଁ। ଚକାଡୁଙ୍ଗର ଛକ ରୁ ବରଗାଁ କୁ ସଂଯୋଗ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଅବ୍ୟବସ୍ଥାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ତିଖାଳି ଡ୍ୟାମ୍ର ବାମ କେନାଲର ଏକ ଶାଖା କେନାଲ ଏହି ରାସ୍ତାକୁ ଅତିକ୍ରମ କରି ବରଗାଁ କମାଯୁରୀପଡ଼ା ଓ ସଞ୍ଜୟ ତିୱାରୀ ଙ୍କ ଚାଷଜମି ଦେଇ ଯାଇଛି। କିନ୍ତୁ କେନାଲ କ୍ରସିଂ ସ୍ଥାନରେ ବଡ଼ ବଡ଼ ଗାତ ଓ ଢିପ ସୃଷ୍ଟି ହୋଇଥିବାରୁ ରାସ୍ତାଟି ଅତ୍ୟନ୍ତ ବିପଦଜନକ ପାଲଟିଯାଇଛି।ଏହାର ପ୍ରଭାବରେ ମଟରସାଇକେଲ, ସାଇକେଲ, ଅଟୋ, ଚାରିଚକିଆ ଯାନ ସମେତ ଭାରୀ ଯାନବାହନ ଚଳାଚଳରେ ଗୁରୁତର ସମସ୍ୟା ଉପୁଜୁଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗତ କିଛି ମାସ ମଧ୍ୟରେ ଏଠାରେ ଅନେକ ଛୋଟବଡ଼ ଦୁର୍ଘଟଣା ଘଟିସାରିଛି। ବିଶେଷକରି ରାତି ସମୟରେ ବାଇକ୍ ଓ ସାଇକେଲ ଆରୋହୀମାନେ ଗାତରେ ପଡ଼ି ଆହତ ହେଉଥିବା ଘଟଣା ବଢ଼ିଚାଲିଛି।ଗ୍ରାମବାସୀଙ୍କ କହିବା କଥା, “ବର୍ଷା ହେଲେ ପାଣି ଜମି ଗାତ ଦେଖାଯାଏ ନାହିଁ। ପ୍ରତିଦିନ ସ୍କୁଲ ପିଲା, ଚାଷୀ ଓ ବଜାରକୁ ଯାଉଥିବା ଲୋକେ ଏହି ରାସ୍ତା ଦେଇ ଯାଆନ୍ତି। କେତେବେଳେ ବଡ଼ ଅଘଟଣ ଘଟିବ, ତାହା କହିବା କଷ୍ଟକର।” ବର୍ଷା ଋତୁ ଆରମ୍ଭ ହେବାକୁ ଥିବା ବେଳେ ଏହି ସମସ୍ୟା ଅଧିକ ଗୁରୁତର ରୂପ ନେବାର ଆଶଙ୍କା ରହିଛି। ତେଣୁ ଅଞ୍ଚଳବାସୀ, ବୁଦ୍ଧିଜୀବୀ ଓ ଜନପ୍ରତିନିଧିମାନେ ପ୍ରଶାସନକୁ ତୁରନ୍ତ ହସ୍ତକ୍ଷେପ କରି ରାସ୍ତାର ମରାମତି କାର୍ଯ୍ୟ ସମ୍ପନ୍ନ କରିବାକୁ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ଯାତାୟାତ ସମସ୍ୟା ସହ ବଡ଼ଧରଣର ଦୁର୍ଘଟଣା ଘଟିବାର ସମ୍ଭାବନାକୁ ଏଡ଼ାଇ ହେବନାହିଁ।ଏହି ଘଟଣା ସମ୍ପର୍କରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।